ପୁଣେ: ପିମ୍ପରି-ଚିଞ୍ଚୱାଡରେ ବୁଧବାର ମଧ୍ୟାହ୍ନରେ ଏକ ଭୀଷଣ ଦୁର୍ଘଟଣା ଘଟିଛି। ‘ୱେଷ୍ଟ-ଟୁ-ଏନର୍ଜୀ’ ପ୍ରକଳ୍ପ ସ୍ଥଳରେ ଏକ ନିର୍ମାଣାଧୀନ ଭବନର ଗୋଟିଏ ଅଂଶ ଭୁଶୁଡି ପଡିଛି। ଏହି ଭୁଶୁଡିପଡିଥିବା ଅଂଶ ତେଳେ ଅନୁନ୍ୟ ୧୫-୨୦ ଜଣ ଶ୍ରମିକ ଫଶି ରହିଥିବା ଆଶଙ୍କା କରାଯାଉଛି। ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ଓ ବଡ଼ ଧରଣର ଉଦ୍ଧାର ଅଭିଯାନ ହାତକୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ପୁରା ପ୍ରକଳ୍ପ ପିମ୍ପରି-ଚିଞ୍ଚୱାଡ ନଗରନିଗମ (ପିସିଏମସି) ପକ୍ଷରୁ ମଶି ଅଞ୍ଚଳରେ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ (ପିପିପି)ରେ ବିକଶିତ କରାଯାଉଛି।

ପ୍ରାରମ୍ଭିକ ସୂଚନା ଅନୁସାରେ ଘଟଣା କାଳରେ ବିଲ୍ଡିଂର ନିର୍ମାଣ କାମ ଚାଲିଥିଲା ଓ ସେଠାରେ ଶ୍ରମିକ କାମ କରୁଥିଲେ। ସେତେବେଳେ ବିଲ୍ଡିଂଟି ଅଚାନକ ଭୁଶୁଡିପଡିଛି। ଘର ଭୁଶୁଡିପଡିବା ଖବର ପାଇ ତୁରନ୍ତ ଦମକଳ ବିଭାଗ, ସ୍ଥାନୀୟ ପୋଲିସ ଓ ବିପର୍ଯ୍ୟୟ ପ୍ରବନ୍ଧନ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଘରର ଧ୍ୱଂସାବଶେଷ ହଟାଇବା ଓ ଫଶି ରହିଥିବା ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଜରୁରିକାଳୀନ ଟିମ୍ ଲଗାତାର କାମ କରୁଛନ୍ତି। ଖବର ପାଇ ପିମ୍ପରି-ଚିଞ୍ଚୱାଡ ନିଗମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଲ୍ଡିଂ କିପରି ଭୁଶୁଡିଲା ଏହାର ସଠିକ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କ ପ୍ରାଥମିକତା ଘର ତଳେ ଫଶି ରହିଥିବା ଲୋକଙ୍କୁ ସୁରକ୍ଷିତ ବାହାର କରିବା। ଏଣୁ ଘଟଣାସ୍ଥଳରୁ ବିଲ୍ଡିଂର ଭଗ୍ନାବଶେଷ ହଟା ଯାଉଛି। ଏହା ପରେ ହତାହତଙ୍କ ସଂଖ୍ୟା ଜଣାପଡିବ ବୋଲି କୁହାଯାଉଛି।