ସୁଲତାନପୁର, ୨୬/୧୦ : ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି । ଲୋକସଭାର ବିରୋଧୀ ଦଳ ନେତା ତଥା ରାହୁଲ ଗାନ୍ଧୀଙ୍କୁ ଏକ ମାନହାନୀ ମାମଲାରେ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ତାଙ୍କୁ ଦୋଷମୁକ୍ତ କରାଯାଇଛି । ୨୦୧୮ରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ରାହୁଲ ଏକ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଯାହାକୁ ନେଇ ମାନହାନୀ ମାମଲା ହୋଇଥିଲା ।

ମାମଲାର ଶୁଣାଣି ପାଇଁ ରାହୁଲ ସୁଲତାନପୁର ସ୍ଥିତ ଏମପି-ଏମଏଲଏ ଅଦାଲତରେ ପହଁଚିଥିଲେ । କୋର୍ଟ ଏହି ମାମଲାରେ ରାହୁଲଙ୍କୁ ଦୋଷମୁକ୍ତ କରିଛନ୍ତି । ରାହୁଲଙ୍କ ଓକିଲ କାଶୀ ପ୍ରସାଦ ଶୁକ୍ଳା କହିଛନ୍ତି ଯେ, ସୁଲତାନପୁରର ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟ ରାହୁଲଙ୍କୁ ଦୋଷମୁକ୍ତ କରିଛନ୍ତି । ଏହା ରାହୁଲଙ୍କ ବିଜୟ ବୋଲି ସେ ପ୍ରକାଶ କରିଛନ୍ତି ।

Also Read :- ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ, ଏକ୍ସପ୍ରେସ୍ ଓ୍ୱେ'ରେ ପଛକୁ ପଛ ଧକ୍କା ହେଲା ଗାଡି଼

ସୂଚନାଯୋଗ୍ୟ, ୨୦୧୮ରେ କର୍ଣ୍ଣାଟକ ନିର୍ବାଚନ ସମୟରେ ବେଙ୍ଗାଲୁରରେ ରାହୁଲ ଏକ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେ ଅମିତ ଶାହଙ୍କ ବିରୋଧରେ କିଛି ଆପତ୍ତିଜନକ ଟିପ୍ପଣୀ କରିଥିଲେ । ସେହି ସମୟରେ ଶାହ ବିଜେପିର ଜାତୀୟ ଅଧ୍ୟକ୍ଷ ଥିଲେ ।

ଘଟଣା ପରେ ୨୦୧ ଅଗଷ୍ଟ ୪ ତାରିଖରେ ବିଜେପି ନେତା ବିଜୟ ମିଶ୍ରା ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଦାଖଲ କରିଥିଲେ । ତେବେ ୨୦୨୩ ଅଗଷ୍ଟ ୨୭ରେ ରାହୁଲଙ୍କୁ ମାମଲା ବାବଦରେ ନୋଟିସ କରାଯାଇଥିଲା । ୨୦୨୪ରେ ତାଙ୍କୁ କୋର୍ଟ ମାମଲାରେ ଜାମିନ ପ୍ରଦାନ କରିଥିଲେ । ଏହାପରେ ୨୦୨୫ ଫେବ୍ରୁଆରୀ ୨୮ରେ ଅଭିଯୋଗକାରୀ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ । କିନ୍ତୁ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆବେଦନ ଖାରଜ ପରେ ବିଜୟ ମିଶ୍ରା ସ୍ୱତନ୍ତ୍ର ସେସନ୍ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ । ଏଠାରେ ମଧ୍ୟ ସେ ନିରାଶ ହୋଇଥିଲେ । ପରେ ହାଇକୋର୍ଟରେ ମଧ୍ୟ ମାମଲାକୁ ଖାରଜ କରାଯାଇଥିଲା । ଶେଷରେ ଏମପି-ଏମଏଲଏ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।