ନୂଆଦିଲ୍ଲୀ ୦୨।୦୭: ଚା-ବିସ୍କୁଟ ପାଇଁ ଚାକିରି ଯାଇଥିଲା । ୩ ବର୍ଷ ପରେ ହାଇକୋର୍ଟ ପୁନଃ ନିଯୁକ୍ତି ଆଦେଶ ଦେଇଛନ୍ତି । ମାମଲା ଝାଡ଼ଖଣ୍ଡର । ଦୀର୍ଘ ୧୭ ବର୍ଷ ଧରି ସେବା ପ୍ରଦାନ କରିଆସୁଥିବା ଜଣେ ଚପରାସୀଙ୍କୁ ପୁନଃ ନିଯୁକ୍ତି ଲାଗି ଝାଡ଼ଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ପରେ ବଳିପଡୁଥିବା ଚା-ବିସ୍କୁଟ ଘରକୁ ନେଇ ଯାଉଥିବା ଅଭିଯୋଗରେ ଚପରାସୀଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଏ ମାମଲାରେ କୋର୍ଟ ଜାଣିବାକୁ ପାଇଲେ ଯେ କର୍ମଚାରୀଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍ ସ୍ପଷ୍ଟ ନ ଥିଲା ଏବଂ ତାଙ୍କୁ ନିଜର ପକ୍ଷ ରଖିବାର ପୂରା ସୁଯୋଗ ମିଳିନଥିଲା ।

କୋର୍ଟ କହିଲେ, ଏହା ନ୍ୟାୟ ସିଦ୍ଧାନ୍ତର ଉଲ୍ଲଂଘନ । ଏତେ ଛୋଟ ଅଭିଯୋଗ ଆଧାରରେ ୧୭ ବର୍ଷର ଚାକିରିରୁ ବିଦା କରିବା ଅନୁଚିତ ଥିଲା । ସେତିକି ନୁହେଁ, କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଓ ସ୍ୱଚ୍ଛ ସେବା ରେକର୍ଡକୁ ଅଣଦେଖା କରିବା ମଧ୍ୟ ଉଚିତ୍ ନ ଥିଲା ବୋଲି କୋର୍ଟ ସ୍ପଷ୍ଟ କଲେ । ମାମଲାର ଶୁଣାଣି କରି କର୍ମଚାରୀଙ୍କୁ ଉକ୍ତ ପଦବୀରେ ପୁନଃ ନିଯୁକ୍ତ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ଏଥିସହ ତାଙ୍କୁ ୫୦% ବକେୟା ବେତନ ପ୍ରଦାନ ଲାଗି ମଧ୍ୟ ନିର୍ଦ୍ଦେଶ ଦେଲେ । ଏହି ମାମଲା ଛୋଟ ଛୋଟ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା କର୍ମଚାରୀଙ୍କ ପାଇଁ ଖୁସିର କଥା ବୋଲି ଚର୍ଚ୍ଚା ହେଉଛି ।