ଭୁବନେଶ୍ୱର, ୨୭/୦୮ : ଗୁରୁବାରଠାରୁ ରାଜ୍ୟରେ ବର୍ଷା ବଢ଼ି ପାରେ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ। ବିସ୍ତୃତ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ଆକଳନ କରିଛନ୍ତି।

୨୮ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୩୦ ବା ୩୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଏହା ପ୍ରଭାବରେ ବର୍ଷା ଲାଗି ରହିବ। ସେପଟେ ମହାନଦୀରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। କିନ୍ତୁ ବିପଦ ସମ୍ପୂର୍ଣ୍ଣ ଟଳିନି। ହୀରାକୁଦରୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୩୪ହଜାର ଘନଫୁଟ ପାଣି ପ୍ରବେଶ କରୁଛି। ୧୬ଟି ଗେଟ୍ ଜରିଆରେ ୨ଲକ୍ଷ ୯୦ ହଜାର ଘନଫୁଟ ପାଣି ଛଡ଼ାଯାଉଛି । ରାତି ୯ଟା ସୁଦ୍ଧା ମୁଣ୍ଡଳୀରେ ୬ଲକ୍ଷ ୬୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା। ଖଇରମାଳରେ ୪ଲକ୍ଷ ୪୮ହଜାର ଓ ବରମୂଳରେ ୪ଲକ୍ଷ ୭୬ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା। ଗୁରୁବାର ଏହା ଆହୁରି କମିଯିବ। ମୁଣ୍ଡଳୀରେ ପାଣି କମିବା ସହ ତଳ ଅଞ୍ଚଳରୁ ପାଣି ନିଷ୍କାସିତ ହୋଇଯିବ। ଏଣୁ ସେଭଳି ବନ୍ୟା ପରି ସ୍ଥିତି ରହିବନି। ସକାଳ ସୁଦ୍ଧା ମୁଣ୍ଡଳୀରେ ପାଣି ୬ଲକ୍ଷକୁ ଖସି ପାରେ ବୋଲି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି।

Also Read :- ଶ୍ରୀ ଜଗନ୍ନାଥଙ୍କ କାର୍ଟୁନକୁ ନେଇ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ, କହିଲେ ମହାପ୍ରଭୁଙ୍କୁ ବିକୃତ ରୂପରେ ପ୍ରଦର୍ଶନ କରାଯାଇଛି

ସେପଟେ ଗୁରୁବାର ପୂର୍ଣିମା ଥିବାରୁ ସମୁଦ୍ରକୁ ପାଣି ନିଷ୍କାସନରେ ସମସ୍ୟା ହୋଇପାରେ। ସମୁଦ୍ରରେ ଉଚ୍ଚ ଜୁଆର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରୁ ପାଣି ଶୀଘ୍ର ଖସିବନି। ଫଳରେ ମହାନଦୀର ପାଣି ତଳିଆ ଅଞ୍ଚଳରେ ନିଷ୍କାସନ ହେବାରେ ସମୟ ଲାଗିପାରେ। କେବଳ ମହାନଦୀ ନୁହେଁ, ବୈତରଣୀ, ଜଳକା, ବୁଢ଼ାବଳଙ୍ଗ ନଦୀ ସ୍ଥିତିରେ ସୁଧାର ଆସିଛି। ବୈତରଣୀର ଆଖୁଆପଦାଠାରେ ଜଳସ୍ତର ୧୮.୩୫ ମିଟର ଥିବାବେଳେ ରାତି ସୁଦ୍ଧା ୧୭.୪୯ ମିଟରକୁ ଖସିଛି। ବ୍ରାହ୍ମଣୀରେ ବିପଦ ଏବେବି ଟଳିନି। ଜେନାପୁରଠାରେ ବ୍ରାହ୍ମଣୀର ଜଳସ୍ତର ବଢ଼ି ୨୧.୦୭ ମିଟରରେ ପହଞ୍ଚିଛି ।

କେନ୍ଦ୍ରାପଡ଼ାର ୫ଟି ବ୍ଳକ୍, ଭଦ୍ରକର ୨ଟି ବ୍ଳକ୍ ଏବଂ ଯାଜପୁରର ୨ଟି ବ୍ଳକ୍ ବନ୍ୟାରେ ପ୍ରଭାବିତ ହୋଇଛି। ୬୮ଟି ପଞ୍ଚାୟତର ୧୮୯ଟି ଗାଁର ୮୦୨୮୪ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୧ଲକ୍ଷ ୨ହଜାର ୪୮୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ୨୧ଟି ଓଡ୍ରାଫ୍, ୧ଟି ଏନଡିଆରଏଫ, ୩୩ଟି ଅଗ୍ନିଶମ ଓ ସ୍ଥାନୀୟ ଟିମକୁ ମିଶାଇ ମୋଟ ୫୭ଟି ଟିମ୍ ନିୟୋଜିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଳକ୍, ୩୦ଟି ଗ୍ରାମ ପଞ୍ଚାୟତର ୫୫ଟି ଗ୍ରାମ ଏବଂ ୪,୭୧୦ ଜଣ ଲୋକ ପ୍ରଭାବିତ ଥିବା ବେଳେ ଭଦ୍ରକ ଜିଲ୍ଲାର ୨ଟି ବ୍ଳକ୍, ୧୮ଟି ପଞ୍ଚାୟତ, ୭୦ଟି ଗାଁ ଓ ୨୫, ୪୩୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।

ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ରାଜ୍ୟରେ ଉଦ୍ଧାରକାରୀ ଟିମ୍, ଖାଦ୍ୟ, ବିଶୁଦ୍ଧ ପିଇବା ପାଣି, ଔଷଧ ବା ରିଲିଫ୍ ସାମଗ୍ରୀର କୌଣସି ଅଭାବ ନାହିଁ। ଆବଶ୍ୟକତା ଅନୁସାରେ ଅଧିକ ସମ୍ବଳ ଯୋଗାଇବାକୁ ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଅଛି।