କୋଲକାତା: ବେଙ୍ଗଲୀ ସିନେମାର ଜଣାଶୁଣା ନିର୍ଦ୍ଦେଶକ ରାଜା ସେନ ଅଚାନକ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ କୋଲକାତାର ଏସ୍ଏସକେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୦ ବର୍ଷ ବୟଷ୍କ ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରୁଛନ୍ତି। ଚଳଚିତ୍ର ଜଗତ ସମ୍ପର୍କିତ ସୂତ୍ର ଅନୁସାରେ ‘ଆତ୍ମିୟସ୍ୱଜନ’ ଓ ‘ଲ୍ୟବରେଟରୀ’ ଭଳି ଫିଲ୍ମର ଚର୍ଚ୍ଚିତ ନିର୍ଦ୍ଦେଶକ ଗତ କିଛି ବର୍ଷ ହେଲା ବୟସବୃଦ୍ଧି ଜନିତ ଶାରୀରିକ ସମସ୍ୟା ସମେତ ଅନ୍ୟ ଶାରୀରିକ ଜଟିଳତା ଭୋଗି ଆସୁଛନ୍ତି। ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଛି।

ରାଜା ସେନ୍ ୧୯୮୦ ଦଶକରେ ଟେଲିଭିଜନ ମାଧ୍ୟମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ‘ସୁବର୍ଣ୍ଣ ଲତା’, ‘ଆଦର୍ଶ ହିନ୍ଦୁ ହୋଟେଲ’ ଓ ‘ଆରୋଗ୍ୟ ନିକେତନ’ ଭଳି ଲୋକପ୍ରିୟ ବେଙ୍ଗଲୀ ଧାରାବାହିକର ନିର୍ଦ୍ଦେଶନା ଦେଇ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଏହା ପରେ ସେ ଫିଚର ଫିଲ୍ମ ଆଡକୁ ମୁହାଁଇଥିଲେ। ଏଥିରେ ତାଙ୍କ ପ୍ରଥମ ଚଳଚିତ୍ର ‘ଦାମୁ’ କୁ ସର୍ବଶ୍ରେଷ୍ଠ ଶିଶୁ ଚଳଚିତ୍ରର ଜାତୀୟ ପୁରସ୍କାର ମିଳିଥିଲା। ସେହିପରି ପରିବାର କଲ୍ୟାଣ ଉପରେ ଆଧାରିତ ତାଙ୍କ ଫିଲ୍ମ ‘ଆତ୍ମିୟ ସ୍ୱଜନ’କୁ ସର୍ବଶ୍ରେଷ୍ଠ ଚଳଚିତ୍ରର ଜାତୀୟ ପୁରସ୍କାର ମିଳିଥିଲା। ନିଜ କ୍ୟାରିୟରରେ ମୋଟ ୩ଟି ଜାତୀୟ ପୁରସ୍କାର ପାଇଥିବା ରାଜା ସେନ ‘ଦେଶ’, ‘ଦେବୀପକ୍ଷ’, ‘ଖାଞ୍ଚା’ ଓ ‘ମାୟା ମୃଦଙ୍ଗ’ ଭଳି ଅନେକ ଲୋକପ୍ରିୟ ଫିଲ୍ମ ନିର୍ମାଣ କରିଛନ୍ତି।

ତେବେ ରାଜା ସେନଙ୍କ ଅଚାନକ ସ୍ୱାସ୍ଥ୍ୟାବସ୍ଥା ବେଙ୍ଗଲୀ ଫିଲ୍ମ ଉଦ୍ୟୋଗକୁ ଚିନ୍ତାରେ ପକାଇ ଦେଇଛି। ଟାଲିଗଞ୍ଜର ଅନେକ କଳାକାର ଓ ନିର୍ଦ୍ଦେଶକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ହସ୍ପିଟାଲରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ସ୍ୱାସ୍ଥ୍ୟ ମାପଦଣ୍ଡର ଲଗାତାର ସମୀକ୍ଷା କରୁଛନ୍ତି। ସିନେମା ଜଗତ ସହିତ ଜଡିତ ଲୋକେ ଓ ତାଙ୍କ ପରିଜନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଲଗାତାର ସମ୍ପର୍କରେ ଅଛନ୍ତି ଓ ତାଙ୍କର ଶୀଘ୍ର ସୁସ୍ଥତା କାମନା କରୁଛନ୍ତି।