ନୂଆଦିଲ୍ଲୀ: ଦୁଇ ଦୁଇ ଥର ଅଲିମ୍ପିକ ପଦକ ବିଜୟିନୀ ପି. ଭି. ସିନ୍ଧୁ ଚଳିତ ଜାପାନ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା କ୍ଵାର୍ଟରଫାଇନାଲ୍ ମ୍ୟାଚ୍ ପୂର୍ବରୁ ପୂର୍ବତନ ବିଶ୍ୱ ଚାମ୍ପିଅନ ଜାପାନର ନୋଜୋମି ଓକୁହାରା ଆହତ ଜନିତ ସମସ୍ୟା କାରଣରୁ ନିଜ ନାମ ପ୍ରତ୍ୟାହାର କରିନେଇଥିଲେ । ଫଳରେ ସିନ୍ଧୁଙ୍କୁ ସହଜରେ ସେମିଫାଇନାଲ୍ ଟିକେଟ୍ ମିଳିଯାଇଛି। ପ୍ରାୟ ତିନି ବର୍ଷ ମଧ୍ୟରେ ସିନ୍ଧୁ ପ୍ରଥମ ଥର ପାଇଁ କୌଣସି ସୁପର ୭୫୦ ଇଭେଣ୍ଟର ସେମିରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ୨୦୨୩ ଡେନମାର୍କ ଓପନ୍‌ରେ ଏହି ସଫଳତା ପାଇଥିଲେ। 

ଚଳିତ ସିଜନରେ ଏହା ତାଙ୍କର ତୃତୀୟ ସେମିଫାଇନାଲ୍ ପ୍ରବେଶ । ଏହା ପୂର୍ବରୁ ସେ ମାଲେସିଆ ଓପନ୍ ସୁପର ୧୦୦୦ ଏବଂ ଅଷ୍ଟ୍ରେଲିଆନ ଓପନ୍ ସୁପର ୫୦୦ ରେ ଭଲ ପ୍ରଦର୍ଶନ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ଏକ ଆଶ୍ଚର୍ଯ୍ୟଜନକ ସଂଯୋଗ କ୍ରମେ, ଓକୁହାରା ନିଜେ ମଧ୍ୟ ପ୍ରି-କ୍ଵାର୍ଟରଫାଇନାଲ୍‌ରେ ଅନୁରୂପ ଭାବେ ବିଜୟୀ ହୋଇଥିଲେ। ଦକ୍ଷିଣ କୋରିଆର ଷ୍ଟାର୍ ଖେଳାଳି ଅନ୍ ସେ-ୟଙ୍ଗ ବାମ ପାଦରେ ଆଘାତ ଯୋଗୁଁ ଓହରି ଯିବା ଫଳରେ ଓକୁହାରା କ୍ଵାର୍ଟରଫାଇନାଲକୁ ଆସିଥିଲେ। କିନ୍ତୁ ସେ ଆହତ ଯୋଗୁଁ କ୍ବାର୍ଟର ଫାଇନାଲରେ ଖେଳିପାରିଲେ ନାହିଁ ।

ସେମିଫାଇନାଲ୍‌ରେ ହେବ କଡ଼ା ଟକ୍କର
ସେମିଫାଇନାଲରେ ସିନ୍ଧୁଙ୍କ ମୁକାବିଲା ଟୋକିଓ ଅଲିମ୍ପିକ ଚାମ୍ପିଅନ ଚାଇନାର ଚେନ୍ ୟୁଫେଇଙ୍କ ସହ ହେବ। ଚେନ୍ ୟୁଫେଇ ଅନ୍ୟ ଏକ କ୍ଵାର୍ଟରଫାଇନାଲ୍ ମ୍ୟାଚ୍‌ରେ ଦକ୍ଷିଣ କୋରିଆର ସିମ୍ ୟୁ ଜିନଙ୍କୁ ୨୧-୧୦, ୨୧-୧୨ ରେ ସହଜରେ ପରାସ୍ତ କରି ଟୋକିଓ ମେଟ୍ରୋପଲିଟାନ ଜିମନାସିୟମରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଶେଷ ଚାରିରେ ସ୍ଥାନ ପକ୍କା କରିଛନ୍ତି। ଚତୁର୍ଥ ମାନ୍ୟତା ପ୍ରାପ୍ତ ଚାଇନିଜ୍ ଖେଳାଳି ଚେନ୍ ୟୁଫେଇ, ବିଶ୍ୱର ୧୨ ନମ୍ବର ଖେଳାଳି ସିନ୍ଧୁଙ୍କ ବିପକ୍ଷରେ ୮-୬ ରେ ଆଗୁଆ ଅଛନ୍ତି।

ଦୁହିଁଙ୍କ ମଧ୍ୟରେ ହୋଇଥିବା ଶେଷ ଚାରୋଟିଯାକ ମ୍ୟାଚରେ ଚେନ୍ ବିଜୟୀ ହୋଇଛନ୍ତି, ଯେଉଁଥିରେ ଚଳିତ ବର୍ଷର ଇଣ୍ଡୋନେସିଆ ମାଷ୍ଟର୍ସର ସିଧାସଳଖ ଗେମ୍ ବିଜୟ ସାମିଲ । ସିନ୍ଧୁ ଶେଷ ଥର ପାଇଁ ୨୦୧୯ ବିଶ୍ୱ ଚାମ୍ପିଅନସିପ୍ ସେମିଫାଇନାଲ୍‌ରେ ଚେନଙ୍କୁ ପରାସ୍ତ କରିଥିଲେ। ସେହି ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତି ଭାରତର ପ୍ରଥମ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନ ହେବାର ଐତିହାସିକ ଗୌରବ ହାସଲ କରିଥିଲେ। ଇତିହାସକୁ ଦୋହରାଇ ସିନ୍ଧୁ ପୁଣି ଥର ଫାଇନାଲ୍‌ରେ ପହଞ୍ଚିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ଏହା ପୂର୍ବରୁ ଦାଇହାତସୁ ଜାପାନ ଓପନ୍'ର ପ୍ରି-କ୍ୱାର୍ଟର ଫାଇନାଲ୍ (ରାଉଣ୍ଡ ଅଫ୍ ୧୬) ମ୍ୟାଚ୍‌ରେ ପି.ଭି. ସିନ୍ଧୁ ବିଶ୍ୱର ୫ ନମ୍ବର ଖେଳାଳି ଚୀନର ହାନ୍ ୟୁ (Han Yue) ଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି କ୍ବାର୍ଟର ଫାଇନାଲକୁ ଯାଇଥିଲେ ।