କୋରାପୁଟ ୧୮।୧୦: ପୁଣି ଚର୍ଚ୍ଚାରେ କୋଟିଆ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପରେ କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ବଢ଼ିଛି ରାଜନୈତିକ ଉଷ୍ମତା। କୋଟିଆକୁ ନେଇ ଦୀର୍ଘଦିନର ସୀମା ବିବାଦ ମଧ୍ୟରେ ଆନ୍ଧ୍ରର ନିର୍ବାଚନୀ ପଦକ୍ଷେପକୁ ନେଇ ପୁଣି ଉଠିଛି ପ୍ରଶ୍ନ।କୋଟିଆରେ ଓଡ଼ିଶା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନା ଚାଲିଥିବା ବେଳେ ଆନ୍ଧ୍ର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରୁଛି। ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ପୁଣି ଚର୍ଚ୍ଚାକୁ ଆସିଛି। ଏହି ପ୍ରସଙ୍ଗରେ ଜିଲ୍ଲା କଂଗ୍ରେସ ତୀବ୍ର ବିରୋଧ ପ୍ରକାଶ କରିଛି। କୋଟିଆ ମାଟିରେ ଆନ୍ଧ୍ରର ନିର୍ବାଚନକୁ ଦଳ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି। ଆବଶ୍ୟକ ପଡ଼ିଲେ ଆନ୍ଦୋଳନକୁ ତୀବ୍ର କରାଯିବ ରକ୍ତର ନଦୀ ବୋହିବ ବୋଲି କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି।

କୋଟିଆରେ ଆନ୍ଧ୍ରର ନିର୍ବାଚନ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଇଚାରା ନଷ୍ଟ ହେବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ। ସୀମା ବିବାଦ ମଧ୍ୟରେ ଲୋକେ ଉଭୟ ରାଜ୍ୟର ଜନହିତକର ଯୋଜନାରେ ସାମିଲ ହେଉଥିବା ବେଳେ ନିର୍ବାଚନ ସମୟରେ ପରସ୍ପର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ସେ କହିଛନ୍ତି। ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ କୋଟିଆ ମାଟିକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ପଟାଙ୍ଗି ବିଧାୟକ ପିତମ ପାଢ଼ୀ। କୋଟିଆର ଇଞ୍ଚେ ମାଟି ମଧ୍ୟ ଆନ୍ଧ୍ରର ନୁହେଁ ବୋଲି ଦୃଢ଼ୋକ୍ତି କରିବା ସହ ଆନ୍ଧ୍ରର ନିର୍ବାଚନକୁ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି। କୋଟିଆର ସୁରକ୍ଷା ପାଇଁ ଆଗରୁ ଲଢ଼ୁଥିଲେ, ଆଜି ମଧ୍ୟ ଲଢ଼େଇ ଜାରି ରହିଛି ବୋଲି ସେ କହିଛନ୍ତି।

Also Read:- ମା’ ସୁରେଶ୍ୱରୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା, ଭକ୍ତିମୟ ପରିବେଶରେ ସୁବର୍ଣ୍ଣପୁର

କୋଟିଆକୁ ନେଇ ପୁଣି ରାଜନୈତିକ ତାତି । ଆନ୍ଧ୍ରର ନିର୍ବାଚନକୁ ବିରୋଧ କରି ରାଜନୈତିକ ନେତାଙ୍କ ଚେତାବନୀ ସହ ଦୃଢ଼ ଆଭିମୁଖ୍ୟ ପରେ ଏବେ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା। କୋଟିଆରେ ନିର୍ବାଚନ ସ୍ଥିତି କେଉଁ ଦିଗକୁ ଯାଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Watch Video: