ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର କେମ୍ବ୍ରିଜରେ ବିତାଇଥିବା ତାଙ୍କ ସମୟର ଏକ ସ୍ମୃତିକୁ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଥରେ ତାଙ୍କ ବାନ୍ଧବୀଙ୍କୁ ଏକ ରେଷ୍ଟୁରାଣ୍ଟକୁ ନେଇଯାଇଥିଲେ, ଯେଉଁଠି ତାଙ୍କ ମାତାପିତା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧି ପରସ୍ପରକୁ ପ୍ରଥମଥର ଭେଟିଥିଲେ। କାହାଣୀକୁ ମନେ ପକାଇ ରାହୁଲ କହିଛନ୍ତି ଯେ ସେ ତାଙ୍କ ବାନ୍ଧବୀଙ୍କୁ ସେହି ସ୍ଥାନ ଦେଖାଇବାକୁ ଚାହୁଁଥିଲେ ଯାହାର ତାଙ୍କ ମାତାପିତାଙ୍କ ପ୍ରେମ ସହ ଖାସ ଗୁରୁତ୍ୱ ରଖୁଥିଲା। ରାହୁଲ କହିଛନ୍ତି ଯେ ଏହା ଏକ ଦୀର୍ଘ କାହାଣୀ ରେଷ୍ଟୁରାଣ୍ଟରେ ତାଙ୍କର ସାକ୍ଷାତ ହୋଇଥିଲା ଓ ସେ କେମିତି ମିଳିଥିଲେ? ମୁଁ ତାଙ୍କୁ ଜଣାଇବାକୁ ଚାହୁଁଥିଲି ମୋ ମାତାପିତା କିପରି ପରସ୍ପରକୁ ଭେଟିଥିଲେ।

ରାହୁଲଙ୍କ ଏହି ସ୍ମୃତି ତାଙ୍କ ମା ସୋନିଆ ଗାନ୍ଧିଙ୍କ ଅତ୍ମଜୀବନୀ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ନଭେମ୍ବର ୧୦ ତାରିଖରେ ପ୍ରକାଶିତ ହେବାର କିଛିଦିନ ପରେ ଆସିଛି। ଏହି ପୁସ୍ତକଟି ରାଜୀବ ଗାନ୍ଧିଙ୍କ ସହ ପ୍ରାରମ୍ଭିକ ବର୍ଷମାନଙ୍କୁ ସୋନିଆ ବଖାଣିଛନ୍ତି। ସୋନିଆ ଲେଖିଛନ୍ତି ଯେ ସେ ରାଜୀବ ଗାନ୍ଧିଙ୍କୁ ୧୯୬୫ ମସିହାରେ ଇଂଲଣ୍ଡ କେମ୍ବ୍ରିଜର ଏକ ଛୋଟ ଗ୍ରୀକ ରେଷ୍ଟୁରାଣ୍ଟ ‘ଭର୍ସିଟି ରେଷ୍ଟୁରାଣ୍ଟ’ରେ ଭେଟିଥିଲେ। ୟୁରୋପ ଓ ଭାରତୀୟ ଛାତ୍ରମାନେ ପ୍ରାୟତଃ ଏହି ରେଷ୍ଟୁରାଣ୍ଟକୁ ଆସିଥାନ୍ତି।

ସୋନିଆ ଇଂଲଣ୍ଡରେ ଇଟାଲୀୟ ଖାଦ୍ୟ ଖୋଜୁଥିଲେ, ତାଙ୍କୁ ସେହି ଠାରେ ସେଭଳି ଖାଦ୍ୟ ମିଳିଯାଇଥିଲା ଓ ରାଜୀବ ଏବଂ ମୋର ଉଭୟଙ୍କ ବନ୍ଧୁ ମୋତେ ରାଜୀବଙ୍କ ସହ ସାକ୍ଷାତ କରାଇଥିଲେ। ପୁସ୍ତକ ପ୍ରକାଶନ ପୂର୍ବରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ ସୋନିଆ କହିଥିଲେ ଯେ ଏହି ସାକ୍ଷାତ ପରେ ପରେ ରାଜୀବଙ୍କ ସହ ମୋତେ ଖୁବ ଅନ୍ତରଙ୍ଗ ଲାଗିଥିଲା। ସୋନିଆ ରାଜୀବଙ୍କୁ ଜଣେ ସଜ୍ଜନ ବ୍ୟକ୍ତି ବୋଲି ମଧ୍ୟ କହିଛନ୍ତି। ଉଭୟ ସାଙ୍ଗ ହୋଇଯାଇଥିଲେ ଓ ସେମାନେ ପାର୍ଟିରେ ପରସ୍ପରକୁ ଭେଟିବାରେ ଲାଗିଥିଲେ। ବିଭିନ୍ନ ସ୍ଥାନରେ ସେମାନେ ଏକାଠି ଦେଖାଯାଉଥିଲେ। ୨୫ ପେବୃଆରୀ ୧୯୬୮ରେ ସେମାନଙ୍କ ବିବାହ ହୋଇଥିଲା।

ସୋନିଆ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ କେମ୍ବ୍ରିଜର ଏକ ଛୋଟ ଗ୍ରୀକ ରେଷ୍ଟୁରାଣ୍ଟରୁ ମୋର ପ୍ରେମ ଆରମ୍ଭ ହୋଇଥିଲା, ରାଜୀବ ଓ ମୁଁ ପ୍ରେମ, ହସ ଓ ସ୍ମୃତିର ଦୁନିଆ ରଚିଥିଲୁ। ୫୪୪ ପୃଷ୍ଠାର ଏହି ପୁସ୍ତକକୁ ହାର୍ପର କୋଲିନ୍ସ ଇଣ୍ଡିଆ ପ୍ରକାଶିତ କରିଛି। ଏଥିରେ ସୋନିଆ ଗାନ୍ଧିଙ୍କ ଇଟାଲୀରେ ବାଲ୍ୟ ଜୀବନ ସହ ଭାରତରେ ତାଙ୍କର ପରିବାର ଓ ରାଜନୀତିରେ କଟାଇଥିବା ବର୍ଷ ସମ୍ପର୍କରେ ଉଲ୍ଲେଖ ରହିଛି। ଏଥିରେ ଭାରତୀୟ ରିତି ରିବାଜରେ ତାଙ୍କର ବିବାହ, ସଂସ୍କୃତି ସହ କିପରି ତାଳମେଳ କଲେ ଓ ଗାନ୍ଧି ପରିବାରରେ ସାମିଲ ହେବା ତାଙ୍କର କିପରି ଥିଲା ଏହା ଜଣାଇଛନ୍ତି। ଏଥିରେ ତାଙ୍କ ଜୀବନର ସବୁଠୁ ଦାରୁଣ ସମୟ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି।

୧୯୮୪ରେ ତାଙ୍କ ଶାଶୂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା, ୧୯୯୧ରେ ତାଙ୍କ ସ୍ୱାମୀ ରାଜୀବ ଗାନ୍ଧିଙ୍କ ହତ୍ୟା ଛଡା ବହିରେ ତାଙ୍କର ରାଜନୀତିକୁ ଆସିବା ଓ ଅଖିଳ ଭାରତୀୟ କଂଗ୍ରେସ ସଭାପତି ଭାବେ ତାଙ୍କ ସମୟ ସମ୍ପର୍କରେ କୁହାଯାଇଛି। ଏଥିରେ ୨୦୦୪ ମସିହା ଲୋକସଭା ନିର୍ବାଚନରେ ପାର୍ଟିର ବିଜୟ ଓ ପ୍ରଧାନମନ୍ତ୍ରୀଙ୍କ ପଦ ଗ୍ରହଣ ନକରିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ ରାହୁଲ ଗାନ୍ଧିଙ୍କ କାହାଣୀ ସେହି ରେଷ୍ଟୁରାଣ୍ଟ ସହିତ ପରିବାର ସମ୍ପର୍କର ଏକ ବ୍ୟକ୍ତିଗତ ଚାପ୍ଟର ଯୋଡିଛି, ଯେଉଁଠୁ ତାଙ୍କ ମାତାପିତାଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା।