କେନ୍ଦୁଝର,୦୭/୦୮ବର୍ଷ ବର୍ଷ ଧରି ବନ୍ୟପ୍ରାଣୀ ବିଶେଷ କରି ହାତୀକୁ ହଇରାଣ କରିବା ଓ ତା'ସହିତ ରିଲସ୍ କରି ସୋସାଆଲ ମିଡ଼ିଆରେ ପ୍ରଭାବ ସୃଷ୍ଟି କରିବା ମହଙ୍ଗା ପଡିଛି । କେନ୍ଦୁଝର ବନବିଭାଗ ପକ୍ଷରୁ ଜଣେ ନାବାଳକକୁ ଧରି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ନିକଟରେ ହାଜର କରାଇଛି। ଉକ୍ତ ନାବାଳକଙ୍କ ଘର ଚମ୍ପୁଆ ବନାଞ୍ଚଳ ପାଞ୍ଚପୋଖରୀଆ ଗ୍ରାମରେ ବୋଲି ଜଣାପଡିଛି ।

ଏହି ନାବାଳକ ବର୍ଷ ବର୍ଷ ଧରି ହାତୀ ପଛରେ ଲଗାତାର ଲାଗୁଥିଲା। କେନ୍ଦୁଝର ସଦର,ପାଟଣା,ଚମ୍ପୁଆ ବନାଞ୍ଚଳରେ ହାତୀମାନଙ୍କୁ ହଇରାଣ କରି ଆସୁଥିଲା। ଏପରିକି ହାତୀମାନଙ୍କ ଲାଞ୍ଜ ଟାଣିବା,ଦାନ୍ତ ଧରିବା ଏବଂ ସେହି ସମୟର ଭିଡିଓ କରି ଅଧିକ ଭିୟୁ,ଲାଇକ୍ ପାଇଁ ସୋସିଆଲ ମିଡ଼ିଆରେ ଛାଡି ଅର୍ଥ ରୋଜଗାର କରିବା ନିଶା ପାଲଟିଥିଲା । ବନ୍ୟ ପ୍ରାଣୀଙ୍କ ସହିତ ରିଲସ୍ କରି ସୋସିଆଲ ମିଡିଆରେ ଛାଡିଲେ ଅଧିକ ଲୋକେ ଏହାକୁ ଦେଖୁଥିବାରୁ ମୋଟାଅଙ୍କର ଅର୍ଥ ମଧ୍ୟ ରୋଜଗାର କରୁଥିଲେ।

ଅନେକ ସମୟରେ ବିପଦ ଆଶଙ୍କା ରହିଥିଲେ ମଧ୍ୟ ନାବାଳକ ଜଣଙ୍କ ହାତୀ ମାନଙ୍କୁ ଅନେକ ଦିନରୁ ହଇରାଣ କରି ଆସୁଥିଲେ । ପୂର୍ବରୁ ତାଙ୍କୁ ବନବିଭାଗ ବାରମ୍ବାର ସତର୍କ କରି ଆସୁଥିବା ବେଳେ ଅନେକ ସମୟରେ ଅଟକ ରଖି ଚେତାବନୀ ଦେଇ ଛାଡି ଦେଉଥିଲା । କିଛିଦିନ ତଳେ କେନ୍ଦୁଝର ସଦର ବନାଞ୍ଚଳରେ ମଧ୍ୟ ତାଙ୍କ ନାଁରେ ଏକ ମାମଲାରୁଜୁ କରାଯାଇଛି। ଏହି ମାମଲା ପରେ ସେ ଫେରାର ରହିଥିବା ବେଳେ ନିକଟରେ ଏକ ଦନ୍ତାହାତୀ ସହିତ ସେଲ୍ଫି ନେବା ଏବଂ ଦାନ୍ତକୁ ବାରମ୍ବାର ଆଘାତ ପହଞ୍ଚାଇବା ଏକ ଭିଡିଓ ବନ ବିଭାଗର ହସ୍ତଗତ ହୋଇଥିଲା । ଏହି ଘଟଣାରେ ନାବାଳକକୁ ବନବିଭାଗ ନିଜ ହେପାଜତକୁ ନେଇ ଅଦାଲତରେ ହାଜର କରାଇଛି।

Also Read:- ଗାଜାରେ ଓହ୍ଲାଇବେ ୨ ଦେଶର ସେନା ! ଟେନସନରେ ଇସ୍ରାଏଲ

ପୂର୍ବରୁ ଏହି ନାବାଳକର ସହଯୋଗୀ ୨ ଜଣ ଚମ୍ପୁଆ ଥାନା ପାଞ୍ଚପୋଖରିଆ ଗ୍ରାମର ମିହିର କୁମାର ନାଏକ (୨୧ ବର୍ଷ) ଏବଂ ଯୋଡା ଥାନା ନୟାକିଶନପୁର ନିକଟସ୍ଥ ଏକ ଗ୍ରାମର ବିଜୟ କୁମାର ମହାନ୍ତ (୨୨ ବର୍ଷ )ଙ୍କୁ କେନ୍ଦୁଝର ସଦର ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇଛି। ସେମାନଙ୍କୁ ସଦର ରେଞ୍ଜର ମୈଦାନକେଲା ବିଟ୍ ଅନ୍ତର୍ଗତ ଜାମୁନାଳିଆ ଗ୍ରାମ ନିକଟବର୍ତ୍ତୀ ପଦ୍ମପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପଥର ଫିଙ୍ଗି ଏବଂ ଭିଡିଓ ରେକର୍ଡିଂ କରି ହାତୀପଲକୁ ହଇରାଣ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ଘଟଣାରେ ନାବାଳକ ଜଡିତ ଥିଲେ ମଧ୍ୟ ସେ ଫେରାର ରହିଥିଲେ ।