ନୂଆଦିଲ୍ଲୀ ୨୫।୩: କାସ୍ପିଆନ ସାଗରରେ ଥିବା ଇରାନର ଏକ ବଡ଼ ନୌସେନା ଘାଟି ଉପରେ ଇସ୍ରାଏଲ ଆକ୍ରମଣ କରିଛି। ରିପୋର୍ଟ ଅନୁସାରେ ଏହି ଆକ୍ରମଣ ସେହି ସପ୍ଲାଇ ରୁଟ୍ ଉପରେ କରାଯାଇଛି ଯେଉଁ ରାସ୍ତା ଦେଇ ମସ୍କୋ ଓ ତେହେରାନ ଡ୍ରୋନ, ମିଜାଇଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର କାରବାର କରନ୍ତି। କାସ୍ପିଆନ ସାଗରରେ ଇସ୍ରାଏଲର ଏହା ପ୍ରଥମ ବଡ଼ ଆକ୍ରମଣ ବୋଲି କୁହାଯାଉଛି। କାସ୍ପିଆନ ସାଗର ବିଶ୍ୱର ବିଶାଳତମ ହ୍ରଦ ଯାହା ଇରାନ ଓ ଋଷିଆ ବନ୍ଦରକୁ ସଂଯୁକ୍ତ କରୁଛି। ଉଭୟ ପୋର୍ଟଙ୍କ ମଧ୍ୟରେ ଦୂରତା ପାଖାପାଖି ୬୦୦ ମାଇଲ ବା ୯୬୫ କିଲୋମିଟର। ଯୁଦ୍ଧ କାଳରେ ଏହି ଜଳ ମାର୍ଗ ଅସ୍ତ୍ର ଶସ୍ତ୍ର ଓ ତୈଳ ସମେତ ଗହମ ଯୋଗାଣର ପ୍ରମୁଖ ମାର୍ଗ ପାଲଟିଛି।

ବନ୍ଦର ଅଞ୍ଜଲି ପୋର୍ଟରେ ବ୍ୟାପକ କ୍ଷୟକ୍ଷତି
ଇସ୍ରାଏଲ ସେନା ଅନୁସାରେ ଏହି ଆକ୍ରମଣରେ ବନ୍ଦର ଅଞ୍ଜଲି ପୋର୍ଟରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଟାର୍ଗେଟ୍ କରାଯାଇଛି। ଏଥିରେ ଯୁଦ୍ଧପୋତ, ପୋର୍ଟ ବିଲ୍ଡିଂ, କମାଣ୍ଡ ସେଣ୍ଟର ଓ ଜାହାଜ ମରାମତି ପାଇଁ ଥିବା ସିପୟାର୍ଡକୁ ନଷ୍ଟ କରାଯାଇଛି। ତେବେ ଇସ୍ରାଏଲ ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ବିସ୍ତୃତ ସୂଚନା ମିଳି ନାହିଁ। ହେଲେ ଇସ୍ରାଏଲ ନୌସେନାର ପୂର୍ବତନ କମାଣ୍ଡର ଏଲିଏଜର ମାରୁମ କହିଛନ୍ତି ଏହି ଆକ୍ରମଣର ସବୁଠୁ ବଡ଼ ଉଦ୍ଦେଶ୍ୟ ଋଷିଆର ସ୍ମଗଲିଂକୁ ରୋକିବା ଓ ଏଠାରେ ଥିବା ଇରାନର ଏୟାର ଡିଫେନ୍ସ ସିଷ୍ଟମ କାମ କରୁନଥିବା ଜଣାଇବା ।

ଡ୍ରୋନ ଓ ଗୋଳାବାରୁଦ ଯୋଗାଣର ଥିଲା ରାସ୍ତା
ରିପୋର୍ଟ ଅନୁସାରେ ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷିଆ ଲାଗି କାସ୍ପିଆନ ସାଗରରେ ଥିବା ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥିଲା। ୨୦୨୩ର ତଥ୍ୟ ଅନୁସାରେ ଇରାନ ଏହି ଜଳମାର୍ଗରେ ଋଷିଆକୁ ୩ଲକ୍ଷରୁ ଅଧିକ ଆର୍ଟିଲରୀ ସେଲ ଓ ପାଖାପାଖି ୧୦ଲକ୍ଷ ରାଉଣ୍ଡ ଗୋଳା ବାରୁଦ ପଠାଇଛି। ଋଷୀୟ ଏକ୍ସପର୍ଟ ନିକୋଲ ଗ୍ରେଜୱସ୍କି କହିଛନ୍ତି ଯେ ଏହି ପୋର୍ଟ ଇରାନୀ ଡ୍ରୋନର ଏକ ମୁଖ୍ୟ ହବରେ ପରିଣତ ହୋଇଥିଲା।

ଇରାନର ଖାଦ୍ୟପଦାର୍ଥ ଓ ବିଦ୍ୟୁତ ଯୋଗାଣ ଉପରେ ପଡିବ ପ୍ରଭାବ
କାସ୍ପିଆନ ସାଗରରେ ଥିବା ନୌସେନା ଘାଟି ଉପରେ ଇସ୍ରାଏଲ ଆକ୍ରମଣର ପ୍ରଭାବ ଇରାନର ଅତ୍ୟାବଶକୀୟ ସାମଗ୍ରୀ ଉପରେ ପଡିପାରେ। କାରଣ ଏହି ଜଳ ମାର୍ଗରେ ଋଷିଆରୁ ଗହମ ଭଳି ଜରୁରି ସାମଗ୍ରୀ ମଧ୍ୟ ଆସୁଥିଲା। ଏହି ସମୟରେ ଇସ୍ରାଏଲ ଇରାନର ସାଉଥ ପାର୍ସରେ ଥିବା ନ୍ୟାଚୁରାଲ ଗ୍ୟାସ ଫିଲ୍ଡ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଏହି ଗ୍ୟାସ୍ ଫିଲ୍ଡ ବିଦ୍ୟୁତ ଉତ୍ପାଦନ ଓ ସାର ତିଆରି ପାଇଁ ଅତ୍ୟନ୍ତ ଜରୁରି। ଏବେ ଡ୍ରୋନ ଓ ଗହମ ଯୋଗାଣ ଅଟକିଯିବା ପରେ ଇରାନ ଉପରେ ଗୁରୁତର ପ୍ରଭାବ ପଡିବ।