ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଦକ୍ଷତା ବିରୋଧରେ ଇଣ୍ଡି ମେଣ୍ଟ ଜୋରଦାର ପ୍ରଦର୍ଶନ ଜାରି ରଖିଛି । ଦିଲ୍ଲୀରେ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ, ମେଣ୍ଟର ନେତାମାନଙ୍କୁ ଭେଟିବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି (ଶୁକ୍ରବାର) ରାତି ୮ଟାରେ ଏହି ସାକ୍ଷାତ ଆଲୋଚନା ହୋଇପାରେ । ତେବେ ଏହା ପୂର୍ବରୁ ଦିଲ୍ଲୀର ବିଜୟ ଚୌକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି ।

ଏହା ପୂର୍ବରୁ ସିପିଆଇ ନେତା ପି. ସନ୍ଦୋଷ କୁମାର କହିଥିଲେ ଯେ, ମେଣ୍ଟର ନେତାମାନେ ଆଜି ଅପରାହ୍ଣରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବେ । ରାଷ୍ଟ୍ରପତିଙ୍କୁ ଭେଟିବାକୁ କେଉଁ ନେତାମାନେ ଯିବେ, ସେନେଇ ମଧ୍ୟ ଆଜି ବୈଠକରେ ସ୍ଥିର ହେବ । ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ଦିଲ୍ଲୀରେ ଲଗାତାର ୩ ଦିନ ହେଲା ଆନ୍ଦୋଳନ କରୁଛନ୍ତି । ଭୋଟର ତାଲିକା ସଂଶୋଧନରେ ଅନିୟମିତତା ନେଇ ବିରୋଧୀ ଅଭିଯୋଗ କରୁଛନ୍ତି । କିନ୍ତୁ ଏହି ଅଭିଯୋଗକୁ ଉଭୟ ନିର୍ବାଚନ ଆୟୋଗ ଏବଂ ବିଜେପି ପ୍ରତ୍ୟାଖ୍ୟାନ କରୁଛନ୍ତି । 

ଦିଲ୍ଲୀ ଡେଇଁଲା ଆନ୍ଦୋଳନ

ସେପଟେ ଏହି ଆନ୍ଦୋଳନ ଏବେ ଦିଲ୍ଲୀ ବାହାରକୁ ବ୍ୟାପିଛି । ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ବିହାରରେ ଆନ୍ଦୋଳନ ହୋଇଛି । ସେହିଭଳି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦିଲ୍ଲୀରେ ଜାରି ଆନ୍ଦୋଳନରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ, ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ସମୟରେ ୩ଟି ଏଫଆଇଆର ରୁଜୁ କରିଛି ପୁଲିସ । କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ, ସରକାରୀ କାର୍ଯ୍ୟରେ ବାଧା ଏବଂ ଠେଲାପେଲା ଅଭିଯୋଗରେ ଏହି ଏଫଆଇଆର ରୁଜୁ ହୋଇଛି । ତେବେ ଏଥିରେ ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ରହିଛି । ଏହା ପୂର୍ବରୁ ବୁଧବାର ଦିନ ରାହୁଲ ଗାନ୍ଧୀଙ୍କୁ ପୁଲିସ ଅଟକ ରଖିଥିଲା ।  

ଆନ୍ଦୋଳନକୁ NO !

ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ, ସିଇସି ଜ୍ଞାନେଶ କୁମାରଙ୍କ Z+ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ସିଆଇଏସଏଫର ଅତିରିକ୍ତ ଯବାନଙ୍କୁ ତାଙ୍କ ସୁରକ୍ଷା ଲାଗି ନିୟୋଜିତ କରାଯାଇଛି । ଆନ୍ଦୋଳନର ତୀବ୍ରତାକୁ ଦେଖି ସରକାର ଅକ୍ଟୋବର ୯ ଏବଂ ୧୦ ତାରିଖ ପାଇଁ ଦିଲ୍ଲୀରେ ସବୁ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ରାଜଧାନୀରେ ବେଆଇନ୍‌ ସଭାସମିତି ଉପରେ କଟକଣା ଜାରି କରାଯାଇଛି । ସେହିଭଳି ଅକ୍ଟୋବର ୧୦ରେ ହେବାକୁ ଥିବା ସିଜେପି ଆନ୍ଦୋଳନକୁ ଦିଲ୍ଲୀ ପୁଲିସ ମଞ୍ଜୁରୀ ଦେଇନାହିଁ । ଆନ୍ଦୋଳନ କରିବାର ୧୦ ଦିନ ପୂର୍ବରୁ ଅନୁମତି ପାଇଁ ଆବେଦନ ହୋଇନଥିବାରୁ, ଦିଲ୍ଲୀ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।