ଗୋଆ: ଫରାସୀ ଯୁଦ୍ଧ ବିମାନ ରାଫେଲ୍ ମେରିନ ୨୯ ଅକ୍ଟୋବର ଶୁକ୍ରବାର ସ୍ୱଦେଶୀ ବିମାନ ବାହକ ପୋତ ଆଇଏନଏସ୍ ବିକ୍ରାନ୍ତରେ ସଫଳ ଅବତରଣ କରିଛି। ସବୁଠୁ ବଡ଼ କଥା ହେଉଛି ଏହି ଅବତରଣ ପ୍ରଥମ ଚେଷ୍ଟାରେ ସମ୍ପୂର୍ଣ୍ଣ ସଠିକ ଓ ସଫଳ ହୋଇଛି। ରାଫେଲ ଯୁଦ୍ଧ ବିମାନର ଏହି ଅବତରଣକୁ ନୌସେନାରେ ଏହାକୁ ସାମିଲ ପୂର୍ବରୁ ବିମାନ ବାହକ ପୋତ କାର୍ଯ୍ୟରେ ସମନ୍ୱୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଏବେ ବିବେଚନା କରାଯାଉଛି।

ସୂତ୍ର ଅନୁସାରେ ଭାରତୀୟ ନୌସେନା ଏବେ ଗୋଆରେ ରାଫେଲ ମେରିନ୍ ର ବ୍ୟାପକ ଉଡାଣ ପରୀକ୍ଷଣ କରୁଛି। ଏହି ସବୁ ପରୀକ୍ଷଣର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆଇଏନଏସ୍ ବିକ୍ରାନ୍ତର ଡେକ୍ ଓ ସ୍କି-ଜମ୍ପ ସିଷ୍ଟମରୁ କାର୍ଯ୍ୟପାଇଁ ବିମାନକୁ ସମ୍ପୂର୍ଣ୍ଣ ଭାବେ ଅନୁକୂଳ କରିବା ଲାଗି କେଉଁ ବିଷୟର ସଂଶୋଧନ ଅଥବା ପରିବର୍ତ୍ତନର ଆବଶ୍ୟକତା ରହିଛି ତାହା ବୁଝିବା। ବିମାନ ଓ ଯୁଦ୍ଧ ଜାହାଜ ମଧ୍ୟରେ ସମନ୍ୱୟ ସୁନିଶ୍ଟିତ କରିବା ପାଇଁ ଏହି ପ୍ରକ୍ରିୟା କରାଯାଉଛି।

ଭାରତୀୟ ନୌସେନାର ଷ୍ଟ୍ରାଇକ୍ କ୍ୟାପାବିଲିଟିକୁ ଆଧୁନିକ କରିବା ପାଇଁ ଭାରତ ପ୍ରାୟ ୬୩ହଜାର କୋଟି ଟଙ୍କାର ଫ୍ରାନ୍ସ ସହ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁସାରେ ଫ୍ରାନ୍ସ ୨୬ଟି ମେରିନ ଫାଇଟର ଜେଟ୍ ଭାରତୀୟ ନୌସେନାକୁ ପ୍ରଦାନ କରିବ। ଏଥିରେ ୨୨ ଗୋଟି ସିଙ୍ଗଲ ସିଟ୍ ଯୁଦ୍ଧ ବିମାନ ଓ ୪ଟି ୨ଟିକିଆ ଆସନର ପ୍ରଶିକ୍ଷଣ ବିମାନ ଯୋଗାଇ ଦେବ। ଏହି ବିମାନ ସ୍କ୍ୱାଡ୍ରନ ଭାରତକୁ ୨୦୩୦ ସୁଦ୍ଧା ମିଳିଯିବ ବୋଲି ଆଶା କରାଯାଉଛି। ଏହି ସମୟରେ ନୌସେନା ପାଇଲଟ ଓ ଟେକ୍ନିକାଲ କର୍ମଚାରୀଙ୍କୁ ଫ୍ରାନ୍ସ ଓ ଭାରତରେ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯିବ।