ଅଯୋଧ୍ୟା : ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଦାନ ଅର୍ଥ ହେରଫେର ମାମଲା ଥମିବାର ନାଁ ନେଉନି। ଏହି ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମଶଙ୍କର ଯାଦବ ଓରଫ ଟିନ୍ନୁଙ୍କ ପତ୍ନୀ ପୁନମ ଯାଦବ ଏବେ ନିଜ ସ୍ୱାମୀଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି। ସେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ବେଳେ କହିଛନ୍ତି ଯେ ଏହି ପୁରା ମାମଲାର ଅସଲି ଅପରାଧୀଙ୍କୁ ବଞ୍ଚାଇବା ପାଇଁ ଜାଣିଶୁଣି ତାଙ୍କ ସ୍ୱାମୀଙ୍କୁ ବଳିର ବୋଦା କରାଯାଇଛି। ଗଣମାଧ୍ୟମ ସହ କଥାବାର୍ତ୍ତାରେ ଟିନ୍ନୁଙ୍କ ପତ୍ନୀ କହିଛନ୍ତି ଯେ ମୋ ସ୍ୱାମୀ କୌଣସି ଅପରାଧୀ ନୁହନ୍ତି।

ସେ କହିଛନ୍ତି ଯେ ଆମେ ଯାଦବ ସମୂଦାୟର ହୋଇଥିଲେ ହେଁ ୧୯୯୨ ରାମ ମନ୍ଦିର ଆନ୍ଦୋଳନ ସମୟରୁ ତାଙ୍କ ସ୍ୱାମୀ ହାତରେ ଗେରୁଆ ପତାକା ଧରି ରଖିଛନ୍ତି। ସେ ଦୀର୍ଘ ସମୟ ଧରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଓ ବିଶ୍ୱ ହିନ୍ଦୁ ପରିଷଦ (ବିହିପ)ରେ ପୁରା ନିଷ୍ଠା ଓ ସଚ୍ଚୋଟତାର ସହ କାମ କରିଛନ୍ତି। ହେଲେ ଆଜି ତାଙ୍କୁ ଏହି ମାମଲାରେ ଘୋଷଡା ଯାଉଛି। ଯେତେବେଳେ ପୁନମ ଯାଦବଙ୍କୁ ତାଙ୍କ ପରିବାର ନିକଟରେ ୫୦ କୋଟି ଟଙ୍କାର ଅବୈଧ ସମ୍ପତ୍ତି ଓ ବିଳାଶମୟ କାର ଥିବାର ପଚରା ଗଲା ଏହାକୁ ପୁନମ ଖାରଜ କରିଦେଇଛନ୍ତି। କହିଛନ୍ତି ଯେ ଯଦି ଯାଞ୍ଚରେ ଆମ ପାଖରୁ ୫୦ କୋଟି ଟଙ୍କାର ସମ୍ପତ୍ତି ମିଳେ ଏଥିରେ ୪୫ କୋଟି ତୁରନ୍ତ ମୁଁ ରାମ ମନ୍ଦିରକୁ ଦାନ କରିଦେବି। ତାଙ୍କ ଅନୁସାରେ ଏବେ ଟିନ୍ନୁଙ୍କ ବିରୋଧରେ ଯେଉଁ ସବୁ ଗୁଜବ ରଟା ଯାଉଛି ତାହା କପୋଳ କଳ୍ପିତ ଓ ମନଗଢା ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଟିନ୍ନୁ ଯାଦବ ପ୍ରାରମ୍ଭରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଡ୍ରାଇଭର ଭାବେ କାମ କରୁଥିଲେ। ଧିରେ ଧିରେ ସେ ମନ୍ଦିର ପ୍ରଶାସନ ଓ ଭିଆଇପି ମ୍ୟାନେଜମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଥିଲେ। ପୋଲିସ ଅନୁସାରେ ଟିନ୍ନୁ ଯାଦବଙ୍କ ନିକଟରେ ମନ୍ଦିରର ସେହି କୋଠରୀ ଚାବି ଥିଲା ଯେଉଁଠି ଦାନ ଅର୍ଥ ଗଣାଯାଏ। ପୋଲିସ କହିବା ଅନୁସାରେ ଏହି ଅନଧିକୃତ ପହଞ୍ଚର ଫାଇଦା ଉଠାଇ ସେ ଦାନ ବାକ୍ସର ଟଙ୍କା ଓ ଗଣନା ପ୍ରକ୍ରିୟାରେ ବଡ଼ ହେରଫେର କରିଛନ୍ତି। ତେବେ ପରିବାରର କହିବା କଥା ହେଉଛି ସତ୍ୟତା କିଛି ଅନ୍ୟ ଓ ତାହାକୁ ଲୁଚା ଯାଉଛି।