ଅଯୋଧ୍ୟା : ରାମ ମନ୍ଦିର ଦାନ ଚୋରି ଅଭିଯୁକ୍ତ ଅନୁକଳ୍ପ ମିଶ୍ର ମନ୍ଦିର ଦାନରୁ ଚୋରି ଅର୍ଥରେ ନିଜ ଗାଁ ନିକଟରେ ୨୦ ବିଘା ଜମି କିଣିବାକୁ ଯୋଜନା କରିଥିଲା। ଏଥି ପାଇଁ ସେ ଜମି ଚୟନ କରିବା ସହ ଦରଦାମ ମଧ୍ୟ ଛିଡାଇଥିଲା। ୨ କୋଟି ଟଙ୍କାରେ ସେ ଜମି କିଣିଥାଆନ୍ତା, ହେଲେ ଠିକ୍ ସମୟରେ ତାକୁ ପୋଲିସ ଗିରଫ କରିନେଇଛି। ସେ କବେଳ ଜମି ନୁହେଁ ଏକ ସ୍କୋର୍ପିଓ କିଣିବାକୁ ମଧ୍ୟ ଯୋଜନା କରୁଥିଲା। ଏଥି ପାଇଁ ସୋରୁମ ମ୍ୟାନେଜରଙ୍କୁ ଶୀଘ୍ର ବୁକିଂ କରାଇବାକୁ ଅନୁରୋଧ କରିଥିଲା। ସେ ଏହାର ୨ ମାସ ପୂର୍ବରୁ ଏକ ନୂଆ ସ୍ୱିଫ୍ଟ ଡିଜାୟାର କାର କିଣିସାରିଥିଲା। ଅନୁକଳ୍ପ ମିଶ୍ରର ପିତା ରବିନ୍ଦ୍ର ମିଶ୍ରଙ୍କୁ ପଚରା ଉଚରାରେ ପୋଲିସ ଏହା ଜାଣିବାକୁ ପାଇଛି।

ମିଲ୍କିପୁରର ବସୱାନ ଗ୍ରାମର ବାସିନ୍ଦା ଅନୁକଳ୍ପ ଗତ ଦେଢବର୍ଷ ହେଲା କୌଶଲପୁରୀ ସହରରେ ରହୁଥିଲା। ହେଲେ ସେ ନିୟମିତ ଗାଁକୁ ଯିବାଆସିବା କରୁଥିଲା। ଯେତେବେଳେ ତାଙ୍କ ଗାଁ ନିକଟରେ ୮୪କୋସି ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ ହେଲା ସେତେବେଳେ ସେ ଏହି ପରିକ୍ରମା ମାର୍ଗକୁ ଲଗାଇ ଜମିଟିଏ କିଣିବାକୁ ଇଛା କରିଥିଲା। ଏଥି ପାଇଁ ଜମି ବେପାରୀଙ୍କ ସହ ସମ୍ପର୍କ କରିଥିଲା। ଗତ ଏପ୍ରିଲ ମାସରେ ଯେତେବେଳେ ଗାଁରେ ଭାଗବତ କଥା ଆୟୋଜନ କରିଥିଲା ସେତେବେଳେ କେତେକ ପ୍ରପର୍ଟି ଡିଲର ଜମି ବିକ୍ରି ପାଇଁ ତା ସହ କଥାବାର୍ତ୍ତା କରିବାକୁ ଆସିଥିଲେ। ଅନୁକଳ୍ପ ଗୋଟିଏ ସ୍ଥାନରେ ୨୦ ବିଘା ଜମି କିଣିବାକୁ ଚାହୁଁଥିଲା, ଏଥି ପାଇଁ ପ୍ରକ୍ରିୟାରେ ସମୟ ଲାଗୁଥିଲା।

ଏଥି ପାଇଁ ଅନୁକଳ୍ପ ଜଣେ ପ୍ରପର୍ଟି ଡିଲରଙ୍କୁ ଯେତେ ଟଙ୍କା ଲାଗୁ ନା କାହିଁକି ଜମିଟି ପରିକ୍ରମାକୁ ଲାଗି ରହିବା ଦରକାର ବୋଲି କହିଥିଲେ। ଏଥି ମଧ୍ୟରେ ଜୁନ ମାସରେ ଅଯୋଧ୍ୟା ରାମ ମନ୍ଦିର ଦାନଚୋରି ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ପ୍ରଥମେ ଅନ୍ତରୀଣ ଯାଞ୍ଚ ପରେ ଏସଆଇଟି ଯାଞ୍ଚ ରେ ଏତଲା ରୁଜୁ ହେବାରୁ ଅନ୍ୟମାନଙ୍କ ସହ ଅନୁକଳ୍ପ ମଧ୍ୟ ଗିରଫ ହୋଇଛି। କେବଳ ଅନୁକଳ୍ପ ନୁହେଁ ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଚୋରି ଟଙ୍କାରେ ସମ୍ପତ୍ତି ଓ ବାହନ କିଣିଛନ୍ତି।