ଭୁବନେଶ୍ୱର: ରାଜ୍ୟରେ ଏବେ ଅସହ୍ୟ ଜାଡ଼ ଅନୁଭୂତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ରାଜ୍ୟର ଅଧିକାଂଶ ଭାଗରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଛି। ଆହୁରି ୨ ଦିନ ଶୀତ କଲବଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହର ହୋଇଛି। ରାଉରକେଲାର ପାରଦ ୩.୬ ଡିଗ୍ରୀ ରେକର୍ଡ ହୋଇଛି। ଉତ୍ତରାଖଣ୍ଡ ପନ୍ଥନଗର ପାରଦ ୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାଡ଼ଖଣ୍ଡ ଡାଲଟନଗଞ୍ଜ ପାରଦ ୩.୨ ଡିଗ୍ରୀ ଏବଂ ଉତ୍ତରପ୍ରଦେଶ ଆଲିଗଡ଼ ପାରଦ ୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ୨ ଦିନ ଲାଗି ରହିବ ଥଣ୍ଡାର ଥାର୍ଡ ଡିଗ୍ରି। ରାଜ୍ୟର ଅଧିକାଂଶ ଭାଗର ରାତି ତାପମାତ୍ର ୧୦ ଡିଗ୍ରି ତଳକୁ ଖସିଛି। ୨୫ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି। ଏଥିସହିତ ରାଜ୍ୟର ବିଭିନ୍ନ ଭାଗରେ ତୁଷାରପାତ ହୋଇଥିବା ବେଳେ ଶିମିଳିପାଳ ଏବଂ କନ୍ଧମାଳରେ ତାପମାତ୍ର ଶୂନ ଡିଗ୍ରି ତଳକୁ ଖସିଯାଇଛି। ଶିମିଳିପାଳରେ ପାରଦ ମାଇନସ୍୧° ଡିଗ୍ରୀକୁ ଖସିଲା ପାରଦ । ପ୍ରଚଣ୍ଡ ଥଣ୍ଟାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି। କରଞ୍ଜିଆ ଓ ଶିମିଳିପାଳରେ ତୁଷାର ପାତ ହୋଇଛି । ଜି ଉଦୟଗିରି ର ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିଲା ଠାରୁ ବୟସ୍କ ନିଆଁ ଲଗାଇ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପ୍ରୟାସ କରୁଛନ୍ତି। ଦୀର୍ଘ ଦେଢ଼ ମାସେ ହେଲାଣି କନ୍ଧମାଳର ବହୁ ଭାଗରେ ତାପମାତ୍ରା ପାଖାପାଖି ୫ ଡିଗ୍ରୀ ରହିଛି। ସୁନ୍ଦରଗଡରେ ଜିଲ୍ଲାର କୋଇଡା ଓ ଟେନେସାରେ ତୁଷାର ପାତ ସହ ପ୍ରବଳ ଶୀତ ହେଉଛି ।

ରାଜ୍ୟରେ ଏମିତି ଦାନ୍ତ କାମୁଡା ଶୀତ ଆହୁରି ୨ ଦିନ ଜାର ରହିବ। ପ୍ରବଳ ଶୀତ କୁ ନେଇ ଝାରସୁଗୁଡ଼, ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ କୋଲ୍ଡ ୱେଭ ଆଲର୍ଟ ଜାରି କରାଯାଇଛି। କାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳ ଏହି ୪ ଜିଲ୍ଲାକୁ ପ୍ରବଳ ଶୀତ ଲହରୀର ଆଲର୍ଟ ଜାରି କରାଯାଇଛି। ୧୦ ତାରିଖରେ ଯାଏ ଉପକୂଳ ରୁ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ଶୀତ ଲହରୀର ସତର୍କତା ଦେଇଛି ପାଣିପାଗ ବିଭାଗ। ସେପଟେ ରାଜ୍ୟର କିଛି ଭାଗରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇପାରେ। ଘନକୁହୁଡ଼ି କୋହଲା ପବନ ଏବଂ ପ୍ରବଳ ଶୀତ ଯୋଗୁଁ ବହୁ ଲୋକ ଥଣ୍ଡା ରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳିଛି।