ଭୁବନେଶ୍ବର: ଛଅ ଦିନିଆ ଓଡ଼ିଶା ଗସ୍ତରେ ସୋମବାର ଭୁବନେଶ୍ଵର ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ, ପୋଲିସ ଡିଜି, ପୋଲିସ କମିଶନର, ଜିଲ୍ଲାପାଳ, ମେୟର ଏବଂ ଭୁବନେଶ୍ବର ଡିସିପି ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଛନ୍ତି। ସ୍ଵାଗତ ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ସଙ୍କୀର୍ତ୍ତନ, ପାରମ୍ପରିକ ନୃତ୍ୟ ସମେତ ବିଭିନ୍ନ ପାରମ୍ପରିକ ବାଦ୍ୟ ଧରି କଳାକାର ମାନେ କଳା ପ୍ରଦର୍ଶନ କରାଯାଇଛି। ସେହିପରି ସୁରକ୍ଷା ବ୍ୟବସ୍ଥା ପାଇଁ ବିମାନବନ୍ଦରରୁ ଲୋକ ଭବନ ପର୍ଯ୍ୟନ୍ତ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି।

ଏହା ପରେ ଲୋକ ଭବନରେ ରାତ୍ରି ଯାପନ ପରେ ଫେବ୍ରୁଆରୀ ୩ ତାରିଖ ସକାଳେ ଯାଜପୁର ଯାଇ ମା ବିରଜାଙ୍କ ଦର୍ଶନ କରିବେ । ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା କାର୍ଯ୍ୟକ୍ରମ ରହିଛି । ଫେବ୍ରୁଆରୀ ୩ରେ ଯାଜପୁରରୁ ବାଲେଶ୍ବର ଗସ୍ତ କରି ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏଥିପାଇଁ ବାଲେଶ୍ବରରେ ଜିଲ୍ଲା ପ୍ରଶାସନ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବାଲେଶ୍ବରରୁ ସନ୍ଧ୍ୟାରେ ପୁରୀ ଆସି ଲୋକଭବନରେ ରାତ୍ରୀ ଯାପନ କରିବେ ମହାମହିମ । ପରଦିନ ଅର୍ଥାତ ଫେବ୍ରୁଆରୀ ୪ ତାରିଖ ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଶ୍ବେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବେ। ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ,ଶ୍ୱତଗଙ୍ଗା ପୁଷ୍କରିଣୀ ଚତୁର୍ପାର୍ଶ୍ୱ, ଶ୍ରୀମନ୍ଦିର ଭିତର, ଶ୍ରୀମନ୍ଦିର ବାହାର, ବଡଦାଣ୍ଡ ଓ ସମ୍ପୂର୍ଣ୍ଣ ପୁରୀ ସହରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

ଫେବ୍ରୁଆରୀ ୬ରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଶିମିଳିପାଳ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ସୁରକ୍ଷା ଦୃଷ୍ଟିରୁ ଫେବ୍ରୁଆରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଫେବ୍ରୁଆରୀ ୭ ସକାଳ ୯ଟା ୧୦ମିନିଟରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଛତିଶଗଡ଼ ଜଗଦଲପୁର ଯିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି ।