ନୂଆଦିଲ୍ଲୀ: ଦେଶରେ ରକ୍ଷାବନ୍ଧନ ପର୍ବର ଠିକ୍ ପୂର୍ବରୁ ଭାରତୀୟ ଡାକ ବିଭାଗ ଦେଶ ଓ ପ୍ରଦେଶରୁ ବାହାରେ ରହୁଥିବା ଭାଈଙ୍କୁ ରାକ୍ଷୀ ପଠାଉଥିବା ଭଉଣୀଙ୍କୁ ଝଟକା ଦେଇଛି। ଯଦି ଏହି ରକ୍ଷା ବନ୍ଧନରେ ଆପଣ ଭାଈଙ୍କୁ ପୋଷ୍ଟ ଅଫିସ ମାଧ୍ୟମରେ ରାକ୍ଷୀ, ମିଠେଇ ଅଥବା ଉପହାର ପଠାଇବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ଆପଣଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡିବ। କାରଣ ଭାରତୀୟ ଡାକ ବିଭାଗ ପାର୍ସଲ ଓ ସ୍ପିଡପୋଷ୍ଟ ଦର ବଢେଇ ଦେଇଛନ୍ତି।

ରିପୋର୍ଟ ଅନୁସାରେ ପାର୍ସଲ ଦରରେ ସବୁଠୁ ବଡ଼ ପରିବର୍ତ୍ତନ ପ୍ରାରମ୍ଭିକ ୫୦୦ ଗ୍ରାମ ଓଜନ ଶ୍ରେଣୀରେ କରାଯାଇଛି। ପୂର୍ବରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ଓଜନର ପାର୍ସଲ ପଠାଇବା ପାଇଁ ୪୨ଟଙ୍କା ଶୁଳ୍କ ଲାଗୁଥିଲା। ଏହାକୁ ଏବେ ଗନ୍ତବ୍ୟ ଅନୁସାରେ ବଢାଇ ୭୭ ଟଙ୍କାରୁ ୮୪ ଟଙ୍କା କରି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଦର ରାଜ୍ୟଭିତରେ ହୋଇଥିଲେ ୭୭ ଟଙ୍କା, ମହାନଗର ଅଞ୍ଚଳ ପାଇଁ ୮୨ ଟଙ୍କା ଓ ଅନ୍ୟ ରାଜ୍ୟ ଲାଗି ୮୪ ଟଙ୍କା କରାଯାଇଛି। ଏଥିରେ ଏ କଥା ବି ଧ୍ୟାନରେ ରଖନ୍ତୁ ଯେ ଏହି ଶୁଳ୍କ ପରେ ଆପଣଙ୍କୁ ଜିଏସଟି ଚାର୍ଜ ମଧ୍ୟ ପୈଠ କରିବାକୁ ପଡିବ।

ପାର୍ସଲ ସହିତ ସ୍ପିଡପୋଷ୍ଟ ସେବା ମଧ୍ୟ ମହଙ୍ଗା ହୋଇଛି। ୨୦ ଗ୍ରାମ ପର୍ଯ୍ୟନ୍ତ ପ୍ରାରମ୍ଭିକ ଓଜନର ସ୍ପିଡ ପୋଷ୍ଟ ଲାଗି ପୂର୍ବରୁ ୪୨ ଟଙ୍କା ଲାଗୁଥିଲା। ଏବେ ଏଥିରେ ସିଧାସଳଖ ୧୪ ଟଙ୍କା ବଢାଇ ଦିଆଯାଇଛି। ଏଣୁ ଗ୍ରାହକଙ୍କୁ ଏବେ ଏଥି ପାଇଁ ୫୬ ଟଙ୍କା ପୈଠ କରିବାକୁ ପଡିବ। ଓଜନ ଓ ଦୂରତା ବଢିଲେ ଶୁଳ୍କ ଆହୁରି ବଢିବ। ଡାକ ବିଭାଗ ଅଧିକାରୀଙ୍କ କହିବା କଥା ହେଉଛି ପାର୍ସଲ ସେବା ମୂଲ୍ୟ ଦୀର୍ଘ ବର୍ଷ ପରେ ସଂଶୋଧିତ ହୋଇଛି। ନୂଆ ବ୍ୟବସ୍ଥା ଅନୁସାରେ ଏବେ କେବଳ ଓଜନ ନୁହେଁ ବରଂ ଦୂରତା ଓ ଅଞ୍ଚଳ ଅନୁସାରେ ନିର୍ଦ୍ଧାରିତ ହେବ। ଏଣୁ ଏବେ ସମାନ ଓଜନର ପାର୍ସଲକୁ ଅଲଗା ଅଲଗା ସ୍ଥାନକୁ ପଠାଇବାର ଖର୍ଚ୍ଚ ମଧ୍ୟ ଅଲଗା ଅଲଗା ଦେବାକୁ ପଡିବ।

ରକ୍ଷାବନ୍ଧନ ଅବସରରେ ଲୋକେ ଡାକ ମାଧ୍ୟମରେ ନିଜ ପ୍ରିୟଜନଙ୍କୁ ରାକ୍ଷୀ, ମିଠେଇ ଓ ପୋଷାକ, ଉପହାର ଆଦି ପଠାଇ ଥାନ୍ତି। ଏଥିରେ ଡାକ ବିଭାଗର ଶୁଳ୍କ ବୃଦ୍ଧି ପାର୍ବଣରେ ଆପଣଙ୍କ ଖୁସିକୁ ଫିକା କରିପାରେ। ଖାସ କରି ସେହି ଲୋକେ ଯେଉଁମାନେ ପାର୍ବଣରେ ଛୋଟ ପାର୍ସଲ ପଠାଉଛନ୍ତି ସେମାନଙ୍କୁ ଏବେ ବୁକିଂ କରିବା ପୂର୍ବରୁ ଶୁଳ୍କର ସୂଚନା ସଂଗ୍ରହ କରିବାକୁ ପଡିବ। ଡାକ ବିଭାଗ ନୂଆ ଶୁଳ୍କରେ ସ୍ଥାନୀୟ ଓ ଦୂର ଡେଲିଭରୀ ପାଇଁ ଅଲଗା ଅଲଗା ଶୁଳ୍କ ଧାର୍ଯ୍ୟ କରିଛନ୍ତି। ଏଥିରେ ଓଜନ ବଢିଲେ ଅତିରିକ୍ତ ଶୁଳ୍କ ବି ଲାଗୁଛି। ଏଣୁ ପାର୍ସଲ ବୁକ୍ କରିବା ପୂର୍ବରୁ ଓଜନ ଏବଂ ଗନ୍ତବ୍ୟ ଆଧାରରେ ଲାଗୁ ହେଉଥିବା ଦର ପୁଷ୍ଟି କରିବା ଭଲ ହେବ।