ନୂଆଦିଲ୍ଲୀ, ୨୮। ୦୭ :ଭାରତୀୟ ଆର୍ଥିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ (RBI) ପକ୍ଷରୁ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ବା ପଲିମର ନୋଟ୍ ପ୍ରଚଳନ ପାଇଁ କ୍ଷେତ୍ରୀୟ ପରୀକ୍ଷା କରାଯିବ I ଏନେଇ ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି।

ଆରବିଆଇର ଏହି ପରୀକ୍ଷଣ ଅଧୀନରେ ୧୦ ଟଙ୍କା ଏବଂ ୨୦ ଟଙ୍କିଆ ନୋଟ୍ ପ୍ରତ୍ୟେକର ୧୦୦ କୋଟି ପିସ୍ ବଜାରକୁ ଅଣାଯିବ, ଯାହାର ମୋଟ ମୂଲ୍ୟ ୩,୦୦୦ କୋଟି ଟଙ୍କା ହେବ। ତେବେ ବର୍ତ୍ତମାନ ଅନେକ ଲୋକମାନଙ୍କ ମନରେ ଏକ ସାଧାରଣନ ପ୍ରଶ୍ନ ଆସିପାରେ କଣ କାଗଜ ନୋଟ୍ ବନ୍ଦ ହେଇଯିବକି ? ସରକାର ଏନେଇ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ଲାଷ୍ଟିକ୍ ନୋଟ୍ ଗୁଡ଼ିକ କାଗଜ ନୋଟ୍ ସହିତ ସମାନ ଭାବରେ ଚଳାଚଳ କରିବ। କାଗଜ ନୋଟକୁ ପ୍ଲାଷ୍ଟିକ୍ ନୋଟ୍ ଦ୍ୱାରା ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ ବର୍ତ୍ତମାନ ସମୟରେ ନାହିଁ।

ତେବେ କାଗଜ ନୋଟର ପ୍ରଚଳନ ଚାଲିଥିବା ବେଳେ ସରକାର କାହିଁକି ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ଆଣିବାକୁ ଚାହିଁଲେ ? ତଥ୍ୟ ଅନୁଯାୟୀ, ୧୦ ଓ ୨୦ ଟଙ୍କିଆ ନୋଟ୍ ଗୁଡ଼ିକ ସମସ୍ତ ମୁଦ୍ରା ନୋଟ୍ର ସଂଖ୍ୟା ଦୃଷ୍ଟିରୁ ପ୍ରାୟ ଚତୁର୍ଥାଂଶ ଅଟେ, କିନ୍ତୁ ପ୍ରଚଳନରେ ଥିବା ମୋଟ ମୂଲ୍ୟର ଏହା ମାତ୍ର ୧.୩ ପ୍ରତିଶତ ଅଟେ।

ଅଷ୍ଟ୍ରେଲିଆରେ ପ୍ରଥମେ ୧୯୮୮ ମସିହାରେ ପ୍ଲାଷ୍ଟିକ୍ ନୋଟ୍ ଜାରି କରାଯାଇଥିବାବେଳେ ବର୍ତ୍ତମାନ ବିଶ୍ୱର ୫୦ରୁ ଅଧିକ ଦେଶରେ ଏହା ବ୍ୟବହାର କରାଯାଉଛି। ଅନ୍ତର୍ଜାତୀୟ ଅଧ୍ୟୟନ ଅନୁଯାୟୀ, କାଗଜ ନୋଟ୍ ଅପେକ୍ଷା ପଲିମର ନୋଟର ଆୟୁଷ ବହୁତ ଅଧିକ ହୋଇଥାଏ। ଏହା ପାଣିରେ ଭିଜିଲେ କିମ୍ବା ଅସାବଧାନତା ହେତୁ ନଷ୍ଠ ହେଇଯିବାର ସମ୍ଭାବନା ମଧ୍ୟ ବହୁତ କମ I ଏହି ସବୁ କାରଣ ହେତୁ କାଗଜ ଠାରୁ ଅଧିକ ଚିରସ୍ଥାୟୀ ବୋଲି ପ୍ଲାଷ୍ଟିକ ନୋଟକୁ ସ୍ଥିର କରାଯାଇଛି I

ଭାରତରେ କଣ ଏହା ପୂର୍ବରୁ ପ୍ଲାଷ୍ଟିକ ନୋଟାକୁ ନେଇ ପରୀକ୍ଷା ହୋଇଥିଲା କି ?

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପରୀକ୍ଷା କରିବାର ଏହା ହେଉଛି ଦ୍ୱିତୀୟ ପ୍ରୟାସ। ୨୦୦୯ ରେ ପ୍ରଥମ ପ୍ରୟାସ କରାଯାଇଥିଲା I ଆରବିଆଇ ପକ୍ଷରୁ ସେପ୍ଟେମ୍ବର ୨୦୦୯ରେ ୧୦ ଟଙ୍କିଆ ନୋଟର ୧୦୦ କୋଟି ପିସ୍ ପାଇଁ ଟେଣ୍ଡର ଡକାଯାଇଥିଲା। ଏହି ନୋଟ୍ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଯଥା କୋଚି, ମହୀଶୂର, ସିମଲା, ଜୟପୁର ଏବଂ ଭୁବନେଶ୍ୱରରେ ପରୀକ୍ଷା କରାଯିବାର ଥିଲା। କିନ୍ତୁ କିଛି "ଯାନ୍ତ୍ରିକ ତ୍ରୁଟି" ଯୋଗୁଁ ସେତେବେଳେ ଏହି ପ୍ରକଳ୍ପ ଆଗକୁ ବଢ଼ିପାରି ନଥିଲା।

ଚଳିତ ବର୍ଷ ଜୁଲାଇ ୧୭ ତାରିଖରେ, ଆରବିଆଇର ଅଧୀନସ୍ଥ ଏକ ସଂସ୍ଥା ‘ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍’ ଦୁଇଟି ମୂଲ୍ୟବର୍ଗର ନୋଟ୍ ଛାପିବା ପାଇଁ ୩.୪ କୋଟି ପଲିମର ସିଟ୍ ସଂଗ୍ରହ ନିମନ୍ତେ ଏକ ବିଶ୍ୱବ୍ୟାପୀ ଟେଣ୍ଡର ପ୍ରସ୍ତୁତ କରିଛି । ଏହା ସଫଳ ହେଲେ ଭବିଷ୍ୟତରେ ଅନ୍ୟ ମୂଲ୍ୟବର୍ଗର ନୋଟ୍ ମଧ୍ୟ ପ୍ଲାଷ୍ଟିକ୍ରେ ତିଆରି ହୋଇପାରେ ବୋଲି ସୂଚନା ମିଳିଛି।