ଭୁବନେଶ୍ଵର: ଆଳୁ ମହଙ୍ଗା ବେଳେ କଳାବଜାରୀ। ପୁଣି ଆଳୁ ଶସ୍ତା ବେଳେ ବି ଚାଲିଛି କଳାବଜାରୀ । ଗୋଦାମରୁ କିଲୋ ପିଛା ୫ଟଙ୍କାରେ କିଣି ଖୋଲା ବଜାରରେ ୧୫ରୁ ୨୦ଟଙ୍କାରେ ବିକ୍ରି କରୁଛନ୍ତି ଦୋକାନୀ । ମାନେ ଆଳୁ କିଲେ ୩ ଗୁଣା ମୁନାଫା କମାଉଛନ୍ତି ଅସାଧୁ ବ୍ୟବସାୟୀ । ଏହାକୁ ନେଇ ନ୍ୟୁଜ୍ 7ରେ ଖବର ପ୍ରସାରଣ ପରେ କିଛି ବେପାରୀ ହଠାତ୍ ରେଟ୍ କମାଇଥିବା ଦେଖିବାକୁ ମିଳିଛି । ତେବେ ମାର୍କେଟ୍ ରେଟକୁ ନେଇ ଯୋଗାଣ ବିଭାଗ ପକ୍ଷରୁ ନିୟମିତ ହେଉନଥିବାରୁ ମନଇଚ୍ଛା କାରବାର କରୁଛନ୍ତି ବ୍ୟବସାୟୀ । ଯାହାର ପ୍ରଭାବ ସିଧାସଳଖ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ୁଛି ।

ଗୋଦାମରେ ଏବେ ଆଳୁ ପ୍ୟାକେଟ୍ ପିଛା ୨୫୦ଟଙ୍କା ରହିଛି । ଗୋଟେ ପ୍ୟାକେଟରେ ୫୦କେଜି ଆଳୁ ରହୁଛି । ଅର୍ଥାତ୍ ଗୋଦାମରେ ଆଳୁ କିଲୋ ୫ଟଙ୍କା ରହିଛି । କିନ୍ତୁ ସେଇ ଆଳୁ ମାର୍କେଟରେ ଲୋକେ କିଣୁଛନ୍ତି କେଜି ୨୦ ଟଙ୍କା । କେଉଁଠି ୩ କିଲୋକୁ ୫୦ଟଙ୍କାରେ ତ ଆଉ କେଉଁଠି ୪୦ଟଙ୍କାରେ ବିକ୍ରି ହେଉଥିଲେ ବି କିଲେ କିଣିଲେ ୧୮ରୁ ୨୦ଟଙ୍କା ନେଉଛନ୍ତି ଦୋକାନୀ । ଦେଖନ୍ତୁ ଇଏ ହେଉଛି ଖୋଦ୍ ରାଜଧାନୀ ଭୁବନେଶ୍ବରର ୧ ନମ୍ବର ହାଟର ଦୃଶ୍ୟ । ଯେଉଁଠି କିଲେ ଆଳୁ କିଣିଲେ ଗ୍ରାହକଙ୍କୁ ୨୦ ଟଙ୍କା ଦେବାକୁ ପଡ଼ୁଛି । ହେଲେ କିଛି ଦୋକାନୀ ୩ କିଲୋ ଆଳୁକୁ ୪୦ରୁ ୫୦ ଟଙ୍କାରେ ମଧ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

Also Read: ଏପ୍ରିଲ ୨ରୁ ପୁଣି ଗାଡ଼ି PUCC ଯାଞ୍ଚ, ଅନ୍ୟ କାଗଜପତ୍ର ବି ହେବ ଚେକିଂ

ସାରା ରାଜ୍ୟରେ ଚାଲିଥିବା ଆଳୁ କଳାବଜାରୀର ପୋଲ୍ ଖୋଲିଛି ନ୍ୟୁଜ୍ 7 । ରାଜ୍ୟର ବିଭିନ୍ନ ସ୍ଥାନରୁ ଆଳୁ କଳାବଜାରୀକୁ ନେଇ ଖବର ପ୍ରସାରଣ ବେଳେ ଶସ୍ତାରେ ଆଳୁ କିଣି ଚଢ଼ାଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ଭିତରେ ଖେଳିଯାଇଥିଲା ହଡ଼କମ୍ପ୍ ।

ଜଗତସିଂହପୁର ବଜାରରେ ଆଳୁ କିଲୋ ୧୮ରୁ ୨୦ଟଙ୍କାରେ ବିକ୍ରି ହେଉଥିଲା । ନ୍ୟୁଜ୍ 7ରେ ସିଧା ପ୍ରସାରଣ ମାଧ୍ୟମରେ ଯେତେବେଳେ ଖବର ବାଜିଲା ସେତେବେଳେ ମାର୍କେଟ୍ରେ ହଠାତ୍ ୧୦ଟଙ୍କାକୁ ଖସି ଆସିଥିଲା ଆଳୁ ଦର । ଯେଉଁ ବେପାରୀ ୧୮ରୁ ୨୦ ଟଙ୍କାରେ ବିକ୍ରି କରୁଥିଲେ ସେହି ବେପାରୀ ସାଙ୍ଗେ ସାଙ୍ଗେ ଆଳୁ କିଲୋ ୧୦ଟଙ୍କା କରିଦେଇଥିଲେ । ଯାହାକୁ ଦେଖି ଗ୍ରାହକ ବି ଆଶ୍ଚର୍ଯ୍ୟ ହୋଇଥିଲେ ।

କଟକରେ ଆଳୁ ଦଳ କିଲୋ ପିଛା ୧୦ରୁ ୧୩ଟଙ୍କା ଥିବା ବେଳେ ଭୁବନେଶ୍ବରରେ କେମିତି ୨୦ଟଙ୍କା ହେଲା ତା’ର ଖବର ଯୋଗାଣ ବିଭାଗ ପାଖରେ ନାହିଁ । ଭୁବନେଶ୍ବର ଭଳି ବଲାଙ୍ଗିର, ରାଉରକେଲା, ଝାରସୁଗୁଡ଼ା ସବୁଠି ଆଳୁ କିଲୋ ୧୮ରୁ ୨୦ଟଙ୍କାରେ ବିକ୍ରି ହେଉଛି । ପୁରୀରେ ଆଳୁ କିଲୋ ୧୨ଟଙ୍କା, ସମ୍ବଲପୁରରେ ୧୫ ଟଙ୍କା ରହିଛି । ଏବେ ପଶ୍ଚିମବଙ୍ଗରେ ଆଳୁ ଅମଳ ସମୟ ହୋଇଥିବାରୁ ସେଠାରୁ ପ୍ରବଳ ମାତ୍ରାରେ ଆଳୁ ଓଡ଼ିଶାକୁ ଆସୁଛି ।

Also Read: ୬ ରୁ ୮ ବର୍ଷ ତଳର ସ୍ଥିତିକୁ ଫେରୁଛି ବଜାର ଦର, ଆକାଶଛୁଆଁ ହେବ ସ୍ମାର୍ଟଫୋନ୍, ଟିଭି ଓ ଏସି ଦାମ୍

ଅନ୍ୟପଟେ ଗ୍ୟାସ ସଂକଟ ଭିତରେ ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନୀ ଆଳୁ କିଣିବା କମାଇ ଦେଇଛନ୍ତି । ଓଡ଼ିଶାକୁ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଆଳୁ ଆସୁଥିବା ବେଳେ ଏହାକୁ ସଂରକ୍ଷିତ ରଖିବାକୁ ଆବଶ୍ୟକ ଅନୁସାରେ କୋଲଡ୍ ଷ୍ଟୋରେଜ ନାହିଁ । ସେପଟେ ଗୋଦାମରେ ମଧ୍ୟ ଜାଗା ନଥିବାରୁ ଆଳୁ ଷ୍ଟକ୍ ରଖିବା ସମ୍ଭବ ହେଉନାହିଁ । ବଜାର ଉପରେ ଯୋଗାଣ ବିଭାଗର ନିୟନ୍ତ୍ରଣ ନଥିବାରୁ ଶସ୍ତା ବେଳେ ବି ଆଳୁ କଳବଜାରୀ କରିବାକୁ ପଛାଉ ନାହାନ୍ତି ଅସାଧୁ ବ୍ୟବସାୟୀ ।

ଢ଼େଙକାନାଳ ଜିଲ୍ଲା କାମାକ୍ଷାନଗରରେ ସିଧାସଳଖ ଟ୍ରକ୍ ପାଖରୁ ୨ଶହ ଟଙ୍କା ଦେଇ ଆଳୁ ବସ୍ତା ବୋହି ନେଉଛନ୍ତି ଗ୍ରାହକ । ସାପ୍ତାହିକ ହାଟ ପାଇଁ କୋଲକାତାରୁ ଆଳୁ ଆସିଥିବା ବେଳେ ସେଗୁଡ଼ିକୁ ଶସ୍ତାରେ ସିଧା ଟ୍ରକ୍ ପାଖରୁ କିଣି ନେଇଥିଲେ ଲୋକେ । ଯୋଗାଣ ବିଭାଗ ଯେତେବେଳେ ନିଘୋଡ଼ ନିଦରେ ଶୋଇଛି, ସେତେବେଳେ ଆଳୁ କଳାବଜାରୀଙ୍କୁ କିଏ ବାନ୍ଧିବ ତାକୁ ନେଇ ଉଠିଛି ପ୍ରଶ୍ନ ।