ନୂଆଦିଲ୍ଲୀ, ୧୭|୦୭: ସଜ ସଜ ସ୍ୱାଧିନତା ପାଇଥାଏ ଦେଶ । ଚାଲିଥାଏ ନୂଆ ରାଜ୍ୟ ଗଟନ ପ୍ରକ୍ରିୟା। ଟେନସେନରେ ଥାଆନ୍ତି ସେତେବେଳେର କଂଗ୍ରେସ ସରକାର । ଜବାହାର ଲାଲ ନେହରୁ ବାରମ୍ବାର ବୈଠକ ଡାକୁଥାନ୍ତି । କେଉଁ ଭିତ୍ତିରେ ରାଜ୍ୟ ଗଠନ ହେବ ସେନେଇ ଚାଲିଥାଏ ବିଚାର ବିମର୍ଷ । କିଏ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ଜୋର୍ ଦେଉଥାନ୍ତି । ଆଉ କାହାର ପ୍ରଶାସନିକ ବ୍ୟବସ୍ଥାକୁ ନଜରରେ ରଖି ରାଜ୍ୟ ଗଠନ ନେଇ ଯୁକ୍ତି । ହେଲେ ଏହି ସମୟରେ ଘଟିଲା ଅପ୍ରତ୍ୟାଶିତ ଘଟଣା । ଅନଶନରେ ବସିଗଲେ କଂଗ୍ରେସ ନେତା ପୋଟ୍ଟି ଶ୍ରୀରାମୁଲ୍ଲୁ । ଆନ୍ଧ୍ର ପ୍ରଦେଶ ରାଜ୍ୟ ଗଠନ ପାଇଁ ଥିଲା ତାଙ୍କର ଏହି ଧାରଣା ଏବଂ ଅନଶନ । ଶୁଣିଲେନି ସରକାର । ଶେଷରେ ସେ ଅନଶନରେ ହାରିଲେ ଜୀବନ । ଏହା ଥିଲା ସେତେବେଳର କଥା । କିନ୍ତୁ ଦୋହରିଛି ଇତିହାସ । ୨୦୨୬ରେ ଘଟିଛି ସମାନ ଘଟଣା । ହେଲେ ପ୍ରସଙ୍ଗ ଭିନ୍ନ । ସେତେବେଳର ଶ୍ରୀରାମୁଲୁଙ୍କ ଜାଗାରେ ଏବେ ସୋନମ ଓ୍ୱାଙ୍ଗଚୁକ୍ ।

ଏସବୁ କଥା ଦେଖିଲେ ମହାତ୍ମା ଗାନ୍ଧୀଙ୍କ ଗୋଟିଏ ଉକ୍ତି ମନେ ପଡେ । ଚାଲିଥାଏ ,ସ୍ୱାଧିନତା ସଂଗ୍ରାମ । ଗାନ୍ଧୀ ପୋଟ୍ଟି ଶ୍ରୀରାମୁଲୁଙ୍କ ନେଇ କହିଥିଲେ ବଡ କଥା । ଶ୍ରୀରାମୁଲୁଙ୍କ ଭଳି ୧୧ ଜଣ ହେଲେ ମାତ୍ର ବର୍ଷରେ ଭାରତ ସ୍ୱାଧିନ ହେବ ବୋଲି କହିଥିଲେ ମୋହନ୍ ଦାସ୍ କରମଚାନ୍ଦ ଗାନ୍ଧୀ । କାରଣ ପ୍ରଖର ଗାନ୍ଧୀବାଦୀ ଥିଲେ ଦକ୍ଷିଣ ଭାରତର ଏହି ନେତା । ଗାନ୍ଧୀଙ୍କ ଭଳି ଧାରଣା ଏବଂ ସତ୍ୟାଗ୍ରହରେ ରଖୁଥିଲେ ବିଶ୍ୱାସ । ଭାରତ ସ୍ୱାଧିନ ହେଲା । ୧୯୫୦ରେ ଦେଶରେ ସମ୍ବିଧାନ ପ୍ରଣୟନ ହେଲା । କିନ୍ତୁ ୧୯୫୨ ଅକ୍ଟୋବରରେ ଜୀବନ ହାରିଲେ ସେ । ଯାହାର କାରଣ ବି ଖାସ୍ ।

୧୯୪୭ରେ ଅନ୍ଧ୍ର ସମେତ ଅନ୍ୟ ତେଲୁଗୁ ଭାଷାଭାଷୀ ଅଞ୍ଚଳ ମାଦ୍ରାସ୍ ପ୍ରେସିଡେନ୍ସି ଅଧିନରେ ଆସୁଥିଲା । ଯାହାକୁ ନେଇ ଗଠନ ହୋଇଥିଲା ସେତେବଳର ମାଦ୍ରାସ ରାଜ୍ୟ । ଦେଶରେ ଭାଷା ଭିତ୍ତିକ ରାଜ୍ୟ ନଥିଲା । କେବଳ ସ୍ୱାଧିନତା ପୂର୍ବରୁ ଓଡିଶା ଏହି ତାଲିକାରେ ଥିଲା । ଯାହାର ଗଠନ ୧୯୩୬ ମସିହାରେ ହୋଇଥିଲା । ତେବେ ତେଲୁଗୁ ଭାଷାଭାଷୀ ଲୋକଙ୍କ ପାଇଁ ଅନଶନରେ ବସିଗଲେ ପୋଟ୍ଟି । ନା ଖାଇବା ନା ପିଇବା । ପୁରା ଖାଡା ଉପାସ । ଦୀର୍ଘ ଦିନର ଦିନରେ ସଙ୍ଘର୍ଷ । ତାଙ୍କ ସହ ଅନ୍ୟ କିଛି ତେଲୁଗୁଭାଷୀ ନେତା ବି ଦେଇଥିଲେ ଧାରଣା । କିନ୍ତୁ ଆନ୍ଧ୍ର ରାଜ୍ୟ ଗଠନ ପୂର୍ବରୁ ଆଖିବୁଜିଦେଲେ ପୋଟ୍ଟି । ତାଙ୍କର ମୃତ୍ୟୁ ଖବର ବନାଗ୍ନୀ ଭଳି ବ୍ୟାପିଗଲା । ଚାପରେ ଆସିଗଲେ ନେହେରୁ ସରକାର । ବାଧ୍ୟ ହୋଇ ତେଲୁଗୁ ଭାଷୀ ଲୋକଙ୍କୁ ନେଇ ତିଆରି ହେଲା ଆନ୍ଧ୍ରପ୍ରଦେଶ । ବ୍ୟର୍ଥ ଯାଇନଥିଲା ଶ୍ରୀରାମୁଲୁଙ୍କ ସର୍ବୋଚ୍ଚ ବଳୀଦାନ ।

ପୋଟ୍ଟି ଜଣେ ସାଧାରଣ ବ୍ୟକ୍ତି ନୁହେଁ । ସେ ଥିଲେ ଜଣେ ଇଞ୍ଜିନିୟର । ରେଳବାଇରେ କରୁଥିଲେ ଚାକିରି । ୧୯୦୧ ରେ ତାଙ୍କର ଜନ୍ମ । କିନ୍ତୁ ୧୯୨୮ ମସିହାରେ ତାଙ୍କ ଜୀବନରେ ଘଟିଥିଲା ବଡ ଘଟଣା । ଯାହା ବଦଳାଇଦେଇଥିଲା ମୋଡ଼ । କାରଣ ସେ ନିଜ ପତ୍ନୀ ଏବଂ ଶିଶୁକୁ ହରାଇଥିଲେ । ଯାହା ପରେ ଛାଡି ଦେଇଥିଲେ ଚାକିରି । ଏବଂ ଗାନ୍ଧୀଙ୍କ ଆନ୍ଦୋଳନରେ ନିଜକୁ କରିଥିଲେ ଉତ୍ସର୍ଗ । ସାବରମତୀ ଆଶ୍ରମରେ ରହିବା ସହ ଜେଲରେ ବି କାଟିଥିଲେ ୧୮ ମାସ । ୧୯୪୦ ମସିହାର ଭାରତ ଛାଡ ଆନ୍ଦଦୋଳନରେ ତାଙ୍କର ରହିଥିଲା ସକ୍ରିୟ ଭୂମିକା ।

ଆରମ୍ଭରୁ ପୋଟ୍ଟିଙ୍କର ନଥିଲା ତେଲୁଗୁ ଭାଷା ପ୍ରେମ । ଦଳିତଙ୍କ ହକ୍ ପାଇଁ କରୁଥିଲେ ଲଢେଇ । ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ଶାଣିତ କରୁଥିଲେ ସ୍ୱର । କିନ୍ତୁ ୧୯୪୬ରେ ସେ ଆରମ୍ଭ କରିଦେଲେ ପ୍ରଥମ ଅନଶନ । ମାଦ୍ରାସ ରାଜ୍ୟର ସବୁ ମନ୍ଦିରକୁ ଦଳିତଙ୍କ ପାଇଁ ଖୋଲିବାକୁ ଥିଲା ଏହି ଧାରଣା । ସମର୍ଥନ ଦେଇନଥିଲେ ଜାତୀୟ ସ୍ତରର କଂଗ୍ରେସ ନେତା । ଅନଶନ ବନ୍ଦ କରିବାକୁ କହିଥିଲେ । କିନ୍ତୁ କେବଳ ଗାନ୍ଧୀଙ୍କ ଅପିଲ ପରେ ସେ ଆନ୍ଦୋଳନକୁ ଓହରିଯାଇଥିଲା ।

ଚାହୁଁ ଚାହୁଁ ବିତିଗଲା ୩ ବର୍ଷ । ୧୯୫୦ ମସିହାରେ ଜୋର୍ ଧରିଲା ତେଲୁଗୁ ଭାଷା ଭିତ୍ତିରେ ଆନ୍ଧ୍ର ରାଜ୍ୟ ଗଠନ ଦାବି । ଯାହାର ନେତୃତ୍ୱ ନେଇଥିଲେ ପୋଟ୍ଟି ଶ୍ରୀରାମୁଲୁ । ତାଙ୍କ ପୂର୍ବରୁ ସ୍ୱାମୀ ସୀତାରାମ ବି ସମାନ ପ୍ରସଙ୍ଗରେ ଦେଇଥିଲେ ଧାରଣା । ସ୍ଥିତି ଏମିତି ଥିଲା ଯେ କଂଗ୍ରେସ ବିରୋଧରେ ଯାଇଥିଲେ ଅନେକ ଜନନେତା । ୧୯୫୨ରେ ମାଦ୍ରାସ୍ ବିଧାନସଭା ନିର୍ବାଚନରେ ମାଟି କାମୁଡିଥିଲା କଂଗ୍ରେସ । ୧୪୫ଟି ଆସନରୁ ଜିତିଥିଲା ମାତ୍ର ୪୩ । ଯାହା ହାତ ଦଳ ପାଇଁ ଥିଲା ସତର୍କ ଘଣ୍ଟି । କେବଳ ଭାଷା ଭିତ୍ତିକ ରାଜ୍ୟ ନୁହେଁ । ମାଦ୍ରାସକୁ ମଧ୍ୟ ଆନ୍ଧ୍ରରେ ସାମିଲ କରିବାକୁ ଦାବି କରୁଥିଲେ ଅନେକ ନେତା । ସି ରାଜଗୋପାଳଚାରୀଙ୍କ ବିରୋଧ ସତ୍ତ୍ୱେ ମାଦ୍ରାସ ମିଶ୍ରଣ ଦାବି ଫିକା ପଡିନଥିଲା । ଭିଡାଟଣାର ରାଜନୀତି ମଧ୍ୟରେ ଆରମ୍ଭ ହେଲା ପୋଟ୍ଟିଙ୍କ ଆମରଣ ଅନଶନ । ମାଟି ପାଇଁ ଲଢେଇ । ୧୯୫୨ ଅକ୍ଟୋବର ୧୯ ତାରିଖରେ ପୋଟ୍ଟି ଆରମ୍ଭ କରିଥିଲେ ଐତିହାସିକ ଆନ୍ଦୋଳନ । ମିଳିଥିଲା ହଜାର ହଜାର ନେତା ଏବଂ ଜନତାଙ୍କ ସମର୍ଥନ । ନଖାଇ ନପିଇ ସେ ଜନତାଙ୍କୁ କରୁଥିଲେ ସମ୍ବୋଧନ । ବିଭିନ୍ନ ସହର ବୁଲୁଥିଲେ । ହେଲେ ଦିଲ୍ଲୀରେ ବସିଥିବା ନେହେରୁଙ୍କ ଉପରେ ପଡୁନଥିଲା ପ୍ରଭାବ । ଓଲଟା ସେ ସି ରାଜଗୋପାଳଚାରୀଙ୍କୁ ଚିଠି ଲେଖି ସ୍ଥିତି ବାବଦରେ ତଥ୍ୟ ଦେବାକୁ କହିଥିଲେ । ହେଲେ ଆନ୍ଧ୍ର ଗଠନ ଉପରେ ନଥିଲା ନେହେରୁଙ୍କ ଫୋକସ ।

ଦିନ ପରେ ଦିନ ଗଡି ଚାଲିଲା । ବିତିଗଲା ୫୨ ଦିନ । ନଛୋଡ ବନ୍ଧା ଥିଲେ ପୋଟ୍ଟି ଶ୍ରୀରାମୁଲୁ । ଯାହା ପକାଉଥିଲା କଂଗ୍ରେସ ସରକାର ଉପରେ ଚାପ । ଏହି ଚାପ ପାଇଁ ଭିତରେ ଭିତରେ ଆରମ୍ଭ ହୋଇଯାଇଥିଲା ଆନ୍ଧ୍ର ଗଠନ ପାଇଁ ରଣନୀତି । ହେଲେ ସେତେବଳକୁ ହୋଇସାରିଥିଲା ବିଳମ୍ବ । ଗୁରୁତର ହୋଇ ଯାଇଥିଲେ ପୋଟ୍ଟି । ଶରୀର ସାଥ୍ ଦେଉନଥିଲା । ଅନଶନର ୫୮ତମ ଦିନରେ ଅଧିକ ଗୁରୁତର ହୋଇପଡିଲେ ପୋଟ୍ଟି । ତାଙ୍କ ଆଖି କୋରଡ ତଳକୁ ପଶି ଯାଇଥିଲା । ଦେହରେ ଦେଖାଯାଉଥିଲା କଙ୍କାଳ । ତ୍ୱଚା ବି ହଳଦିଆ ପଡିଯାଇଥିଲା । ଲାଗାତାର ରକ୍ତ ବାନ୍ତି କରୁଥିଲେ ଭାରତର ଏହି ମହାନ ନେତା । ଯେତେବେଳେ ଡାକ୍ତର ତାଙ୍କୁ ଅନଶନ ବନ୍ଦ କରିବାକୁ କହିଲେ । ସେତେବଳକୁ ବାକ୍ ଶକ୍ତି ହରାଇ ସାରିଥିଲେ ଶ୍ରୀରାମୁଲୁ । ଶେଷରେ ଡିସେମ୍ବର ୧୫ ତାରିଖରେ ସବୁଦୁନ ପାଇଁ ଆଖି ବୁଜିଦେଲେ ।

ପୋଟ୍ଟିଙ୍କ ମୃତ୍ୟୁ ଖବର ସାରା ଦେଶରେ ପକାଇ ଦେଲା ଚହଳ । ନଥିଲା ସୋସିଆଲ ମିଡିଆ । ନଥିଲେ ଆଜିକାଲିର ଟିଭି ଗଣମାଧ୍ୟମ । ତଥାପି ସରକାର ତଥା ଦେଶବାସୀଙ୍କୁ ଆନ୍ଦୋଳିତ କରିଥିଲା ପୋଟ୍ଟିଙ୍କ ଦେହାନ୍ତ ଖବର । ତାତିଥିଲେ ତେଲୁଗୁ ଲୋକେ । ଆରମ୍ଭ ହୋଇଗଲା ଜଳାପୋଡା । ନେହେରୁଙ୍କୁ କଳା ପତାକା ଦେଖାଇଲେ ପ୍ରଦର୍ଶନକାରୀ । କଂଗ୍ରେସ ନେତା ଦଳ ଛାଡିଲେ । ସରକାରୀ ସଂସ୍ଥା, ଟ୍ରେନ୍ କେହି ବାଦ୍ ପଡିଲେନି । ସବୁଠି ଜୋର୍ ଧରିଲା ଆନ୍ଦୋଳନର ତୀବ୍ରତା । ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ଅନେକ ଆନ୍ଦୋଳନକାରୀ । କିନ୍ତୁ ମାନିଲେନି ହାର୍ । ଫଳରେ ବାଧ୍ୟ ହୋଇ ଆନ୍ଧ୍ର ରାଜ୍ୟ ଗଠନ ପାଇଁ କରିଦେଲେ ଘୋଷଣା । କିନ୍ତୁ ନେହେରୁଙ୍କ ଆନ୍ଧ୍ରରେ ସାମିଲ ନଥିଲା ମାଦ୍ରାସ୍ । ୧୯୫୩ ଅକ୍ଟୋବର ୧ରେ ସ୍ୱାଧିନତାର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ତିଆରି ହେଲା ଆନ୍ଧ୍ର । ଯାହାର ରାଜଧାନୀ ଥିଲା କୁର୍ଣ୍ଣୁଲ । ତିନି ବର୍ଷ ପରେ ଅର୍ଥାତ ୧୯୫୬ରେ ପୁଣି ଆନ୍ଧ୍ରର ହେଲା ସୀମା ନିର୍ଧାରଣ । ତେଲୁଗୁ କହୁଥିବା ତେଲେଙ୍ଗାନା ସହ ଏହାକୁ ମିଶାଇଦେଲେ ସରକାର । ହାଇଦ୍ରାବାଦ ହେଲା ନୂଆ ରାଜଧାନୀ । ଆନ୍ଧ୍ର ପ୍ରଦେଶ ପରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ବି ଭାଷା ଆଧାରରେ ଗଢି ଉଠିଲା । ଅର୍ଥାତ ଶ୍ରାରାମୁଲୁ ନୁହେଁ ବରଂ ତାଙ୍କ ମୃତ୍ୟୁ ହିଁ ଗଟନ କରିଥିଲା ସ୍ୱତନ୍ତ୍ର ଆନ୍ଧ୍ର ରାଜ୍ୟ । ତେବେ ପୋଟ୍ଟିଙ୍କ ଏହି ବଳୀଦାନ ପରବର୍ତ୍ତୀ ମୁହୂର୍ତ୍ତରେ ନେହେରୁଙ୍କ ଖୁବ୍ ବ୍ୟଥୀତ କରିଥିଲା ।

ଶ୍ରୀରାମୂଲୁଙ୍କ ଆମରଣ ଅନଶନ କଥା ଭାବିଲେ ମନକୁ ଆସିଯାଉଛି ସୋନମ ଓ୍ୱାଙ୍ଗଚୁକଙ୍କ କାହାଣୀ । ଏବେ ସେ ଜନ୍ତରମନ୍ତରରେ ଧାରଣାରତ । ଅଖିଆ ଅପିଆ ଅବସ୍ଥାରେ ୨୦ ଦିନ ହେଲା ଧାରଣା ଦେଉଛନ୍ତି । ବେଳେବେଳେ ସେ ଗୁରୁତର ଥିବା ନେଇ ଆସୁଛି ଖବର । କକରୋଚ୍ ଜନତା ପାର୍ଟିର ସମର୍ଥନରେ ଆନ୍ଦୋଳନ କରୁଛନ୍ତି ଏହି ଲଦ୍ଦାଖୀଜଣଙ୍କ । ଅନେକ ସପୋର୍ଟ ମିଳୁଛି । ବଲିଉଡର ନାମୀଦାମୀ ଷ୍ଟାର୍ ବି କରୁଛନ୍ତି ସମର୍ଥନ । କିନ୍ତୁ ଦାମୀ ମାନୁ ନାହାଁନ୍ତି ସରକାର । ନିଟ୍ ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ ତାଙ୍କର ଏହି ଧାରଣା । । ଯାହାକୁ ଦେଖିଲେ ଉଜ୍ଜୀବୀତ ହୋଇଯାଉଛି ୭୪ ବର୍ଷର ସେହି ହକ୍ ପାଇଁ ଲଢେଇର ଘଟଣାବଳୀ। କିନ୍ତୁ ସବୁଠୁ ମୂଲ୍ୟବାନ କଥା ହେଉଛି ଯେ ଜୀବନ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଦାବି ପୂରଣ ପାଇଁ ସର୍ବୋଚ୍ଚ ବଳୀଦାନ ଦେବା ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଦେବ ।