କୋଲକାତା, ୦/୦୪ : ଅଙ୍କା ବଙ୍କା ଭାରତୀୟ ସୀମା । ଆମ ଦେଶ ୬ଟି ପଡୋଶୀ ଦେଶର ସୀମା ସହ ଲାଗିଛି । ସବୁଠାରୁ ଅଧିକ ବାଂଲାଦେଶ ସହିତ । ହଜାର ହଜାର କିଲୋମିଟରର ବର୍ଡର । ଯାହାକୁ ଜଗିବା ସହଜ କଥା ନୁହେଁ । ଅର୍ଦ୍ଧାଧିକ ଅଞ୍ଚଳ ପାହାଡ ଏବଂ ଜଙ୍ଗଲରେ ଘେରି ହୋଇ ରହିଛି । ଆଉ କିଛି ଜାଗାରେ ନଦୀ ହିଁ ନିର୍ଧାରଣ କରୁଛି ସୀମା ରେଖା । ତେଣୁ ସୀମା ସୁରକ୍ଷା ବଳ ପାଇଁ ଏହା ବଡ ଚ୍ୟାଲେଞ୍ଜ୍ ।

ସଦାବେଳେ ଚର୍ଚ୍ଚାରେ ରହିଥାଏ ଭାରତ ଏବଂ ବାଂଲାଦେଶ ବର୍ଡର । କାରଣ ବାଂଲାଦେଶୀ ଅନୁପ୍ରବେଶକାରୀ ଲୁଚି ଛପି ସୀମା ପାର୍ କରି ଭାରତ ଆସିଯାଆନ୍ତି । ଅପରାଧ ଘଟାନ୍ତି । ଏପରିକି ଗୋଚାଲାଣ ସହ ଡ୍ରଗ୍ସ ଏବଂ ବନ୍ଧୁକ କାରବାର ବାଂଲାଦେଶ ସୀମା ଦେଇ ହୋଇଥାଏ । ଯାହାକୁ ଚେକ୍ ଦେବା ପାଇଁ ଏବେ ସରକାର ନୂଆ ପଦକ୍ଷେପ ହାତକୁ ନେଇଛନ୍ତି ।

ଦି ଫେଡେରାଲର ରିପୋର୍ଟରେ ବଡ କଥା

ଦି ଫେଡେରାଲର ରିପୋର୍ଟ ଅନୁସାରେ, ସରକାର ସୀମା ଜଗିବା ପାଇଁ ଏକ ଅଣପାରମ୍ପରିକ ଉପାୟ ଅବଲମ୍ବନ କରିବାକୁ ଯାଉଛନ୍ତି । ଏଠାରେ ସୀମାରେ ବିଭିନ୍ନ ସରୀସୃପଙ୍କୁ ମୁତୟନ କରାଯିବ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ କିଛି ଏପରି ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି ସରକାର । କୁହାଯାଉଛି ଯେ, ସୀମୀ ନିକଟରେ କୁମ୍ଭୀର ଏବଂ ବିଷଧର ସାପଙ୍କୁ ଛଡା ଯିବ । ବିଭିନ୍ନ ନଦୀ ଅଞ୍ଚଳରେ ଏହି ସରୀସୃପଙ୍କୁ ଛଡାଯିବ । ଯେଉଁଠି ତାର ବାଡ଼ ଦିଆଯିବା ସମ୍ଭବ ନୁହେଁ ସେଠାରେ ଏହି ପନ୍ଥା ଆପଣାଯିବ ।

କେନ୍ଦ୍ରମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ନୂଆ ପ୍ରୟାସ

ରିପୋର୍ଟରେ ଆହୁରି ଉଲ୍ଲେଖ ଅଛି ଯେ, ଏହି ପଦକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି । ଏହାକୁ ବିଏସଏଫ ଚୂଡାନ୍ତ ରୂପ ଦେବ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ୪୦୯୬ କିଲୋ ମିଟରର ସୀମା ରହିଛି । ଏହା ମଧ୍ୟରୁ ୧୭୫ କିଲୋମିଟର ସୀମାକୁ ନଦୀ ଏବଂ ସନ୍ତସନ୍ତିଆ ଜାଗା ହିଁ ଭାଗ କରିଥାଏ । ଯେଉଁଠି ତାରବାଡ଼ ଦେବା ଅସମ୍ଭବ ବ୍ୟାପାର ।

ଦିଲ୍ଲୀରେ ଜରୁରୀ ବୈଠକ

ଦି ଫେଡେରାଲ ଆହୁରି କହିଛି ଯେ, ଦିଲ୍ଲୀରେ ଗୃହ ମନ୍ତ୍ରାଳୟର ଅଧିକାରୀ ଏବଂ ବିଏସଏଫର କିଛି ବରିଷ୍ଠ ଅଧିକାରୀ ଜରୁରୀ ବୈଠକ କରିଥିଲେ । ଏଥିରେ ସୀମା ସୁରକ୍ଷା ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନେକ ସମୟରେ ଭାରତର ପୂର୍ବ ସୀମାରେ ବିଏସଏଫ୍ ନାନା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାଏ । କେତେବେଳେ କମ୍ ଯବାନ ମୁତୟନ ହୋଇଥାନ୍ତି । ଆଉ କେତେବେଳେ ସୀମା ନିକଟରେ ଥିବା ଗାଁ ଅନୁପ୍ରବେଶକାରୀଙ୍କୁ ଫାଇଦା ଦେଇଥାଏ । ଯାହା ଉପରେ ଏବେ ରୋକ୍ ଲଗାଇବାର ଆବଶ୍ୟକତା ରହିଥିବା ଅଧିକାରୀ ଆଲୋଚନା କରିଛନ୍ତି ।

ସହଜ ନୁହେଁ ପଦକ୍ଷେପ

ସାପ ଏବଂ କୁମ୍ଭୀର ଛାଡିବା ଘଟଣାକୁ ନେଇ ଅନେକ କେଁ ରହିଛି । ପ୍ରଥମେ ଏହାକୁ ନୈତିକ ଦୃଷ୍ଟିକୋଣରୁ ବିଚାର କରାଯିବ । ପରେ ଆଖପାଖରେ ରହୁଥିବା ଲୋକ ଏବଂ ପରିବେଶର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯଦି ସରକାର ନୂଆ ପଦକ୍ଷେପକୁ ସଫଳ ଭାବେ ରୂପାୟନ କରନ୍ତି ତେବେ ଅନୁପ୍ରବେଶ ଅନେକ ମାତ୍ରାରେ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।