ଭୁବନେଶ୍ୱର ୨୮।୧୦ : କୋଟିଆକୁ ନେଇ ପୁଣି ତେଜିଲା ରାଜନୀତି । କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ କୋଟିଆ ଲଢ଼େଇକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଟିଆ ସମସ୍ୟାର ସମାଧାନ ପାଇଁ ସରକାର କେଉଁ ପଦକ୍ଷେପ ନେଉଛନ୍ତି, ତାହା ସ୍ପଷ୍ଟ ହେଉନଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାରଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। କୋଟିଆ ପ୍ରସଙ୍ଗରେ ସରକାର କ’ଣ କରୁଛନ୍ତି, ତାହା ସ୍ପଷ୍ଟ ହେଉନାହିଁ। ନିକଟରେ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କମିଟି ବୈଠକରେ ପଞ୍ଚାୟତ ନିର୍ବାଚନ ବନ୍ଦ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା କି ନାହିଁ, ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Also Read:-Cyclone Arnab Update: ବାତ୍ୟାର ଗତିପଥ ବଦଳିବା ପରେ କୋରାପୁଟରେ ତୁହାକୁ ତୁହା ବର୍ଷା, ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

କୋଟିଆ ସମସ୍ୟାର ସମାଧାନ ପାଇଁ କେବଳ ନ୍ୟାୟାଳୟର ଦ୍ୱାରସ୍ଥ ହେବା କଥା କହିଲେ ହେବନାହିଁ, ବରଂ ରାଜନୈତିକ ସ୍ତରରେ ମଧ୍ୟ ଆଲୋଚନା ହେବା ଆବଶ୍ୟକ । ଆନ୍ଧ୍ରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାର ସିଧାସଳଖ ଆଲୋଚନା କରିଛନ୍ତି କି ନାହିଁ, ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଭାବେ ନିଜର ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କର ଆତ୍ମବିଶ୍ୱାସ ଅଛି କି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ସେହିପରି କୋଟିଆରେ ଭୋଟର ତାଲିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେଡି। ଯଦି ଏସ୍ଆଇଆର୍ ପ୍ରକ୍ରିୟା ସ୍ୱଚ୍ଛତାର ସହ କରାଯାଇଛି, ତେବେ ଜଣେ ଭୋଟରଙ୍କ ନାଁ ଦୁଇଟି ରାଜ୍ୟର ଭୋଟର ତାଲିକାରେ କିପରି ରହିଛି, ତାହାର ଜବାବ କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। କୋଟିଆ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜେଡି ପ୍ରତିବାଦ ଜାରି ରଖିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ସେ କହିଛନ୍ତି।