ଭୁବନେଶ୍ୱର,୧୪।୧୧: ୮୦ ବର୍ଷ ତଳେ ଥିବା ହିତାଧିକାରୀ ମାସକୁ ୧୦୦୦ ଟଙ୍କାର ଭତ୍ତା ପାଉଥିଲେ। ଏବେ ପାଇବେ ୮୦୦ ଟଙ୍କା। ଆଉ ୨୦୦ ଟଙ୍କା ଆକାଉଣ୍ଟକୁ ଯିବ। ୮୦୦ ଟଙ୍କା ଆଣିବାକୁ ଥରେ ପଞ୍ଚାୟତ ଅଫିସ୍ ଦୌଡ଼ିବେ। ପୁଣି ୨୦୦ ଟଙ୍କା ପାଇଁ ବ୍ୟାଙ୍କ ଯିବେ। ଭଡ଼ା ଗଣି ନୟାନ୍ତ ହେବେ ଗରିବ, ଅସହାୟ ବୃଦ୍ଧାବୃଦ୍ଧା, ଦିବ୍ୟାଙ୍ଗ।ଭତ୍ତାକୁ ନେଇ ସରକାରଙ୍କ ନୂଆ ନିୟମ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ନ୍ୟାସନାଲ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ (ଏନ୍ଏସଏପି) ଅଧୀନରେ ମିଳୁଥିବା ଭତ୍ତାରୁ କେନ୍ଦ୍ର ଓ ରାଜ୍ୟ ଭାଗ ଅଲଗା କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ନିଜ ଭାଗ ନଗଦ ଆକାରରେ ଦେବେ, କିନ୍ତୁ କେନ୍ଦ୍ର ଭାଗ ଆକାଉଣ୍ଟକୁ ଆସିବ। କିନ୍ତୁ ଏ ନିଷ୍ପଭି ହିତାଧିକାରୀଙ୍କୁ ନାକେଦମ୍ କରିବ। ଅନେକ ସ୍ଥାନରେ ଗୋଟିଏ ପଞ୍ଚାୟତରେ ଥିବା ଏକାଧିକ ଗାଁ ପଞ୍ଚାୟତ ମୁଖ୍ୟାଳୟଠାରୁ ଦୂରରେ ଅଛି। ଅନେକ ବୃଦ୍ଧ, ବୃଦ୍ଧା ଭତ୍ତା ପାଇଁ ଅଟେ ଭଡ଼ା କରି ଆସନ୍ତି। ପୁଣି ଆକାଉଣ୍ଟରୁ ଭତ୍ତା ଉଠାଉଥିବା ହିତାଧିକାରୀ ଅଟେ ଭଡ଼ା କରି ବ୍ୟାଙ୍କକୁ ଯାଆନ୍ତି।

ଏବେ ୨୦୦ ଆଉ ୩୦୦ ଟଙ୍କା ଉଠାଇବା ପାଇଁ ବି ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ିବ । ଲଗାତର ୩ ମାସ ଧରି ଭତ୍ତା ଟଙ୍କା ନ ଉଠାଇଲେ ଭତ୍ତା ସ୍ଥଗିତ ରଖିବାର ନିୟମ ରହିଛି। ଏଣୁ ୩ ମାସ ପରେ ଏକାସାଙ୍ଗରେ ଟଙ୍କା ଉଠାଇବାକୁ କେହି ଅପେକ୍ଷା କରିବେନି। ବାଧ୍ୟ ହୋଇ ମାସକରେ ବା ଦୁଇ ମାସରେ ଟଙ୍କା ଉଠାଇବାକୁ ବ୍ୟାଙ୍କ ଦୌଡ଼ିବେ ଆଉ ଭଡ଼ା ଦେଇ ଟଙ୍କା ଗଣିବେ।କିଛି ପଞ୍ଚାୟତରେ ଜନସେବା କେନ୍ଦ୍ରରୁ ହିତାଧିକାରୀ ଭତ୍ତା ଟଙ୍କା ଉଠାଇବା ବ୍ୟବସ୍ଥା ଅଛି। କିନ୍ତୁ ବୟସାଧିକ୍ୟ କାରଣରୁ ବହୁ ବୃଦ୍ଧ, ବୃଦ୍ଧାଙ୍କ ପିଙ୍ଗରପ୍ରିଣ୍ଟ ବା ଅଙ୍ଗଳି ଛାପ ମେଳ ଖାଉନି । ଆଉ କିଛି ଜଣଙ୍କର ଆଧାର କାର୍ଡ, ପ୍ୟାନ କାର୍ଡରେ ତ୍ରୁଟି ସାମ୍ନାକୁ ଆସୁଛି। ଏଥିପାଇଁ ସେମାନେ ଜନସେବା କେନ୍ଦ୍ରରୁ ଟଙ୍କା ଉଠାଇବା ସମ୍ଭବ ହେଉନି। ବାଧ୍ୟରେ ବ୍ୟାଙ୍କ ଯାଉଛନ୍ତି।

ଏବେ ଏଏସ୍ଏପି ଅଧୀନରେ ଏବେ ୩ଟି ବର୍ଗର ୨୦ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି। ଇନ୍ଦିରା ଗାନ୍ଧୀ ଜାତୀୟ ବଦ୍ଧକ୍ୟ ଭତ୍ତା ଅଧୀନରେ ୬୦ରୁ ୭୯ ବର୍ଷ ବୟସ୍କ ବୃଦ୍ଧ, ବୃଦ୍ଧାଙ୍କୁ ମାସକୁ ୧୦୦୦ ଟଙ୍କାର ଭତ୍ତା ମିଳୁଛି। ଏଥିରୁ ରାଜ୍ୟ ସରକାର ୮୦୦ ଟଙ୍କା ଓ କେନ୍ଦ୍ର ସରକାର ୨୦୦ ଟଙ୍କା ଦେଉଛନ୍ତି। କେନ୍ଦ୍ର ଭାଗ ମିଳିବାରେ ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ନିଜ ଭାଗ ନଗଦ ଆକାରରେ ଦେବାକୁ ନିଷ୍ପଭି ନେଇଛନ୍ତି।କେନ୍ଦ୍ର ଭାଗ ୨୦୦ ଟଙ୍କା ଆକାଉଣ୍ଟକୁ ଆସିବ। ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳୁଛି। ରାଜ୍ୟ ଭାଗ ୩୦୦୦ ଟଙ୍କା ନଗଦ ମିଳିବ ଓ କେନ୍ଦ୍ର ଭାଗ ୫୦୦ ଟଙ୍କା ଆକାଉଣ୍ଟକୁ ଯିବ। ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତାର ରାଜ୍ୟ ଭାଗ ୭୦୦ ଟଙ୍କା ନଗଦ ମିଳିବ ଓ ବାକି କେନ୍ଦ୍ର ଭାଗ ୩୦୦ ଟଙ୍କା ଆକାଉଣ୍ଟକୁ ଯିବ।

ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ୩୨୦୦ ଟଙ୍କା ନଗଦ ଓ ୩୦୦ ଟଙ୍କା ଆକାଉଣ୍ଟକୁ ପଠାଇବେ। ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ଏଏସଏପି ଅଧୀନରେ ଥିବା ହିତାଧିକାରୀ ଏଭଳି ସମସ୍ୟା ଭୋଗିବେ। କିନ୍ତୁ ମଧୁ ବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ସମସ୍ୟା ହେବନି । ଏହା ରାଜ୍ୟ ସରକାରଙ୍କ ଯୋଜନା ହୋଇଥିବାରୁ ଏକାଥରକେ ପୂରା ଟଙ୍କା ମିଳିଯିବ। ଏବେ ଏଏସ୍ଏପି ଅଧୀନରେ ପ୍ରାୟ ୨୦ଲକ୍ଷ ହିତାଧିକାରୀ ଓ ମଧୁବାବୁ ପେନସନ ଯୋଜନାରେ ପ୍ରାୟ ୩୬ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଛନ୍ତି। ସରକାର ଆଉ ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଯୋଡ଼ିଛନ୍ତି।