ଭୁବନେଶ୍ବର: ବଦଳିଲା ରାଜଭବନର ନାଁ। ଭୁବନେଶ୍ବର ଏବଂ ପୁରୀ ରାଜଭବନର ନାଁ ପରିବର୍ତ୍ତନ ହୋଇଛି। ରାଜଭବନର ନାଁ ହେଲା ‘ଲୋକଭବନ’। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ବିଜ୍ଞପ୍ତି ପ୍ରକାଶ। ବିଜ୍ଞପ୍ତି ଅନୁସାରେ, ପୁରୀ ରାଜଭବନ ଏବେ ‘ପୁରୀ ଲୋକଭବନ’ ନାଁରେ ନାମିତ ହୋଇଛି। ସେହିଭଳି ଭୁବନେଶ୍ବର ରାଜଭବନର ନାଁ ହୋଇଛି ଭୁବନେଶ୍ବର ‘ଲୋକଭବନ’।

ଏନେଇ ଏକ୍ସରେ ସୂଚନା ଦେଇ ରାଜ୍ୟପାଳ ହରିବାବୁ କମ୍ଭମପାଟୀ ଖୁସି ପ୍ରକାଶ କରି କହିଛନ୍ତି, ‘‘ରାଜଭବନ ଏବେ ଲୋକଭବନ ହୋଇଛି, ଏହା ଓଡ଼ିଶା ପାଇଁ ଏକ ଅର୍ଥପୂର୍ଣ୍ଣ ମାଇଲଖୁଣ୍ଟ। ରାଜଭବନ ଏବେ ଲୋକଭବନ ହେବା ପ୍ରକୃତରେ ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଛି।’’

ସେ ଆହୁରି କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ଏବଂ ଗୃହ ମନ୍ତ୍ରଣାଳୟ ମାର୍ଗଦର୍ଶନ ପରେ ଏହି ପରିବର୍ତ୍ତନ ସ୍ୱଚ୍ଛତା, ସୁଗମତା ଏବଂ ଏକ ଦୃଢ଼ ଜନସାଧାରଣ ସଂଯୋଗ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରେ।

‘‘ଲୋକଭବନ ଏବେ ଜନସାଧାରଣଙ୍କ ସମ୍ପୃକ୍ତି ଏବଂ ଅନ୍ତର୍ଭୁକ୍ତିମୂଳକ ପ୍ରଗତି ପାଇଁ ଏକ ସ୍ପନ୍ଦନଶୀଳ ସ୍ଥାନ ଭାବରେ ଛିଡ଼ା ହୋଇଛି, ଯାହା ଶାସନରେ ଗଭୀର ଅଂଶଗ୍ରହଣ ଗଠନ ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରେ। ଓଡ଼ିଶା ପାଇଁ ଏହି ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ମୁଁ ସମ୍ମାନିତ।’’