ନୂଆଦିଲ୍ଲୀ: ନିଟ-ୟୁଜି ପରୀକ୍ଷାରେ ତ୍ରୁଟି ଓ ପେପର ଲିକ୍ ଚିନ୍ତା ମଧ୍ୟରେ କେନ୍ଦ୍ର ସରକାର ଭାରତରେ ପ୍ରସିଦ୍ଧ ମେସେଜିଂ ଆପ ‘ଟେଲିଗ୍ରାମ’ ଉପରେ ଅସ୍ଥାୟୀ କଟକଣା ଜାରି କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହି ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ସୁପାରିଶ ଅନୁସାରେ ୨୨ ଜୁନ ୨୦୨୬ ପର୍ଯ୍ୟନ୍ତ ଭାରତରେ ଟେଲିଗ୍ରାମ ଆକ୍ସେସ ଉପରେ ସରକାର ରୋକ ଲଗାଇ ଦେଇଛନ୍ତି।

ତେବେ ସରକାରଙ୍କ ନିଷ୍ପତ୍ତିରେ ରାହୁଲ ଗାନ୍ଧି ଆପତ୍ତି କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ ‘ ପେପର ଲିକ୍ ରୋକିବା ପାଇଁ ମୋଦି ସରକାରଙ୍କ ନୂଆ ଅସ୍ତ୍ର, ଅର୍ଥାତ ଚୋରକୁ ଧରିବା ବଦଳେ ପୀଡ଼ିତ ଦ୍ୱାରରେ ତାଲା ଝୁଲେଇ ଦିଅ’। ଏଥିରେ ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କ ପକ୍ଷ ନେଇ କହିଛନ୍ତି ଯେ ଦେଶର କୋଟିକୋଟି ଛାତ୍ରଛାତ୍ରୀ ଦୀର୍ଘ ବର୍ଷରୁ ଟେଲିଗ୍ରାମ ଜରିଆରେ ସେମାନଙ୍କ ପାଠ ପଢି ଆସୁଛନ୍ତି। ଯେଉଁଥିରେ ସେମାନଙ୍କୁ ନୋଟସ୍, ଟେଷ୍ଟି ସିରିଜ ଓ ଗ୍ରୁପ ଡିସ୍କସନ ସୁବିଧା ମିଳୁଛି। ଏଣୁ ରାହୁଲ ପ୍ରଶ୍ନ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଠାରୁ ସେହି ସୁବିଧା ଛଡେଇ ନେବା ପେପର ଲିକ୍ ସମସ୍ୟା ର ସମାଧାନ କିପରି?

ରାହୁଲ ଗାନ୍ଧି ସରକାରଙ୍କ ଏହି ପଦକ୍ଷେପ ପ୍ରଭାବୀ ହେବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ଉପାୟ ଆଦୌ ଫୁଲପ୍ରୁଫ ନୁହେଁ। କାରଣ ଦେଶର ପିଲା-ପିଲା ଜାଣନ୍ତି ଯେ ଏ କଥା ପେପର ଲିକ୍ କରୁଥିବା ମାଫିଆ ମାନେ ମଧ୍ୟ ଭାଲଭାବେ ଜାଣନ୍ତି। ରାହୁଲ ପଚାରିଛନ୍ତି ଯେ ଏଥିରେ ଯଦି ପେପର ଲିକ୍ ନ ଅଟକେ ତେବେ ସରକାରୀ ପରବର୍ତ୍ତି ବ୍ୟାନ କାହା ଉପରେ ଲଗାଇବେ, କ’ଣ ହ୍ୱାଟସ୍ ଆପ ଉପରେ?ଏହା ଛଡା ରହୁଲ ଗାନ୍ଧି ପରୀକ୍ଷା ଦିନର କଡ଼ା ଚେକିଂ ବ୍ୟବସ୍ଥା କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ରାହୁଲ କହିଛନ୍ତି ଯେ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କ ତଲାସୀ ନିଆଯିବ, କଇଁଚିରେ ସେମାନଙ୍କ ପକେଟ କଟାଯିବ, ପ୍ରଶ୍ନପତ୍ରକୁ ବାୟୁସେନା ବିମାନରେ ପଠାଯିବ, ଅର୍ଥାତ ଡ୍ରାମାବାଜୀରେ ସାମାନ୍ୟତମ ଅବହେଳା ମଧ୍ୟ କରାଯିବନି। ହେଲେ ରୋଗର ମୂଳ କାରଣ କୁ ନେଇ ଥରଟିଏ ବି ବିଚାର କରାଗଲାନି। କାରଣ ପେପର ଲିକ୍ ମାଫିଆ ଏହି ସରକାରଙ୍କ ନାକ ତଳେ ଅଛନ୍ତି ଓ ଯୁବକ ପିଢୀଙ୍କୁ ରକ୍ତର ଲୁହ କନ୍ଦାଉଛନ୍ତି। ଏଣୁ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇ ଏହି ସବୁ ଡ୍ରାମା ବନ୍ଦ କରିବାକୁ କହିଛନ୍ତି ଓ ଛାତ୍ରଛାତ୍ରୀଙ୍କ ବଦଳେ ସିଧା ପେପର ଲିକ୍ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି।

ଅନ୍ୟପଟେ ଭାରତ ସରକାରଙ୍କ କଟକଣାକୁ ନେଇ ଟେଲିଗ୍ରାମ କମ୍ପାନୀ ଆଇନର ଶରଣ ନେଇଛି। ଟେଲିଗ୍ରାମ ଭାରତ ତାର ସେବା ଉପରେ ରୋକକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ଟେିଲଗ୍ରାମ ଓକିଲ ମାଧବ ଖୋସଲା କୋର୍ଟଙ୍କ ଭେକେସନ ବେଞ୍ଚରେ ଏହି ମାମଲା ଉପରେ ତ୍ୱରିତ ଶୁଣାଣି ନିବେଦନ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି ନିମନ୍ତେ କୋର୍ଟ ବୁଧବାର ମଞ୍ଜୁରୀ ଦେଇଥିବା ଜଣାପଡିଛି।