ଲଣ୍ଡନ, ୨୦|୦୭ହିଟମ୍ୟାନ୍ ରୋହିତ ଶର୍ମା । ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ । ତାଙ୍କ ନେତୃତ୍ୱରେ ବଡ ବଡ ଟାଇଟଲ୍ ହାତେଇଛି ଟିମ୍ ଇଣ୍ଡିଆ । ନିଜେ ସେ ହାସଲ କରିଛନ୍ତି ଅନେକ ମାଇଲଷ୍ଟୋନ୍ । ଭାଙ୍ଗିଛନ୍ତି ଅନେକ ରେକର୍ଡ । କିନ୍ତୁ ଗତ କିଛି ଦିନ ହେଲା ତାଙ୍କ ଅବସର ନେଇ ଚର୍ଚ୍ଚା ଜୋର୍ ଧରିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ବିଫଳ ହେଲା ପରେ ସେ ଅବସର ନେବେ ବୋଲି ଖବର ଆସିଲା । ଲର୍ଡସରେ ଖେଳାଯିବାକୁ ଥିବା ତୃତୀୟ ଦିନିକଆ ତାଙ୍କର ଶେଷ ମ୍ୟାଚ୍ ବୋଲି କିଏ କହିଲେ । ଏପରିକି କୋଚ୍ ଗୌତମ ଗମ୍ଭୀର ଏବଂ ସିଲେକ୍ଟର ଅଜିତ ଅଗରକର ରୋହିତଙ୍କୁ ପସନ୍ଦ କରୁନଥିବା ଶୁଣିବାକୁ ମିଳେ । ହେଲେ ରୋହିତ ସମସ୍ତଙ୍କ ପାଟି ଚୁପ୍ କରିଦେଇଛନ୍ତି । ଏକମାତ୍ର ଭାରତୀୟ ଖେଳାଳି ଭାବେ ସେ ଲର୍ଡସରେ ହାସଲ କରିଛନ୍ତି ଶତକ । ନିଜ ଷ୍ଟାଇଲରେ ଦେଇଛନ୍ତି ଜବାବ । ବନ୍ଦ କରିଦେଇଛନ୍ତି ସମସ୍ତଙ୍କ ମୁହଁ ।

ଖବର ଆସୁଛି ଯେ, ରୋହିତଙ୍କ ବ୍ୟାଟିଂ ଏବଂ ଶତକ ଦେଖି କ୍ରିକେଟପ୍ରେମୀ ପୁରା ଖୁସ୍ । ତାଙ୍କଠୁ କିଛି ଏପରି ଇନିଂସ ଆଶା କରୁଥିଲେ ପ୍ରଶଂସକ । ଯାହା ସେମାନେ ପାଇଛନ୍ତି । ତଥାପି ଗମ୍ଭୀର ଏବଂ ଅଗରକର ଖୁସି ନାହାଁନ୍ତି । ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ, ରୋହିତ ନିଜର ବେଷ୍ଟ୍ ଶେଷ ମ୍ୟାଚରେ ଦେଉଛନ୍ତି । ୨୦୨୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଶେଷ ମ୍ୟାଚରେ ୧୨୧ କରିଥିଲେ । ଏହାପରେ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆରେ ୭୫, ଆଫଗାନିସ୍ଥାନ ବିପକ୍ଷରେ ଗତ ଜୁନରେ ୭୯ ରନ୍ ସ୍କୋର୍ କରିଥିଲେ । ଏବେ ଇଂଲଣ୍ଡ ବିପକ୍ଷରେ ସେମିତି କିଛି ଦେଖିବାକୁ ମିଳିଛି ।

ରୋହିତ ଏବେ କେବଳ ଦିନିକିଆ ଖେଳୁଛନ୍ତି । ସେ ଟି୨୦ ଏବଂ ଟେଷ୍ଟ୍ ଫର୍ମାଟରୁ ଅବସର ନେଇ ସାରିଛନ୍ତି । କିନ୍ତୁ ଲର୍ଡସ ତାଙ୍କର ଶେଷ ଦିନିକିଆ ନୁହେଁ ବୋଲି ସ୍ପଷ୍ଟ ହୋଇ ସାରିଛି । ଅନ୍ୟ ଦିଗରେ ରୋହିତ ସଦାବେଳେ ଦଳ କଥା ଭାବନ୍ତି । ନିଜ ରେକର୍ଡଠୁ ଦଳର ବିଜୟକୁ ଅଧିକ ଫୋକସ କରନ୍ତି । ତାଙ୍କ ଶତକ ସତ୍ତ୍ୱେ ଭାରତ ହାରିଛି ।

Also Read :- ନିଜ ବ୍ୟାଟରେ କାହିଁକି ବ୍ୟାଟିଂ କଲେନି ରୋହିତ ଶର୍ମା ? ଏହି ଖେଳାଳିଙ୍କଠୁ ଆଣି ଲଗାଇଦେଲେ ଶତକ

ଆଗକୁ ଖେଳିବେ ରୋହିତ

ରବିବାର ରୋହିତ ଇଂଲଣ୍ଡ ବିପକ୍ଷରେ ୧୩୮ ରନର ଇନିଂସ ଖେଳିଛନ୍ତି । ଦିନିକିଆ ବିଶ୍ୱକପକୁ ଆଉ ୧୫ ମାସ ବାକି ରହିଛି । ରୋହିତଙ୍କୁ ଭରସା କରିବେ କି ଗମ୍ଭୀର ଏବଂ ଅଜିତ ଅଗରକର । ଏପରି କିଛି ପ୍ରଶ୍ନ ଏବେବି ମନରେ ଆସୁଛି । କାରଣ ପୂର୍ବରୁ ଅଗରକର ରୋହିତଙ୍କୁ ନେଇ ଅନେକ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି । ତେଣୁ ଗୋଟିଏ ଇନିଂସ ଗମ୍ଭୀର ଏବଂ ଅଗରକରଙ୍କ ମନକୁ ପରିବର୍ତ୍ତନ କରିଦେବ ବୋଲି କହିହେବ ନାହିଁ । ଆସନ୍ତା ବର୍ଷ ରୋହିତ ୪୦ ବର୍ଷରେ ପାଦ ଦେବେ । ଏବେବି ସେ ଦଳ ପାଇଁ ବୋଝ ନୁହେଁ ବୋଲି ପ୍ରମାଣ ଦେଇ ସାରିଛନ୍ତି । ତାଙ୍କ ଜାଗାରେ ଦଳ ଯଶସ୍ୱୀ ଜୟସ୍ୱାଲଙ୍କୁ ଖେଳାଇବାକୁ ଚାହୁଁଛି । କିନ୍ତୁ ଲର୍ଡସରେ ରୋହିତ, ବିରାଟ ଏବଂ ଶୁଭମନ ଗିଲଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଟିଂ କରିପାରିନଥିଲେ । ଦଳର ମିଡିଲ୍ ଅର୍ଡର ଫେଲ୍ ମାରିଥିଲା । ଏଥିରୁ ଏବେବି ଭାରତ ପାଇଁ ବିରାଟ ଏବଂ ରୋହିତ ଆବଶ୍ୟକ ବୋଲି ବିସିସିଆଇ ବୁଝିପାରିବ ବୋଲି ଫ୍ୟାନ୍ସମାନେ କହୁଛନ୍ତି ।