ପୁରୀ: ଘୋଷଯାତ୍ରାର ଆଜି ତୃତୀୟ ଦିବସ । ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ । ସକାଳୁ ରଥାରୂଢ଼ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ସଂଧ୍ୟାଧୂପ ପରେ ପହଣ୍ଡି ଆରମ୍ଭ ହେବ । ତେବେ ଏହା ପୂର୍ବରୁ ପୁରୀ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଜାମ ହୋଇଛି ।

ରଥାରୂଢ଼ ଠାକୁରଙ୍କୁ ଦେଖିବା ପାଇଁ ଗାଡ଼ି ଧରି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ରାତିସାରା ଲଗାଣ ବର୍ଷା ଏବଂ ଅଧିକ ସଂଖ୍ୟକ ଗାଡ଼ି ଯୋଗୁଁ ଦେଖା ଦେଇଛି ଟ୍ରାଫିକ୍ ଜାମ୍ । ମାଳତୀପାଟପୁର ଠାରୁ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ କାର୍, ବାଇକ, ଅଟୋ, ଟ୍ୟାକ୍ସିର ଲମ୍ବା ଲାଇନ୍ ଜମିଛି । ଯେଉଁଠି ଅଛନ୍ତି, ସେଇଠି ଅଟକି ରହିଛନ୍ତି । ବାଟଗାଁଠାରେ ମୂଷଳଧାରାରେ ବର୍ଷା ଯୋଗୁଁ ଗାଡ଼ି ଚଳାଚଳ ବହୁତ ଧିମା ହୋଇଯାଇଛି । ସେପଟେ ଓଡ଼ିଶା ପୋଲିସ ସମସ୍ତ ଶ୍ରଦ୍ଧାଳୁ/ଭକ୍ତମାନଙ୍କୁ ଅନୁରୋଧ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ କିଛି ସମୟ ଅପେକ୍ଷା କରନ୍ତୁ ଏବଂ ବର୍ଷା କମିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ ବୋଲି କହିଛି ।