ପୁଣେ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶନିବାର ପୁଣେରେ ଅନୁଷ୍ଠିଚ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ମହିଳା ଓ ଛାତ୍ରଙ୍କ ସହିତ ସଂବାଦ କାଳରେ ରାହୁଲ କହିଛନ୍ତି ଯେ ଭାରତର ସବୁଠୁ ବଡ଼ ଶକ୍ତି ହେଉଛି ତାର ୭୦ କୋଟି ମହିଳା ନାଗରିକ, ନାରୀ ଶକ୍ତି ହିଁ ଦେଶର ଅସଲ ବଳ ବୋଲି ରାହୁଲ ଗାନ୍ଧି କହିଛନ୍ତି। ତେବେ ଏଥିରେ ଏକ ସମସ୍ୟା ମଧ୍ୟ ରହିଛି। ଯେତେବେଳେ ବି ନାରୀ ଶକ୍ତି ସମ୍ପର୍କରେ ମୁଁ କଥା ହେବାକୁ ଯାଏ ସେମାନଙ୍କୁ ପ୍ରାୟତଃ ୩ଟି ଭୂମିକାରେ ସୀମିତ କରିଦିଆଯାଏ। ତାହା ହେଉଛି ପତ୍ନୀ, କନ୍ୟା ଓ ମା। ହେଲେ ନାରୀର ଏହି ଭୂମିକା ଭୁଲ ନୁହେଁ କିନ୍ତୁ ଏଭଳି ବିଚାର ଲଜ୍ଜାଜନକ।

ରାହୁଲ କହିଛନ୍ତି ଯେ ଆମ ଦେଶର ମହିଳା ସ୍ୱାଧୀନ ହେବା ଆବଶ୍ୟକ। ଆପଣମାନେ କାହା ଉପରେ ନିର୍ଭର ନୁହନ୍ତି। ପିତା, ପତି ଓ ପୁଅଙ୍କ ସହ ସମ୍ପର୍କ ରହିପାରେ, ହେଲେ ଆପଣଙ୍କ ପରିଚୟ ସେମାନେ ନିର୍ଦ୍ଧାରଣ କରନ୍ତିନି। ଆପଣ ନିଜେ ହିଁ ନିଜର ପରିଚୟ। ରାହୁଲ କହିଛନ୍ତି ଯେ ମୁଁ ଆଜି ଏଠାକୁ ରାଜନୀତି କଥା ହେବାକୁ ଆସି ନାହିଁ। ଏଠାରେ ଆଜି ମୁଁ ଆପଣମାନଙ୍କୁ କହିବାକୁ ସୁଯୋଗ ଦେବି, ଆପଣ କଣ ଭାବୁଛନ୍ତି ଓ କଣ ଚାହାନ୍ତି ଏହା ଜଣାନ୍ତୁ। ଆମେ ଆପଣମାନଙ୍କ ବିଚାର ଉପରେ ଚର୍ଚ୍ଚା କରିବା।

ଏଥିରେ ରାହୁଲ ଜଣେ ମହିଳାଙ୍କୁ ପଚାରିଲେ ପୁରୁଷ ମହିଳାଙ୍କୁ କାହିଁକି ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି? ଆପଣଙ୍କୁ ଲାଗୁଛି କି ପିତୃସତାତ୍ମକ ବ୍ୟବସ୍ଥା ମାଧ୍ୟମରେ ପୁରୁଷ ଆପଣଙ୍କୁ ନିୟନ୍ତ୍ରିତ କରୁଛନ୍ତି କି? ଏହାର ଜବାବରେ ମହିଳା କହିଲେ ‘ଯେତେବେଳେ ମୁଁ ନିଜକୁ ଦେଖୁଛି ମୋତେ ଲାଗୁଛି ମୁଁ ବି ଜଣେ ମଣିଷ, ହେଲେ ମୋତେ ଶୁଣିବାକୁ ପଡୁଛି ତୁମେ କେବଳ ଜଣେ ମହିଳା। ମୋତେ କୁହାଯାଉଛି ତୁମେ ଝିଅ ଓ ଖୁବ୍ ସୁନ୍ଦର କେହି ବି ତୁମକୁ ବାହା ହୋଇଯିବ ଓ ତୁମ ଜୀବନ ଭଲରେ କଟିଯିବ’। ରାହୁଲ କହିଛନ୍ତି ଯେ ଆଜି ବି ଆମ ଦେଶରେ ମହିଳାଙ୍କୁ ସେମାନଙ୍କ ହକ୍ ଦେବା ଦାନପୁଣ୍ୟ ଭଳି ଦେଖା ଯାଉଛି, ହେଲେ ଏପରି ହେବା କଥା ନୁହେଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।