ଭୁବନେଶ୍ବର ୨୨।୭: AI କରିବ ସରକାରୀ କାମ । ChatGPT Plus, Google AI Pro, Google One କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ । ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ଏବଂ AI ସେବା ପାଇଁ ଆର୍ଥିକ ମଞ୍ଜୁରୀ ଲୋଡ଼ିଲା ବିଭାଗ ।

ଓଡ଼ିଶା ସରକାରଙ୍କ ବିଭିନ୍ନ ଦପ୍ତରରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଉଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY)ର ପ୍ରକଳ୍ପ ପରିଚାଳନା, ଅନଲାଇନ୍ ସମୀକ୍ଷା ଏବଂ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦ୍ରୁତ, ଆଧୁନିକ ଓ ତଥ୍ୟଭିତ୍ତିକ କରିବା ପାଇଁ ChatGPT Plus, Google AI Pro ଏବଂ Google One ଭଳି ପ୍ରିମିୟମ୍ ଡିଜିଟାଲ ସେବା କ୍ରୟ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏନେଇ ଇଞ୍ଜିନିୟର-ଇନ୍-ଚିଫ୍ (ଗ୍ରାମ୍ୟ କାର୍ଯ୍ୟ) କାର୍ଯ୍ୟାଳୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିକଟକୁ ଚିଠି ଲେଖି ଆବଶ୍ୟକ ପ୍ରଶାସନିକ ଅନୁମୋଦନ ଓ ଆର୍ଥିକ ମଞ୍ଜୁରି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

Also Read:- ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ, ଦକ୍ଷିଣମୋଡ଼ ନେଇଛି ୩ ରଥ

ସୂଚନା ଅନୁସାରେ, PMGSY ଅଧୀନରେ ରାଜ୍ୟରେ ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ସହ ଯୋଡ଼ାଯାଉଛି । ପ୍ରକଳ୍ପଗୁଡ଼ିକର ରିଅଲ୍-ଟାଇମ୍ ମନିଟରିଂ, ତଥ୍ୟ ବିଶ୍ଳେଷଣ ଓ ଦ୍ରୁତ ନିଷ୍ପତ୍ତି ଗ୍ରହଣ ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ସହିତ ପ୍ରତିଦିନ ବହୁ ପରିମାଣର ଡିଜିଟାଲ ତଥ୍ୟ ସୃଷ୍ଟି ହେଉଛି । ଉଚ୍ଚମାନର ସଡ଼କ ଆଲାଇନ୍ମେଣ୍ଟ ମାନଚିତ୍ର, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR), ନିର୍ମାଣ କାର୍ଯ୍ୟର ଫଟୋ, ଜିଓ-ଟ୍ୟାଗ୍ ରେକର୍ଡ ଓ ଆର୍ଥିକ ତଥ୍ୟର ପରିମାଣ ଦିନକୁ ଦିନ ବଢ଼ୁଥିବାରୁ ବର୍ତ୍ତମାନର ମାଗଣା ଡିଜିଟାଲ ସୁବିଧା ଆଉ ପର୍ଯ୍ୟାପ୍ତ ହେଉନାହିଁ ।

ଏଭଳି ପରିସ୍ଥିତିରେ ବିଭାଗ ପକ୍ଷରୁ ପ୍ରିମିୟମ୍ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ଓ AI ଆଧାରିତ କାର୍ଯ୍ୟ ସହାୟକ ସେବାକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ଦିଆଯାଇଛି। ବିଭାଗର ମତରେ, ChatGPT Plus ମାଧ୍ୟମରେ ବିଭିନ୍ନ ସରକାରୀ ଚିଠି, ରିପୋର୍ଟ, ଟିପ୍ପଣୀ ଓ ପ୍ରେଜେଣ୍ଟେସନ୍ ପ୍ରସ୍ତୁତି ଭଳି ଦୈନନ୍ଦିନ କାର୍ଯ୍ୟକୁ ଅଧିକ ଦ୍ରୁତ ଓ ଦକ୍ଷତାର ସହ ସମ୍ପନ୍ନ କରାଯାଇପାରିବ । ସେହିପରି Google AI Pro ଓ Google One ସେବା ମାଧ୍ୟମରେ ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଡାଟା ପରିଚାଳନା ଓ ଉନ୍ନତ ଅନଲାଇନ୍ ସହଯୋଗ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି ।