ଭୁବନେଶ୍ୱର, ୩୦/୦୯ :ଉପରମୁଣ୍ଡରୁ ମହାନଦୀକୁ ଜଳ ପ୍ରବାହ କମିଛି। ତଥାପି ନରାଜରେ ବିପଦ ସଙ୍କେତ ଛୁଇଁଛି ମହାନଦୀ। ଇତିମଧ୍ୟରେ ହୀରାକୁଦ ଜଳଭଣ୍ଡାରର ୧୧ଟି ଗେଟ୍ ବନ୍ଦ କରାଯାଇଛି। ତଥାପି ୧୯ଟି ଗେଟ ଦେଇ ପାଣି ଆସୁଛି। ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜଳ ସ୍ତର ଏବେ ଦିନେ ଦୁଇଦିନ ସ୍ଥିର ରହିପାରେ। ତେଣୁ କଟକ,ଜଗତସିଂହପୁର,ପୁରୀ,କେନ୍ଦ୍ରାପଡ଼ାର ଭଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଆହୁରି କିଛିଦିନ ରହିପାରେ।

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯.୬୭ଫୁଟ୍ ଥିଲା । ପ୍ରତି ସେକେଣ୍ଡରେ ଉପରମୁଣ୍ଡରୁ ୪ ଲକ୍ଷ ୩ ହଜାର ୪୯୫ ଘନଫୁଟ ପାଣି ପ୍ରବେଶ କରୁଥିଲା। ୩୦ଟି ଗେଟ ଦେଇ ପାଣି ଛଡ଼ାଯାଉଥିବାବେଳେ ମଙ୍ଗଳବାର ୧୯ଟି ଗେଟ୍ ଖୋଲା ରହିଛି।

Also Read :- ଆଜି ଓଡ଼ିଶା ବନ୍ଦ, ଗଡିବନି ଚକ-ଅଖ : ୬ ଦଫା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନର ପ୍ରତିବାଦ

ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩ ଲକ୍ଷ ୯୦ ହଜାର ୭୮୬ ଘନଫୁଟ ପାଣି ଛଡ଼ାଯାଉଛି। ତେଲ ନଦୀରୁ ୭୨ ହଜାର ୪୬୦ ଘନଫୁଟ ପାଣି ମହାନଦୀରେ ପଡୁଛି। ଖଇରମାଳରେ ୫.୯୦ ଲକ୍ଷ ଘନଫୁଟ ପାଣି ପ୍ରବାହିତ ୩୮୫ ଘନଫୁଟ ପାଣି ଚାଲିଛି। ନରାଜରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ବୁଧବାର ସନ୍ଧ୍ୟା ୬ଟାବେଳକୁ ସେଇ ସ୍ତରକୁ ଛୁଇଁ ସାରିଥିଲା ଜଳସ୍ତର ।

ଆଶ୍ଵସ୍ତିର କଥା ହେଲା,ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା କମିଛି। ତେଣୁ ମୁଣ୍ଡଳିରେ ଯେଉଁ ୮ ଲକ୍ଷ ଘନଫୁଟ ପାଣି ଆଶଙ୍କା କରାଯାଉଥିଲା,ତାହା ହେବା ସ୍ଥିତି ନାହିଁ। ହେଲେ ଜଳସ୍ତର ଖସିବା ସମ୍ଭାବନା ମଧ୍ୟ କମ୍। ପାଣି ଖସିବାକୁ ୨-୩ ଦିନ ସମୟ ଲାଗିପାରେ। ବ୍ରାହ୍ମଣୀ ଜଳସ୍ତର ଜେନାପୁରରେ ବଢ଼ିଥିଲେ ମଧ୍ୟ ବିପଦ ସଙ୍କେତ ଠାରୁ ଯଥେଷ୍ଟ ତଳେ ଅଛି। ଅନ୍ୟ କୌଣସି ନଦୀର ଜଳସ୍ତର ବୃଦ୍ଧି ପାଇନାହିଁ ।