ରାଜକୋଟ: ଗୁଜରାଟର ରାଜକୋଟରେ ଶୁକ୍ରବାର ଖେଳାଯାଇଥିବା ୟୁଥ୍ ୱାନ୍ଡରେ ଭାରତୀୟ ଅଣ୍ଡର-୧୯ ଦଳ ଅଷ୍ଟ୍ରେଲିଆ ଅଣ୍ଡର-୧୯କୁ ୭ ରନ୍ରେ ପରାସ୍ତ କରିଛି। ଏହି ଦିନିକିଆ ମ୍ୟାଚ୍କୁ ବର୍ଷା ଯୋଗୁ ୨୦ ଓଭର ବିଶିଷ୍ଟ କରାଯାଇଥିଲା। ମ୍ୟାଚ୍ ଜିତିବା ପରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।

ଶୁକ୍ରବାର, ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ତାଙ୍କର ଅଣ୍ଡର-୧୯ ଡେବ୍ୟୁ କରିଥିଲେ। ଆଜିର ମ୍ୟାଚ୍ରେ ସେ ଓପନିଂ କରି ୨୮ ରନ କରିଥିଲେ। ରାହୁଲ ଦ୍ରାବିଡଙ୍କ ପୁଅ ଅନ୍ୱୟ ଦ୍ରାବିଡ ମଧ୍ୟ ୧୮ ବଲରେ ୩୮ ରନ କରିଥିଲେ।

ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୮୨/୬ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ କେବଳ ୧୭୫/୭ କରିପାରିଥିଲା। ଏହି ବିଜୟ ସହିତ, ଭାରତ ଅଣ୍ଡର-୧୯ ତିନି ମ୍ୟାଚ୍ ବିଶିଷ୍ଟ ଯୁବ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଆର୍ଯ୍ୟବୀରଙ୍କ ୫ ଚୌକା

ବାପା ବୀରେନ୍ଦ୍ର ସେହୱାଗଙ୍କ ପରି ଆର୍ଯ୍ୟବୀର ଆଜିର ମ୍ୟାଚ୍ରେ କ୍ୟାପ୍ଟେନ୍ ଲକ୍ଷ ରାୟଚନ୍ଦାନୀଙ୍କ ସହ ଓପନିଂ କରିଥିଲେ। ସେ ତାଙ୍କ ଇନିଂସରେ ୨୬ ବଲ୍ରେ ୨୮ ରନ୍ କରିବା ସହିତ ୫ଟି ଚୌକା ମାରିଥିଲେ। ଏହାପରେ ଅଷ୍ଟ୍ରେଲୀୟ ବୋଲର ସ୍ପେନ୍ସର ଗ୍ରୀନ ତାଙ୍କୁ ଆଉଟ୍ କରିଦେଇଥିଲେ। ଏହାପରେ ରାୟଚନ୍ଦାନୀ ୧୫ ଓ କୁଶାଗ୍ର ଓଝା ୧୬ ରନ କରି ଆଉଟ ହୋଇଯାଇଥିଲେ। ଫଳରେ ଭାରତ ମାତ୍ର ୬୫ ରନରେ ୩ ୱିକେଟ ହରାଇ ଚାପରେ ରହିଥିଲା।

୮୮ ରନ୍ରେ ୪ ୱିକେଟ୍: ସ୍ଥିତି ସମ୍ଭାଳିଲେ ଜୁନିଅର ଦ୍ରାବିଡ଼

ଭାରତ ୧୧.୫ ଓଭର ବେଳକୁ ମାତ୍ର ୮୮ ରନ କରି ୪ଟି ୱିକେଟ ହରାଇ ସରାଇଥିଲା। ଏହିଠାରୁ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ୱ.ୟ ଦ୍ରାବିଡ ଏବଂ ଯଶବର୍ଦ୍ଧନ ଚୌହାନ ଇନିଂସ ସମ୍ଭାଳିଥିଲେ। ଅନ୍ୱୟ ଆରମ୍ଭରେ ସତର୍କତାର ସହିତ ବ୍ୟାଟିଂ କରିଥିଲେ, କିନ୍ତୁ ବ୍ୟାଟେ ସେଟ୍ ହେବା ପରେ ସେ ଦ୍ରୁତ ଗତିରେ ରନ ବନାଇବା ପାଇଁ ଆକ୍ରମଣାତ୍ମକ ସଟ୍ ମାରିବା ଆରମ୍ଭ କରିଥିଲେ। ସେ ୧୮ ବଲରେ ୨ଟି ଚୌକା ଏବଂ ୩ଟି ଛକା ସହିତ ମୋଟ ୩୮ ରନ କରିଥିଲେ।

Also Read- କେକେଆର୍ ନା ସିଏସ୍କେ ? ଆଇପିଏଲରେ ଭବିଷ୍ୟତକୁ ନେଇ ଚର୍ଚ୍ଚା ଭିତରେ ରୋହିତ ଦେଲେ ଜବାବ

ମ୍ଯାଚ୍ରେ ଯଶୱର୍ଦ୍ଧନ ଚୌହାନ ୩୪ ବଲ୍ରେ ୫୪ ରନ୍ କରିଥିବା ବେଳେ ଇନିଂସରେ ୫ ଚୌକା ଏବଂ ୨ଟି ଛକା ମାରିଥିଲେ। ଏହି ଦୁଇ ବ୍ୟାଟର ମିଶି ଭାରତର ଇନିଂସକୁ ଏକ ଜଟିଳ ପରିସ୍ଥିତିରୁ ଭଲ ସ୍ଥିତିକୁ ନେଇଯିବାକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

୧୭.୩ ଓଭର ଖେଳ ବେଳକୁ ଅନ୍ୱୟ ଆଉଟ୍ ହୋଇ ଫାଭିଲିଅନ ଫେରିଥିଲେ।ଫଳରେ ଭାରତ ୧୫୭/୫ ସ୍କୋର କରିଥିଲା। ୧୯.୪ ଓଭରରେ ଯଶୱର୍ଦ୍ଧନ ଆଉଟ୍ ହେବା ପରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୨/୬ ସ୍କୋର କରିବାରେ ସଫଳ ହୋଇଥିଲା।

ଅଷ୍ଟ୍ରେଲିଆର ଦ୍ରୁତ ଆରମ୍ଭ

୧୮୩ ରନ୍ ପିଛା କରି ଅଷ୍ଟ୍ରେଲିଆ ଏକ ଦ୍ରୁତ ଆରମ୍ଭ କରିଥିଲା। ନୀଲ୍ ପଟେଲ ୩୧ ବଲରୁ ୪୫ ଏବଂ ହେଡେନ୍ ବାର୍ବୁଲୋଭିକ୍ ୨୪ ବଲରୁ ୪୦ ରନ୍ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫୮ ରନ୍ ଯୋଡିଥିଲେ। ଏହାପରେ ଅଧିନାୟକ ଜ୍ୟାକ ସେନସାକ ୨୭ ବଲରୁ ୬ ଚୌକା ଏବଂ ୩ଟି ଛକା ସହାୟତାରେ ୫୫ ରନ କରି ଅଷ୍ଟ୍ରେଲିଆକୁ ମ୍ୟାଚରେ ତିଷ୍ଟି ରଖିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନର୍ବାହ କରିଥିଲେ। ୧୮.୫ ଓଭରରେ ସେ ଆଉଟ ହେବା ବେଳକୁ ଅଷ୍ଟ୍ରେଲିଆ ୧୭୧ ରନ କରିଥିଲା।

ଶେଷ ୨ ଓଭରରେ ମ୍ୟାଚ୍‌ର ମୋଡ଼ ବଦଳାଇଲା ଭାରତ

ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତିବାକୁ ଶେଷ ୭ ବଲ୍ରେ ୧୨ ରନ୍ ଆବଶ୍ୟକ ଥିଲା। ହେଲେ ଭାରତର ବୋଲରମାନେ ଗେମ ଚେଞ୍ଜ କରିଦେଇଥିଲେ। ଆକ୍ରମଣାତ୍ମକ ବୋଲିଂ କରି ଦ୍ରୁତ ୱିକେଟ୍ ନେଇ ବିରୋଧୀ ଦଳକୁ ୧୭୫/୭ରେ ଅଟକାଇ ଦେଇଥିଲେ। ୧୯.୫ତମ ଓଭରରେ ଚାର୍ଲ୍ସ ହେଣ୍ଡରସନ୍ ରନ ଆଉଟ୍ ହୋଇଥିଲେ ଏବଂ ବ୍ଲେକ୍ କେଟଲ୍ ଶେଷ ବଲ୍ରେ ଆଉଟ୍ ହୋଇଥିଲେ। ଫଳରେ ଅଷ୍ଟ୍ରେଲିଆ ମ୍ୟାଚ୍କୁ ୭ ରନ୍ରେ ହାରିଯାଇଥିଲା।