ମୁମ୍ଵାଇ ୦୫।୧୦; ବୋଲ୍ଡ ଅନ୍ଦାଜ୍ ପାଇଁ ଦିନେ ଚର୍ଚ୍ଚାରେ ଥିଲେ। ଆଉ ଏବେ ଗ୍ଲାମର ଦୁନିଆଠାରୁ ଦୂରରେ ରହି ଭକ୍ତିର ପଥ ଆପଣାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ। ବର୍ତ୍ତାମନ ସେ ବୃନ୍ଦାବନରେ ସରଳ ଜୀବନ ବିତାଉଥିବା ପ୍ରିୟଙ୍କାଙ୍କ ଜୀବନରେ ଆସିବାକୁ ଯାଉଛି ଏକ ନୂଆ ଖୁସି।

ମା’ ହେବାକୁ ଯାଉଛନ୍ତି ଭୋଜପୁରୀ ଅଭିନେତ୍ରୀ। ନିକଟରେ ସୋସିଆଲ ମିଡିଆରେ ନିଜ ଗର୍ଭାବସ୍ଥାର ଖୁସି ଖବର ଦେଇଥିଲେ ପ୍ରିୟଙ୍କା। ହେଲେ ଏବେ ତାଙ୍କର ଆଉ ଏକ ପୋଷ୍ଟ ଚର୍ଚ୍ଚାରେ ଅଛି। ଗର୍ଭବତୀ ମହିଳାଙ୍କୁ ନେଇ ଏମିତି କ’ଣ କହିଲେ ପ୍ରିୟଙ୍କା?

ସୋସିଆଲ ମିଡିଆ ଷ୍ଟୋରୀରେ ପ୍ରିୟଙ୍କା ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଲେଖାଯାଇଛି“ଗର୍ଭବତୀ ମହିଳାଙ୍କ ପ୍ରତି ଦୟାଳୁ ହୁଅନ୍ତୁ।”ଏହି ପୋଷ୍ଟରେ ସେ ଗର୍ଭବତୀ ମହିଳାଙ୍କ ମାନସିକ ଅବସ୍ଥା ଓ ଭାବନାକୁ ନେଇ ମଧ୍ୟ ବାର୍ତ୍ତା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଗର୍ଭବତୀ ମହିଳା କେବଳ ନିଜ ଭିତରେ ଏକ ଶିଶୁକୁ ଧାରଣ କରନ୍ତିନି, ତାଙ୍କ ଅନୁଭବ ଓ ଚାପର ପ୍ରଭାବ ମଧ୍ୟ ଶିଶୁ ଉପରେ ପଡ଼ିପାରେ।

ତେଣୁ ଗର୍ଭବତୀ ମହିଳାଙ୍କ ସହ ନମ୍ରତାର ସହ କଥା ହେବା, ସେମାନଙ୍କୁ ଶାନ୍ତିରେ ରହିବାକୁ ଦେବା ଏବଂ ତାଙ୍କ ଭାବନାକୁ ବୁଝିବା ଜରୁରୀ ବୋଲି ଏହି ପୋଷ୍ଟରେ କୁହାଯାଇଛି। ତେବେ ପ୍ରିୟଙ୍କାଙ୍କ ଏହି ପୋଷ୍ଟ କାହା ଉଦ୍ଦେଶ୍ୟରେ, ସେନେଇ ସେ କୌଣସି ସ୍ପଷ୍ଟ ସଙ୍କେତ ଦେଇନାହାନ୍ତି।

କହିବାକୁ ଗଲେ ଦିନେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ବୋଲ୍ଡ ଲୁକ୍ ପାଇଁ ପରିଚିତ ଥିବା ପ୍ରିୟଙ୍କାଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଚଳଚ୍ଚିତ୍ର ଜଗତରୁ ଦୂରେଇବା ପରେ ପ୍ରିୟଙ୍କା ଆଧ୍ୟାତ୍ମିକତାର ପଥ ଆପଣାଇଥିବା ଜଣାପଡ଼ିଛି। ବୃନ୍ଦାବନରେ ସରଳ ଜୀବନଯାପନ କରିବା ସହ ସେ ଶ୍ରୀକୃଷ୍ଣଙ୍କ ଭକ୍ତିରେ ନିଜକୁ ଲୀନ କରିଛନ୍ତି।

ପ୍ରିୟଙ୍କା ନିଜକୁ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟା ବୋଲି ମଧ୍ୟ ମନେ କରନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି। ରିପୋର୍ଟ ଅନୁସାରେ, ସେ ବିବାହ କରିସାରିଛନ୍ତି, ହେଲେ ସ୍ୱାମୀଙ୍କ ପରିଚୟକୁ ସେ ସାର୍ବଜନୀନ କରିନାହାନ୍ତି।

ଏବେ ତାଙ୍କ ଜୀବନରେ ଆସିବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ମା’ ହେବାକୁ ଯାଉଥିବା ପ୍ରିୟଙ୍କା ନିଜ ଗର୍ଭାବସ୍ଥାର ଯାତ୍ରାକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ବାଣ୍ଟୁଛନ୍ତି।