ସୁଲତାନପୁର, ୨୬/୧୦ : ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ । ଉତ୍ତର ପ୍ରଦେଶର ସୁଲତାନପୁରରେ ଲୋକସଭା ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କିଛି ଗାଡି ପରସ୍ପରକୁ ଧକ୍କା ଦେଇଛନ୍ତି । ଦୁର୍ଘଟଣା ସେହି ସମୟରେ ହୋଇଛି ଯେତେବେଳେ ରାହୁଲ ଲକ୍ଷ୍ନୌରୁ ସୁଲତାନପୁର ଗସ୍ତ କରୁଥିଲେ । ତେବେ ରାହୁଲଙ୍କ ଗାଡି ସୁରକ୍ଷିତ ଥିବା ଜଣା ପଡିଛି ।

ରିପୋର୍ଟ ଅନୁସାରେ, ରାହୁଲ ସୋମବାର ଲକ୍ଷ୍ନୌରୁ ସୁଲତାନପୁର ଗସ୍ତ କରୁଥିଲେ । ହେଲେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଓ୍ୱେରେ ତାଙ୍କ କାରକେଡ୍ ଦୁର୍ଘଟଣାର ସାମ୍ନା କରିଥିଲା । ଏହି ସ୍ଥାନ ହଲିୟାପୁର ଥାନା ଅଧିନରେ ଆସୁଛି । ରାହୁଲଙ୍କ କାର ପଛରେ ଯାଉଥିବା କିଛି କାର ପରସ୍ପର ସହ ଧକ୍କା ହୋଇଥିଲେ । କିନ୍ତୁ କେଉଁ କାରଣରୁ ଗାଡି ଗୁଡିକ ଧକ୍କା ହୋଇଥିଲେ ତାହା ଜଣା ପଡି ନାହିଁ ।

Also Read :- ସଫା ହେଉଥିଲା ନର୍ମଦା ନଦୀ, କୂଳରୁ ମିଳିଲା ଶହ ଶହ ଭୋଟର୍ କାର୍ଡ !

ରାହୁଲ ସକାଳ ୭ଟାରେ ସୁଲତାନପୁର ଗସ୍ତ କରିଥିଲେ । ୨୦୧୮ରେ ଏକ ଅପରାଧିକ ମାନହାନୀ ମାମଲାରେ ତାଙ୍କୁ ସୁଲତାଲପୁରର ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟରେ ହାଜର ହେବାର ଥିଲା । ହାଜର ହେବା ପାଇଁ କୋର୍ଟ ଯିବା ବେଳେ ଅଘଟଣ ଘଟିଛି ।

ଅନ୍ୟ ଦିଗରେ ଦୁର୍ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନି । କିଛି ଗାଡି କ୍ଷତିଗ୍ରସ୍ତ ହୋଇଛି । ରାହୁଲ ଗାନ୍ଧୀ ମଧ୍ୟ ସୁରକ୍ଷିତ ଅଛନ୍ତି ।