ବ୍ରହ୍ମପୁର ୧୪।୧୧: ବିଶ୍ୱ ମଧୁମେହ ଦିବସ ଅବସରରେ ବ୍ରହ୍ମପୁରରେ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ ପକ୍ଷରୁ ମଧୁମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଗାନ୍ଧୀନଗର ଠାରୁ ରାମଲିଙ୍ଗମ୍ ପାର୍କ ଯାଏଁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ ବହୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ବୁଦ୍ଧିଜିବୀ ଯୋଗ ଦେଇଥିଲେ l ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ମଧୁମେହ ରୋଗ ନିରାକରଣ ଉପରେ ସଚେତନ କରିଥିଲେ l ରାମଲିଙ୍ଗମ୍ ପାର୍କ ଠାରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ରକ୍ତ ଶର୍କରା ପରୀକ୍ଷା ଓ ବିଶେଷଜ୍ଞ ଉପସ୍ଥିତ ରହି ପରାମର୍ଶ ଦେଇଥିଲେ l ମଧୁମେହ ଓ ହର୍ମୋନ୍‌ଜନିତ ରୋଗ ବିଶେଷଜ୍ଞ ଡା. ଜୀବନ ପ୍ରଧାନ ପରୀକ୍ଷା ଫଳ ବୁଝାଇବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ । ଟାଇପ –୨ ମଧୁମେହର ପ୍ରାରମ୍ଭିକ ଅବସ୍ଥାରେ ସ୍ପଷ୍ଟ ଲକ୍ଷଣ ନ ଥାଇପାରେ । ପରିବାରରେ କାହାର ମଧୁମେହ ଥିଲେ କେବେ ପରୀକ୍ଷା କରାଇବେ, ସେ ନେଇ ଡାକ୍ତରଙ୍କ ପରାମର୍ଶ ନେବାକୁ ଡା. ଜୀବନ ପ୍ରଧାନ କହିଛନ୍ତି l ମଧୁମେହକୁ ସମୟରେ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଅଯୋଧ୍ୟାନାଥ ପାଢ଼ୀ l

ଚଳିତ ବର୍ଷ ବିଶ୍ୱ ମଧୁମେହ ଦିବସର ବିଷୟବସ୍ତୁ ଥିଲା ‘Early action on diabetes’। ଏହି ଅବସରରେ ଚାଲିବାକୁ ଦୈନନ୍ଦିନ ଜୀବନରେ ସହଜରେ ସାମିଲ କରି ହେଉଥିବାରୁ ସଚେତନତା ପାଇଁ ପଦଯାତ୍ରା ଭଳି ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ l ନିୟମିତ ଚାଲିବା ଟାଇପ୍‌–୨ ମଧୁମେହର ଆଶଙ୍କା କମାଇବାରେ ଓ ମଧୁମେହ ଥିବା ବ୍ୟକ୍ତିଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ସହାୟକ ହୁଏ । ଲୋକଙ୍କ ନିକଟରେ ପରୀକ୍ଷା ଓ ବିଶେଷଜ୍ଞ ପରାମର୍ଶ ପହଞ୍ଚାଇବା ଉଦ୍ଦେଶ୍ୟରେ ପଦଯାତ୍ରା ସହ ଶିବିରର ଆୟୋଜନ କରାଯାଇଥିବା ସେ କହିଛନ୍ତି । ଶିବିରରେ ରକ୍ତ ଶର୍କରା ଅଧିକ ଥିବା ଜଣାପଡ଼ିଲେ ଫଳାଫଳ ଡାକ୍ତରଙ୍କୁ ଦେଖାଇ ପରବର୍ତ୍ତୀ ପରୀକ୍ଷା ସମ୍ପର୍କରେ ପରାମର୍ଶ ନେବା ଉଚିତ ବୋଲି କହିଛନ୍ତି ଉପ ଚିକିତ୍ସା ଅଧୀକ୍ଷକ ଡା. ପ୍ରିୟଜିତ ପାଣିଗ୍ରାହୀ l

Also Read:- ଆସୁଛି 'ଅକଭାନ୍' : ଗୋପାଳପୁର-ବିଶାଖାପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ ! ଚିନ୍ତାରେ ଚାଷୀ

ପଦଯାତ୍ରାରେ ଡା. ଜ୍ୟୋତି ପଟ୍ଟନାୟକ, ଡା. ଅଭିଜିତ ଦେବର୍ଷି, ଇଞ୍ଜିନିୟର କିଶୋର ଚନ୍ଦ୍ର ପ୍ରଧାନ, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ହସ୍ପିଟାଲର ବହୁ କର୍ମଚାରୀ, ‘ପ୍ରମେୟ’ର ଡିଜିଏମ୍ ଅମ୍ବିକା ପ୍ରସାଦ ଦାଶ, ‘ନ୍ୟୁଜ୍‌୭’ ବ୍ରହ୍ମପୁର ବ୍ୟୁରୋ ଚିଫ୍ ସୁରଜିତ କୁମାର ପଣ୍ଡାଙ୍କ ସମେତ ଅନ୍ୟମାନେ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ସଚେତନ ଲୋକଙ୍କ ଉପରେ ବେଶ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି l