ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମାନ୍ଦାନା କେବଳ ନିଜର ଅଭିନୟ ପାଇଁ ନୁହେଁ, ବରଂ ନିଜର ବଡ଼ ହୃଦୟ ପାଇଁ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ପରଦାରେ 'ଗୀତା ଗୋବିନ୍ଦମ' ଓ 'ଡିୟର କମ୍ରେଡ୍' ଭଳି ଚଳଚ୍ଚିତ୍ରରେ ଏହି ଯୋଡ଼ିଙ୍କ କେମିଷ୍ଟ୍ରି ଦର୍ଶକଙ୍କ ମନ ଜିଣିଥିବା ବେଳେ, ବାସ୍ତବ ଜୀବନରେ ସେମାନଙ୍କର ସମାଜସେବା ଏବେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । 

ସାଧାରଣତଃ ଷ୍ଟାରମାନେ ଗ୍ଲାମର ଦୁନିଆରେ ନିଜକୁ ହଜାଇ ଦେଉଥିବା ବେଳେ ବିଜୟ ଓ ରଶ୍ମିକା କିନ୍ତୁ ନିଜ ଗାଁ ବା ନିଜ ମାଟିକୁ ଭୁଲି ନାହାଁନ୍ତି । ରବିବାର ଦିନ ତେଲେଙ୍ଗାନାର ଅଚମ୍ପେଟ ମଣ୍ଡଳ ଅନ୍ତର୍ଗତ ଥୁମ୍ମନପେଟ ଗ୍ରାମରେ ଯେତେବେଳେ ଏହି ଷ୍ଟାର୍ ଯୋଡ଼ି ପହଞ୍ଚିଥିଲେ, ସେଠାକାର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଏହା ଥିଲା ବିଜୟଙ୍କ ପୈତୃକ ଗାଁ, ଯେଉଁଠାରେ ତାଙ୍କ ପିତା ଜନ୍ମଗ୍ରହଣ କରିଥିଲେ। ନିଜ ଗାଁର ମେଧାବୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ଏବଂ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହି ଯୋଡ଼ି 'ଦେବରକୋଣ୍ଡା ଫାଉଣ୍ଡେସନ' ମାଧ୍ୟମରେ ଏକ ବିଶେଷ ସ୍କଲାରସିପ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । 

ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ବିଜୟ ନିଜର ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ, ସମାଜରୁ ପାଇଥିବା ଭଲପାଇବାକୁ ସମାଜକୁ ଫେରାଇବା ତାଙ୍କର ଏକ ସ୍ୱପ୍ନ ଥିଲା। ସେ ପ୍ରାୟ ୧୮୦ ଜଣ ପରିଶ୍ରମୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମର ସବୁଠାରୁ ଆକର୍ଷଣୀୟ ମୁହୂର୍ତ୍ତ ଥିଲା ରଶ୍ମିକାଙ୍କ ସମ୍ବୋଧନ। ରଶ୍ମିକା ନିଜକୁ 'ରଶ୍ମିକା ମାନ୍ଦାନା ଦେବରକୋଣ୍ଡା' ଭାବେ ପରିଚିତ କରାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ଅତି ଗର୍ବର ସହ ଏହି ଗ୍ରାମକୁ ନିଜର 'ଶ୍ୱଶୁରଙ୍କ ଗ୍ରାମ' ବୋଲି କହିଥିଲେ, ଯାହା ସେମାନଙ୍କ ବାସ୍ତବ ଜୀବନର ସମ୍ପର୍କକୁ ସ୍ପଷ୍ଟ କରିଥିଲା। ସୂଚନାଯୋଗ୍ୟ ଯେ, ଏହି ଷ୍ଟାର୍ ଯୋଡ଼ି ୨୬ ଫେବୃଆରୀ ୨୦୨୬ରେ ଉଦୟପୁରଠାରେ ଅତି ଗୋପନୀୟ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । 

ବୃତ୍ତିଗତ ଜୀବନରେ ମଧ୍ୟ ଏହି ଯୋଡ଼ିଙ୍କ ଜଲୱା ଜାରି ରହିଛି। ଦୀର୍ଘ ଦିନର ବ୍ୟବଧାନ ପରେ ସେମାନେ ପୁଣିଥରେ ରାହୁଲ ସାଙ୍କୃତ୍ୟନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରାଣାବାଲୀ'ରେ ଏକାଠି ନଜର ଆସିବେ। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୧ରେ ମୁକ୍ତିଲାଭ କରିବାକୁ ଯାଉଛି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସଫଳତାର ଶୀର୍ଷରେ ପହଞ୍ଚି ମଧ୍ୟ ନିଜ ମୂଳକୁ ନଭୁଲିବା ଏବଂ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇବା ବିଜୟ ଏବଂ ରଶ୍ମିକାଙ୍କୁ କେବଳ 'ସୁପରଷ୍ଟାର୍' ନୁହେଁ, ବରଂ ଜଣେ ଜଣେ 'ରିଅଲ୍ ଲାଇଫ୍ ହିରୋ' ଭାବେ ଉଭା କରିଛି। ସେମାନଙ୍କର ଏହି ପ୍ରୟାସ ନିଶ୍ଚିତ ଭାବେ ଆଗାମୀ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା ହେବ ।