ନୂଆଦିଲ୍ଲୀ: ବଜାରରେ ଚିନି ଦର ବୃଦ୍ଧି ପରିପ୍ରେକ୍ଷୀରେ ଭାରତ ସରକାର ଶୁଳ୍କ ମୁକ୍ତ ଚିନି ଆମଦାନୀ ଦ୍ୱାର ଖୋଲିବାର କିଛି ଘଣ୍ଟା ପରେ ପାକିସ୍ତାନ ଚିନି ଉଦ୍ୟୋଗ ତାର ଅତିରିକ୍ତ ଭଣ୍ଡାର ପାଇଁ ଏବେ ଭାରତକୁ ଏକ ସମ୍ଭାବିତ ବଜାର ଭାବେ ଦେଖୁଛି। ଏହି ଘଟଣାକ୍ରମ ଏପରି ସମୟରେ ହେଉଛି ଯେତେବେଳେ ଭାରତ ଓ ପାକିସ୍ତାନ ସମ୍ପର୍କ ଉତ୍ତେଜନାମୂଳକ ରହିଛି। ପାକିସ୍ତାନୀ ସମ୍ବାଦପତ୍ର ‘ଦି ନ୍ୟୁଜ ଇଣ୍ଟରନ୍ୟାସନାଲ’ ପାକିସ୍ତାନ ଚିନି ଉଦ୍ୟୋଗ ପାକିସ୍ତାନ ସୁଗାର ମିଲସ୍ ଆସୋସିଏସନ (ପିଏସଏମଏ)ର ବରିଷ୍ଠ ସଦସ୍ୟଙ୍କ ସୂତ୍ରରୁ କହିଛି ଯେ ସରକାରଙ୍କୁ ଅତିରିକ୍ତ ଚିନି ଭାରତ ରପ୍ତାନୀ ଲାଗି ସମ୍ଭାବନା ସନ୍ଧାନ କରିବାକୁ ଆଗ୍ରହ କରାଯାଇଛି। ତେବେ ଭାରତ ସରକାରଙ୍କ ସୂତ୍ର ଅନୁସାରେ ଏଥି ପାଇଁ ଅନୁମତି ଦିଆଯାଇ ପାରିବନି ଓ ବାଣିଜ୍ୟ କଟକଣା ବର୍ତ୍ତମାନ ପାଇଁ ଲାଗୁ ରହିବ ବୋଲି କୁହାଯାଇଛି।

ଶୁକ୍ରବାର ମିଡିଆ ବ୍ରିଫିଙ୍ଗରେ ପାକିସ୍ତାନୀ ଚିନି ଉତ୍ପାଦକ ଭାରତୀୟ ବଜାରକୁ ଚିନି ଯୋଗାଇ ଦେବାକୁ ଆଗ୍ରହୀ ଥିବା ନେଇ ପଚରା ଯିବାରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ପାକିସ୍ତାନକୁ ନେଇ ଭାରତର ଆଭିମୁଖ୍ୟ ସର୍ବବିଦିତ ବୋଲି କହିଛନ୍ତି। ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ଓ ଯୋଗାଣ ହ୍ରାସ ଚିନ୍ତା ମଧ୍ୟରେ ଏହି ସ୍ପଷ୍ଟିକରଣ ଆସିଛି। କେନ୍ଦ୍ର ସରକାର ଉପଲବ୍ଧତା ବଢାଇବାକୁ ଏବଂ ମୂଲ୍ୟ ନିୟନ୍ତ୍ରଣ କରିବାକୁ ୧୦ଲକ୍ଷ ଟନ ଚିନି ଶୁଳ୍କ ମୁକ୍ତ ଆମଦାନୀ ନିମନ୍ତେ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Also read:ଇଥାନଲ୍ ନିର୍ଦ୍ଦୋଷ ! ଚିନି ଦର ବୃଦ୍ଧି ପଛର ଅସଲ ଭିଲେନ୍ କିଏ କହିଲେ ସରକାର

ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନ ଚିନି ଉଦ୍ୟୋଗ ନିଜ ସରକାରଙ୍କୁ ଭାରତକୁ ରପ୍ତାନୀ ସମ୍ଭାବନା ସନ୍ଧାନ କରିବାକୁ ଆଗ୍ରହ କରିଥିଲା। ତେବେ ପାକିସ୍ତାନ ଉପରେ ଲାଗିଥିବା ବାଣିଜ୍ୟ କଟକଣା ହଟାଇବାକୁ ନୂଆଦିଲ୍ଲୀ ବିଚାର କରୁ ନାହିଁ। ଇସ୍ଲାମାବାଦ ବୁଧବାର ୧.୦୫ଲକ୍ଷଟନ ଚିନି ବିକ୍ରି ପାଇଁ ବୈଶ୍ୱିକ ଟେଣ୍ଡର ଜାରି କରିଛି। ତେବେ ଭାରତକୁ ଚିନି ଆବଶ୍ୟକ ଥିଲେ ବୈଶ୍ୱିକ ବଜାରରେ ପର୍ଯ୍ୟାପ୍ତ ବିକଳ୍ପ ଥିବା ଓ ଆମକୁ ପାକିସ୍ତାନରୁ ଚିନି ମଗାଇବାର ଆବଶ୍ୟକତା ନାହିଁ ବୋଲି ସୂତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଭାରତ ବିଶ୍ୱର ସବୁଠୁ ବଡ଼ ଚିନି ଉତ୍ପୁାଦକ ଓ ଉପଭୋକ୍ତା ଦେଶ। ତେବେ ଆଖୁ ଉତ୍ପାଦନ ତଳ ଉପର ହେବା, ଚିନିର ଉପଯୋଗ ଇଥାନଲ ଉତ୍ପାଦନ ଆଡକୁ ମୋଡିବା ଯୋଗୁ ମିଲ୍ ମାନଙ୍କ ଉତ୍ପାଦନ ପରିବର୍ତ୍ତନ ହେଉଥିବାରୁ ସମୟ-ସମୟରେ ଘରୋଇ ଉପଲବ୍ଧତା କମ୍ ହୋଇପାରେ। ଘରୋଇ ମୂଲ୍ୟବୃଦ୍ଧି କାରଣରୁ ସରକାର ଯୋଗାଣ ବଢାଇବା ପାଇଁ ଆମଦାନୀ ପାଇଁ ବିଚାର କରୁଛନ୍ତି। ୧୦ଲକ୍ଷ ଟନ ଶୁଳ୍କ ମୁକ୍ତ ସୁବିଧା ଭାରତୀୟ ରିଫାଇନର ଓ ବ୍ୟବସାୟୀଙ୍କୁ ବିଦେଶୀ ଯୋଗାଣର ବିକଳ୍ପ ସାଧନ ପର୍ଯ୍ୟନ୍ତ ପହଞ୍ଚ ମିଳିବ ବୋଲି ଆଶା କରାଯାଉଛି। ପାକିସ୍ତାନୀ ଚିନି ଉତ୍ପାଦକଙ୍କ ଲାଗି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ନିକଟତମ ବଜାର, ଏପରି ସମୟରେ ଇସ୍ଲାମାବାଦ ମଧ୍ୟ ରପ୍ତାନୀର ହାତ ବଢାଇବାକୁ ଉଦ୍ୟମ କରୁଛି।