ଭୁବନେଶ୍ୱର, ୨୧/୦୮ : ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପ ସାଗର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୭ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପୂର୍ବ ଓ ଉତ୍ତର ପୂର୍ବ ଭାରତର ବିଭିନ୍ନ ସ୍ଥାନର ବିସ୍ତୃତ ବିସ୍ତୃତ ଅଞ୍ଚଳରେ ଭାରି ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ବିସ୍ତାରିତ ଆକଳନରେ ଏଭଳି ପୂର୍ବାନୁମାନ କରିଛି।

୨୭ରୁ ୨ ତାରିଖ ଭିତରେ ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। କିନ୍ତୁ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ। ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରହିଛି। ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ହୋଇପାରେ। ୨୨ ତାରିଖରେ ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୨୩ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ୨୪, ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ।

Also Read :- ସରକାରଙ୍କ ପଞ୍ଚାୟତ ଦଖଲ ପ୍ଲାନ, ଗାଁର ବିକାଶ ପାଇଁ ହାତ ଖୋଲି ଦେଲେ ସରକାର

ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ୧୦ମିମି ବର୍ଷା ହୋଇଛି। ଖୋର୍ଦ୍ଧାରେ ୨୪ମିମି, ଭଦ୍ରକରେ ୧୨.୪, ସୁନ୍ଦରଗଡ଼ରେ ୯.୪, କୋରାପୁଟରେ ୯.୬, ଓ ଢେଙ୍କାନାଳରେ ୭.୪ ମିମି ବର୍ଷା ରେକର୍ଡ ହୋଇଛି।