ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ 'ଗଦ୍ଦାର' କହି ସମ୍ୱୋଧିତ କରିଛନ୍ତି । ତାଙ୍କର ଏହି ବିବାଦୀୟ ବୟାନ ପରେ ଦେଶର ରାଜନୀତିରେ ବଡ଼ ହଇଚଇ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ନେତାଙ୍କ "ଗଦ୍ଦାର" ମନ୍ତବ୍ୟକୁ ନେଇ ଶାସକ ବିଜେପି ବୁଧବାର ତାଙ୍କ ଉପରେ କଡ଼ା ପ୍ରହାର କରିଛି । ବିଜେପି ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀଙ୍କ ବିରୋଧ କରିବା ପାଇଁ ରାହୁଲ ବିଦେଶୀଙ୍କ ହାତରେ କଣ୍ଢେଇ ପାଲଟିଛନ୍ତି । ତାଙ୍କ ରିମୋର୍ଟ କଣ୍ଟ୍ରୋଲ ପାକିସ୍ତାନ ହାତରେ ରହିଛି । ରାହୁଲଙ୍କ ବୟାନ ଉପରେ ପାଲଟା ଜବାବ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅରାଜକତାବାଦୀ ମାନସିକତାର ପ୍ରତୀକ ଦର୍ଶାଇଛନ୍ତି । ନିତିନ ନବୀନ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଦେଶର ୧୪୦ କୋଟି ଲୋକଙ୍କ ଅପମାନ ଅଟେ । ସେ କହିଛନ୍ତି, ଏଥିପାଇଁ ରାହୁଲ ଗାନ୍ଧୀ ଦେଶକୁ କ୍ଷମା ମାଗିବା ଦରକାର ।

ବିଜେପି ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି, ମୋତେ ଲାଗୁଛି ସେ ନିଜ ମାନସିକ ସନ୍ତୁଳନ ହରାଇ ବସିଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଯେଉଁ ବ୍ୟକ୍ତି ଆତଙ୍କୀ ଘଟଣା ଉପରେ ଲଗାମ ଲଗାଇଛନ୍ତି, ନକ୍ସଲବାଦକୁ ଶେଷ କରିଛନ୍ତି, ତ୍ରିରଙ୍ଗାର ସମ୍ମାନକୁ ବଢାଇଛନ୍ତି, ଏପରି ଜଣେ ବ୍ୟକ୍ତିଙ୍କ ପାଇଁ ଆପଣ ଏପରି ଶବ୍ଦର ବ୍ୟବହାର କରିବ ? ରାହୁଲ ଗାନ୍ଧୀ ଦେଶର ଜନତାଙ୍କୁ କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି ।

ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗଦ୍ଦାର ଶବ୍ଦ ବ୍ୟବହାର କରି ଦେଶବାସୀଙ୍କ ଅପମାନ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ରିମୋର୍ଟ କଣ୍ଟ୍ରୋଲ ପାକିସ୍ତାନ ଏବଂ ଅନ୍ୟ ରାଷ୍ଟ୍ର ବିରୋଧୀ ଶକ୍ତିଙ୍କ ହାତରେ ରହିଛି । ସେହିପରି ବିଜେପିର ଅନ୍ୟ ଜଣେ ମୁଖପାତ୍ର ସେହଜାଦ ପୁନାୱାଲା ମଧ୍ୟ ରାହୁଲଙ୍କୁ ଘେରିଛନ୍ତି । ସେ କହିଛନ୍ତି, କଂଗ୍ରେସ ନିଜକୁ ‘ମୋହବତ୍ କି ଦୁକାନ’ ବୋଲି ଦାବି କରୁଛି, କିନ୍ତୁ ଏହା ତାଙ୍କର ପ୍ରକୃତ ପରିଚୟ । ସେ ସବୁବେଳେ ପିଏମ୍ ମୋଦୀଙ୍କୁ ଅସମ୍ମାନ କରିଛନ୍ତି, ଏବଂ ତାଙ୍କ ମାଆଙ୍କ ବି ଅପମାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଓବିସି ପୃଷ୍ଠଭୂମିରୁ ଆସୁଛନ୍ତି, ତେଣୁ ସବୁବେଳେ ତାଙ୍କୁ ଅପମାନ କରାଯାଉଛି ।

କ'ଣ କହିଥିଲେ ରାହୁଲ ଗାନ୍ଧୀ ?

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ରରେ ରାୟବରେଲିରେ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଥିଲେ । ରାହୁଲ କହିଥିଲେ, 'ଯେତେବେଳେ ଆରଏସଏସ କାର୍ଯ୍ୟକର୍ତ୍ତା ଆପଣଙ୍କ ସାମନାକୁ ଆସି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ କଥା କହିବେ, ସେତେବେଳେ ଆପଣ କହିବେ ପ୍ରଧାନମନ୍ତ୍ରୀ ଗଦ୍ଦାର, ଗୃହ ମନ୍ତ୍ରୀ ଗଦ୍ଦାର, ଆପଣଙ୍କ ସଂଗଠନ ଗଦ୍ଦାର, ଆପଣ ଭାରତକୁ ବିକ୍ରି କରିବାର କାମ କରୁଛନ୍ତି ।'