ଭୁବନେଶ୍ୱର, ୨୧|୦୭: ରାଜ୍ୟର ଅନେକ ସ୍ଥାନରେ ବୁଧବାର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଆକଳନ କରିଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର କେନ୍ଦୁଝର, ମୟୂରଭଞ୍ଜର ସ୍ଥାନେ ସ୍ଥାନେ ବୁଧବାର ପ୍ରବଳ ବର୍ଷା ହୋଇପାରେ।

ଏହାବାଦ୍ ବାଲେଶ୍ଵର, ଭଦ୍ରକ, ଯଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝରରେ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ମଧ୍ୟ ରହିଛି। ୨୩ ଓ ୨୪ ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ୨୫ରେ ଅଧିକ ବର୍ଷା ହୋଇପାରେ। ୨୫ ଓ ୨୬ରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ପୁରୀ ଓ ଭୁବନେଶ୍ଵରରେ ଅଧିକ ବର୍ଷା ହୋଇଥିଲା।