ଭୁବନେଶ୍ବର ୩।୭: ୨୦୨୭ ପଞ୍ଚାୟତ ସାଧାରଣ ନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତିର ଗତିକୁ ନେଇ ପ୍ରଶ୍ନ ଉଠିଛି । ଶାସକ ଦଳ ବର୍ତ୍ତମାନ ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ ଚାହୁଁଚି କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି । କାରଣ ବାଲାଟ୍ ପେପର ଛପା ପାଇଁ ଆବଶ୍ୟକ ୱାଟରମାର୍କ କାଗଜ କ୍ରୟ ନିମନ୍ତେ ପାଣ୍ଠି ବରାଦ ମାଗି ରାଜ୍ୟ ମୁଦ୍ରଣ, ଲେଖନ ସାମଗ୍ରୀ ଓ ପ୍ରକାଶନ ନିର୍ଦ୍ଦେଶାଳୟ ମାସକ ମଧ୍ୟରେ ଦୁଇଥର ରାଜ୍ୟ ନିର୍ବାଚନ କମିଶନକୁ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ମତି ମିଳିନାହିଁ । ଫଳରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇପାରୁନଥିବା ସରକାରୀ ପତ୍ରରୁ ସ୍ପଷ୍ଟ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମୁଦ୍ରଣ ନିର୍ଦ୍ଦେଶାଳୟ ପ୍ରଥମେ ୧୦ ଜୁନ୍ ୨୦୨୬ରେ ରାଜ୍ୟ ନିର୍ବାଚନ କମିଶନକୁ ଚିଠି ଲେଖି ୱାଟରମାର୍କ କାଗଜ କ୍ରୟ ପାଇଁ ଆବଶ୍ୟକ ପାଣ୍ଠି ବରାଦ ନିମନ୍ତେ ସମ୍ମତି ଲୋଡ଼ିଥିଲା । ଏଥିରେ କୁହାଯାଇଥିଲା ଯେ, ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପ୍ରକାରର ବାଲାଟ୍ ପେପର ମୁଦ୍ରଣ ନିମନ୍ତେ ୱାଟରମାର୍କ କାଗଜ ଟେଣ୍ଡର ମାଧ୍ୟମରେ କ୍ରୟ କରାଯିବ । ତେଣୁ ତୁରନ୍ତ ପାଣ୍ଠି ବରାଦ ପାଇଁ ସମ୍ମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା ।

ତେବେ ପ୍ରାୟ ତିନି ସପ୍ତାହ ପରେ ମଧ୍ୟ ସମ୍ମତି ନମିଳିବାରୁ ୨ ଜୁଲାଇ ୨୦୨୬ରେ ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ପୁଣି ଏକ ସ୍ମାରକ ପତ୍ର ଲେଖିଛନ୍ତି । ସେଥିରେ ଦର୍ଶାଯାଇଛି ଯେ, ପାଣ୍ଠି ବରାଦ ସମ୍ମତି ମିଳିଲେ ହିଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ସମୟମଧ୍ୟରେ ବାଲାଟ୍ ପେପର ପ୍ରସ୍ତୁତି ସମ୍ପନ୍ନ କରିବା ପାଇଁ ଶୀଘ୍ର ଅନୁମୋଦନ ଦେବାକୁ ପୁଣି ଅନୁରୋଧ କରାଯାଇଛି ।

Also Read:- ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ; ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ସମୃଦ୍ଧ ଓଡ଼ିଶା ଗଠନ ନେଇ ସକରାତ୍ମକ ଆଲୋଚନା

ପତ୍ରରେ ଆହୁରି ଉଲ୍ଲେଖ ରହିଛି ଯେ, ୱାର୍ଡ ସଦସ୍ୟ, ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟଙ୍କ ବାଲାଟ୍ ପେପର ପାଇଁ ପ୍ରାୟ ୮୭ ମେଟ୍ରିକ ଟନ୍ ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କ ବାଲାଟ୍ ପେପର ପାଇଁ ପ୍ରାୟ ୯୪ ମେଟ୍ରିକ ଟନ୍ ୱାଟରମାର୍କ କାଗଜ ଆବଶ୍ୟକ ହେବ । ଚାରି ପ୍ରକାର ରଙ୍ଗର ବାଲାଟ୍ ପେପର ମୁଦ୍ରଣ ପାଇଁ ଏହି କାଗଜ ଟେଣ୍ଡର ଜରିଆରେ କ୍ରୟ କରାଯିବ । ଟେଣ୍ଡର ଚୂଡ଼ାନ୍ତ ହେବା ପରେ ପ୍ରକୃତ କ୍ରୟ ବ୍ୟୟ ନିର୍ଦ୍ଧାରଣ ହେବ ବୋଲି ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି ।

ଲଗାତାର ଦୁଇଟି ସରକାରୀ ପତ୍ର ସତ୍ତ୍ୱେ ପାଣ୍ଠି ବରାଦ ନେଇ ସମ୍ମତି ମିଳିନଥିବାରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତିର ଗତି ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ବିଳମ୍ବର କାରଣ ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ସାମ୍ନାକୁ ଆସିନାହିଁ ।