ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାରେ ବନ୍ୟାରେ ଫସିରହିଥିବା ଜଣେ କୃଷକଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଛନ୍ତି ୩୬ ବର୍ଷୀୟ ଆର. ରାଜେଶ। ଅଗଷ୍ଟ ୧ରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ଆକସ୍ମିକ ବନ୍ୟାରେ ଜଣେ ବୃଦ୍ଧ କୃଷକଙ୍କୁ ଉଦ୍ଧାର କରିବା ସମୟରେ ରାଜେଶ ନିଜର ଲାଇଫ୍ ଜ୍ୟାକେଟ୍ ଖୋଲି ତାଙ୍କୁ ପିନ୍ଧାଇ ଦେଇଥିଲେ। ବୃଦ୍ଧ ଜଣକ ବଞ୍ଚିଯାଇଥିବା ବେଳେ ରାଜେଶ ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି।

ଥିରୁଅନନ୍ତପୁରମର କଲ୍ଲିୟୁର ଅଞ୍ଚଳର ବାସିନ୍ଦା ରାଜେଶ, ମୀନଥୁଲ୍ଲୀ ଜଳପ୍ରପାତ ନିକଟରେ ଜଣେ 'ରାପେଲିଂ' ଏବଂ ସ୍ୱିମିଂ ଇନଷ୍ଟ୍ରକ୍ଟର ଭାବରେ କାର୍ଯ୍ୟ କରୁଥିଲେ। କନ୍ନୁରର ମୀନଥୁଲ୍ଲୀ ନିକଟରେ ୬୧ ବର୍ଷୀୟ କୃଷକ ବେନି ନିଜ କଫି ବଗିଚାକୁ ଯାଇଥିବା ବେଳେ ପାହାଡ଼ ଧସିବା ଯୋଗୁଁ ଆସିଥିବା ବନ୍ୟାରେ ଫସିଯାଇଥିଲେ।

ରାଜେଶ ନିଜ ସହଯୋଗୀ ଶିବିନ୍‌ ଏବଂ ଜିଥିନଙ୍କ ସହ ମିଶି କରିୟାଙ୍ଗୋଡ ନଦୀ ପାର ହୋଇ ବେନିଙ୍କ ପାଖରେ ପହଞ୍ଚିଥିଲେ। ଫେରିବା ବାଟରେ ବେନି ପାଣିରେ ନିଜ ସନ୍ତୁଳନ ହରାଉଥିବା ଦେଖି ରାଜେଶ ନିଜର ଲାଇଫ୍ ଜ୍ୟାକେଟ୍ ଖୋଲି ତାଙ୍କୁ ପିନ୍ଧାଇ ଦେଇଥିଲେ। ଦଉଡ଼ି ସାହାଯ୍ୟରେ କୂଳକୁ ଫେରୁଥିବା ସମୟରେ ରାଜେଶଙ୍କ ହାତରୁ ଦଉଡ଼ି ଖସିଯାଇଥିଲା ଏବଂ ସେ ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ତିନି ଦିନ ଖୋଜାଖୋଜି ପରେ ମଙ୍ଗଳବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ରାଜେଶ ଜଣେ କୁଶଳୀ ସନ୍ତରଣକାରୀ ଏବଂ 'ଆଡଭେଞ୍ଚର ଡିଜାଷ୍ଟର ସୋସାଇଟି'ର ପ୍ରମୁଖ ସଦସ୍ୟ ଥିଲେ। ସେ ପୂର୍ବରୁ ମଧ୍ୟ କେରଳର ପ୍ରମୁଖ ବିପତ୍ତି ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରିଛନ୍ତି । ୨୦୧୮ କେରଳର ବନ୍ୟା ସମୟରେ ସେ ସକ୍ରିୟ ଉଦ୍ଧାରକାରୀ ସାଜିଥିଲେ । ସେହିଭଳି ୨୦୨୪ରେ ୱାୟନାଡ୍ ଭୂସ୍କଳନ ସମୟରେ ଉଦ୍ଧାର ଅଭିଯାନରେ ସାମିଲ ଥିଲେ ରାଜେଶ । କିନ୍ତୁ ୨୦୨୬ରେ  କନ୍ନୁର ବନ୍ୟାରେ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ସେ ଜୀବନ ହରାଇଛନ୍ତି।

ରାଜେଶଙ୍କ ଏହି ମହାନ ଆତ୍ମବଳିଦାନ ପାଇଁ ସାରା କେରଳରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ୍ ଶୋକ ପ୍ରକାଶ କରି କହିଛନ୍ତି, ‘ରାଜେଶ ନିଜ ଲାଇଫ୍ ଜ୍ୟାକେଟ୍ ଦେଇ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ତାଙ୍କର ଏହି ଅତୁଳନୀୟ ତ୍ୟାଗ ଏବଂ ମାନବସେବା ସଦାସର୍ବଦା ସ୍ମରଣୀୟ ରହିବ।’ ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ତାଙ୍କୁ ଅସଲ ନାୟମ ଭାବରେ ଅଭିହିତ କରିଛନ୍ତି।