ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ରାଜସ୍ଥାନ ଛାଡ଼ି ଗୁଜରାଟ ଦଳ ସହ ଯୋଡ଼ି ହେବାର ମାତ୍ର ଗୋଟିଏ ଦିନ ପରେ ଯୁବ ଦ୍ରୁତ ବୋଲର ଅଶୋକ ଶର୍ମାଙ୍କ ଭାଗ୍ୟ ଚମକିଛି। ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ତାଙ୍କୁ ଇଣ୍ଡିଆ ‘ଏ’ ଦଳରେ ସାମିଲ କରାଯାଇଛି। ଆହତ ଦ୍ରୁତ ବୋଲର ଯୁଧବୀର ସିଂହଙ୍କ ସ୍ଥାନରେ ୨୩ ବର୍ଷୀୟ ଅଶୋକଙ୍କୁ ଏହି ସୁଯୋଗ ମିଳିଛି। ମଙ୍ଗଳବାର ସକାଳେ ସେ କଲୋମ୍ବୋ ଅଭିମୁଖେ ବିମାନ ଯାତ୍ରା କରିବେ ଏବଂ ଭାରତୀୟ ଦଳରେ ଯୋଗଦେବେ। ସୂଚନାଯୋଗ୍ୟ ଯେ, ଏହି ସିରିଜ୍‌ରେ ଇଣ୍ଡିଆ ‘ଏ’, ଶ୍ରୀଲଙ୍କା ‘ଏ’ ଏବଂ ଆଫଗାନିସ୍ତାନ ‘ଏ’ ଦଳ ଭାଗ ନେଇଛନ୍ତି।

ତିଳକ ବର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଇଣ୍ଡିଆ ‘ଏ’ ଦଳ ସୋମବାର ଦିନ ଘରୋଇ ଶ୍ରୀଲଙ୍କାଠାରୁ ଏକ ରୋମାଞ୍ଚକର ମ୍ୟାଚ୍‌ରେ ପରାଜିତ ହୋଇଛି। ତେଣୁ ଜୁନ୍ ୧୭ ତାରିଖରେ ଆଫଗାନିସ୍ତାନ ‘ଏ’ ବିପକ୍ଷରେ ହେବାକୁ ଥିବା ଆଗାମୀ ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଅଶୋକ ଶର୍ମା ନିଜର ପ୍ରଚଣ୍ଡ ଗତି (Raw Pace) ଯୋଗୁଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ସମୟରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଆଇପିଏଲ୍‌ର ୬ଟି ମ୍ୟାଚ୍‌ରେ ୬ଟି ୱିକେଟ୍ ନେଇଥିଲେ। ଗୁଜରାଟ ଟାଇଟନ୍ସ ମ୍ୟାନେଜମେଣ୍ଟ ତାଙ୍କ ପ୍ରତିଭାକୁ ଉଚ୍ଚ ପ୍ରଶଂସା କରିବା ସହ ନିଲାମରେ ୯୦ ଲକ୍ଷ ଟଙ୍କା ଦେଇ ଦଳରେ ସାମିଲ କରିଥିଲା।

ଗଣମାଧ୍ୟମର ସୂଚନା ଅନୁଯାୟୀ, ଅଶୋକଙ୍କର ଏକ ବିଶେଷ ଦକ୍ଷତା ରହିଛି । ସେ ସମାନ ବୋଲିଂ ଆକ୍ସନ୍‌ରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବଲ୍ ଫିଙ୍ଗିବା ସହ ଶତ୍ରୁ ପକ୍ଷକୁ ଭ୍ରମରେ ପକାଇ ସ୍ଲୋଅର୍ ବଲ୍ ମଧ୍ୟ ପକାଇପାରନ୍ତି। ତାଙ୍କର ଏହି ଟେକନିକ ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲଙ୍କୁ ବେଶ୍ ପ୍ରଭାବିତ କରିଛି। ସେ ପ୍ରଥମେ ସୈୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନିଜର ଦ୍ରୁତ ବୋଲିଂ ବଳରେ ଚର୍ଚ୍ଚାକୁ ଆସିଥିଲେ। ସେଠାରେ ସେ ଏକ ୧୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବା ସହ ମୋଟ ୨୨ଟି ୱିକେଟ୍ ନେଇ ସେହି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ୍ ଟେକର ହୋଇଥିଲେ।

ଆଇପିଏଲର ସଂଘର୍ଷପୂର୍ଣ୍ଣ ଯାତ୍ରା
୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସ (KKR) ତାଙ୍କୁ ୫୫ ଲକ୍ଷ ଟଙ୍କାରେ କିଣି ପ୍ରଥମ ଆଇପିଏଲ୍ ଚୁକ୍ତି ଦେଇଥିଲା। ପରେ ତାଙ୍କୁ ଦଳରୁ ମୁକ୍ତ କରାଯାଇଥିଲା। କେକେଆରରୁ ବାହାରିବା ପରେ ସେ ରାଜସ୍ଥାନ ରୟାଲ୍ସର ଜଣେ ନେଟ୍ ବୋଲର ଭାବେ ସମୟ ବିତାଇଥିଲେ। ୨୦୨୫ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍‌ରେ କିଣିଥିଲା, କିନ୍ତୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ନଦେଇ ପୁନର୍ବାର ଦଳରୁ ବାଦ୍ ଦେଇଥିଲା। ୨୦୨୬ରେ ସେ ଗୁଜରାଟ ଟାଇଟନ୍ସ ସହ ଯୋଡ଼ି ହୋଇଥିଲେ । ଅନେକ ଉତ୍ଥାନ-ପତନ ସତ୍ତ୍ୱେ ଅଶୋକ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। କୋଲକାତା ନାଇଟ୍ ରାଇଡର୍ସରେ ଥିବା ସମୟରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଠାରୁ ମିଳିଥିବା ପରାମର୍ଶ ତାଙ୍କୁ ସବୁବେଳେ ପ୍ରେରଣା ଯୋଗାଇଥିଲା।

ଅଶୋକଙ୍କ ପାଇଁ ବର୍ତ୍ତମାନ ଇଣ୍ଡିଆ ‘ଏ’ ଦଳରେ ନିଜର ଗତି ଏବଂ ନିୟନ୍ତ୍ରଣ ବଳରେ ଚୟନକର୍ତ୍ତାଙ୍କ ମନ ଜିଣିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଜୟପୁରଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ ତାଙ୍କ ଗାଁ 'ରାମପୁରା'କୁ ଆଜି ପର୍ଯ୍ୟନ୍ତ ଏକ ଭଲ ପକ୍କା ସଡ଼କ ସଂଯୋଗ ନାହିଁ। କିନ୍ତୁ ଏହି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ଯୁବ ଦ୍ରୁତ ବୋଲରଙ୍କ ସଫଳତାର ଯାତ୍ରା ସଠିକ୍ ଦିଗରେ ଗତି କରୁଛି ଏବଂ ସେ ନିଜର ସ୍ୱପ୍ନ ପୂରଣ କରିବା ଦିଗରେ ଅଗ୍ରସର ହେଉଛନ୍ତି ।