ଭୁବନେଶ୍ବର ୧।୧୧: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ, ମାଲକାନଗିରି ଓ କୋରାପୁଟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଫଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା । ତେବେ ପବନର ବେଗ ହ୍ରାସ ପାଇବା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନଙ୍କ ନିଷ୍ଠା, ଉତ୍ସର୍ଗୀକୃତ ସେବା ଓ ସମନ୍ୱିତ ପ୍ରୟାସ ଫଳରେ ଅକ୍ଟୋବର ୩୧ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରାୟ ୯୯ ପ୍ରତିଶତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବିଦ୍ୟୁତ୍ ଭିତ୍ତିଭୂମିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି । ସୁଦୃଢ଼ କାର୍ଯ୍ୟ ଯୋଜନା, ସମନ୍ୱିତ କ୍ଷେତ୍ରସ୍ତରୀୟ ପ୍ରୟାସ ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତାର ସହ କାର୍ଯ୍ୟକରି କର୍ମଚାରୀ ମାନେ ବୌଦ୍ଧ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଶତପ୍ରତିଶତ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାରେ ସଫଳ ହୋଇଛନ୍ତି ।

୨୦୨୬ ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ୯୯.୬୫ ପ୍ରତିଶତ, କୋରାପୁଟରେ ୯୯.୨୦ ପ୍ରତିଶତ, କନ୍ଧମାଳରେ ୯୯.୧୩ ପ୍ରତିଶତ ଏବଂ ଗଜପତିରେ ୯୬.୦୯ ପ୍ରତିଶତ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୯୩.୨୭ ପ୍ରତିଶତ ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଛି । ଏଥିସହ ଜିଲ୍ଲାର ସମସ୍ତ ୩୩ କେଭି ଫିଡର୍ ଓ ପାୱାର ସବ୍‌ଷ୍ଟେସନ ସନ୍ଗୁଡ଼ିକୁ ସଫଳତାର ସହ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି ।

Also Read:- ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ, ବ୍ରହ୍ମପୁରରେ ନିୟୋଜିତ ହେଲେ ଆଉ ୫ ଯନ୍ତ୍ରୀ

ପବନର ବେଗ କମିବା ମାତ୍ରେ ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକମ୍)ଗୁଡ଼ିକର ଲାଇନମ୍ୟାନ୍ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ପ୍ରବଳ ବର୍ଷା, ଜଳମଗ୍ନ ଚାଷଜମି ଏବଂ ଉପୁଡ଼ି ପଡ଼ିଥିବା ଗଛ ଯୋଗୁଁ ଅବରୋଧ ହୋଇଥିବା ରାସ୍ତା ସତ୍ତ୍ୱେ ସେମାନେ ଅବର୍ଜନା ସଫା କରିବା ସହ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ଓ ତାରଗୁଡ଼ିକର ମରାମତି ଏବଂ ପରିବର୍ତ୍ତନ କରିଥିଲେ । ଏଥିସହ ବନ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳ ଗୁଡ଼ିକରେ ଫିଡର୍ ଓ ସବ୍ଷ୍ଟେସନ୍ ଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରି ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ଦିଗରେ ସେମାନେ ନିରନ୍ତର ପ୍ରୟାସ ଜାରି ରଖିଥିଲେ । ବାକି ରହିଯାଇଥିବା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଯଥାଶୀଘ୍ର ସେବା ସ୍ବାଭାବିକ କରିବା ନିଶ୍ଚିତ କରିବା ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି ।

Watch Video: