ଭୁବନେଶ୍ବର ୧୯।୯: ତୃଣମୂଳ ସ୍ତରରେ କ୍ରୀଡ଼ାର ପ୍ରସାର ଏବଂ ବିଦ୍ୟାଳୟର ପିଲାମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ରିଲାଏନ୍ସ ଫାଉଣ୍ଡେସନର ପଦକ୍ଷେପ । ଢେଙ୍କାନାଳର ୯ଟି ସରକାରୀ ବିଦ୍ୟାଳୟର ୧୧୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ସ୍ଥିତ 'ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର'କୁ ଏକ ସ୍ୱତନ୍ତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କ୍ରମରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ୫୮ ଜଣ ଛାତ୍ରୀ ଏବଂ ୫୭ ଜଣ ଛାତ୍ରଙ୍କୁ ନେଇ ଗଠିତ ଏକ ପ୍ରଫେସନାଲ କ୍ରୀଡ଼ା ପରିବେଶର ଅନୁଭୂତି ଲାଭ କରିଥିଲେ । ଦୌଡ଼, ଲଙ୍ଗ୍ ଜମ୍ପ୍ ଓ ଜାଭେଲିନ୍ ଥ୍ରୋ ଭଳି ତିନୋଟି ଆଥଲେଟିକ୍ସ ବର୍ଗରେ ଆୟୋଜିତ ଏକ ପ୍ରଦର୍ଶନ-ଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପିଲାମାନଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବା ସହିତ ସେମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା, ଆତ୍ମବିଶ୍ୱାସ, ଦଳଗତ ମନୋଭାବ ଓ କ୍ରୀଡ଼ାସୁଲଭ ମନୋଭାବର ବିକାଶକୁ ଉତ୍ସାହିତ କରିବା ଏବଂ ଆଥଲେଟିକ୍ସ ବା ଦୌଡକୁଦ କ୍ଷେତ୍ରରେ ସେମାନଙ୍କର ଆଗ୍ରହ ଓ ପ୍ରତିଭାକୁ ଚିହ୍ନଟ ତଥା ବିକଶିତ କରିବାରେ ସହାୟତା କରିବା ।

Also Read:- ତିରୁପତି ଲଡୁ ଘିଅରେ ପାମ୍ ଅଏଲ୍ ମିଶ୍ରଣ ଅଭିଯୋଗ, ସୁକୃତି ଫୁଡ୍ସର ପ୍ରମୋଟରଙ୍କୁ ଗିରଫ କଲା ଇଡି

ଏହି ପରିଦର୍ଶନ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ମାଧ୍ୟମରେ ପିଲାମାନଙ୍କ ପାଇଁ ଆନନ୍ଦ ଓ ସେମାନଙ୍କ ପ୍ରତିଭା ଆବିଷ୍କାରର ସୁଯୋଗ ସୃଷ୍ଟି କରିବା ଦିଗରେ ରିଲାଏନ୍ସ ଫାଉଣ୍ଡେସନର ବ୍ୟାପକ ପ୍ରତିଶ୍ରୁତିବଦ୍ଧତାର ଏକ ଅଂଶ ଅଟେ । କ୍ରୀଡ଼ାକୁ ଶ୍ରେଣୀଗୃହର ସୀମା ବାହାରକୁ ନେଇ, ଏହି ପଦକ୍ଷେପ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ସେମାନଙ୍କର ସର୍ବାଙ୍ଗୀନ ବିକାଶରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛି ।

କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ 'ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର' ଓଡ଼ିଶା ସରକାରଙ୍କ ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ହେଉଛି, ଯାହା ରାଜ୍ୟରେ ଆଥଲେଟିକ୍ସ ପ୍ରତିଭା ବିକାଶ ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶରେ ସହାୟତା ପ୍ରଦାନ କରୁଛି ।