ସୁବର୍ଣ୍ଣପୁର ୧୮।୧୦: ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମା’ ସୁରେଶ୍ଵରୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଯାଇଛି ଷୋଡ଼ଶ ଦିନାତ୍ମକ ଉପଚାର ପୂଜା ଆରାଧନା । ପାର୍ବଣ ଋତୁ ପାଇଁ ମନ୍ଦିର ମାଳିନୀ ସୁବର୍ଣ୍ଣପୁରର ସମସ୍ତ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଯାଇଛି ଦେବୀଙ୍କ ଆରାଧନା । ବିଶ୍ୱାସ ରହିଛି ଏହି ସମୟରେ ମା’ ସୁରେଶ୍ୱରୀ ଆଶ୍ରିତଙ୍କ ସମସ୍ତ ରିଷ୍ଟ ଖଣ୍ଡନ କରନ୍ତି । ସେଥି ପାଇଁ ତ ଦେବୀଙ୍କ ଦର୍ଶନ ତଥା ଆଶୀର୍ବାଦ ଲାଭ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଛି ମା’ ସୁରେଶ୍ୱରୀଙ୍କ ପୀଠକୁ ।

ମନ୍ଦିର ମାଳିନୀ ଅଷ୍ଟଚଣ୍ଡୀ, ଅଷ୍ଟ ଶମ୍ଭୁଙ୍କ ମାଟି ସହର ସୁବର୍ଣ୍ଣପୁର । ସହରର ଦକ୍ଷିଣ ଦିଗରେ ଉତ୍ତର ମୁହାଁ ହୋଇ ପୂଜିତା ହୋଇ ଆସୁଛନ୍ତି ଇଷ୍ଟଦେବୀ ମା’ ସୁରେଶ୍ୱରୀ । ଷୋଡ଼ଶ ଉପଚାର ପୂଜା ବିଧିକୁ ନେଇ ମୂଳାଷ୍ଟମୀ ଠାରୁ ଅମାବାସ୍ୟା ପୂର୍ଣ୍ଣିମା ଯାଏଁ ଦେବୀଙ୍କ ଆରାଧନା କରାଯାଇଥାଏ । ବିଶେଷ କରି ଆଶ୍ୱୀନ ମାସରେ ମା’ଙ୍କ ପୀଠରେ ନବରାତ୍ର ପୂଜା ମହାସମାରୋହରେ ପାଳନ କରାଯାଇଥାଏ । ଏଥିରେ ମା’ଙ୍କ ଦଶମହାବିଦ୍ୟାରେ ତାରା, ବଗଳାମୁଖି, ଭୁବନେଶ୍ୱରୀ, ରାଜାରାଜେଶ୍ୱରୀ, ଜୟଦୁର୍ଗା ଆଦି ଦଶାବତାର ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରତିଦିନ ମା’ଙ୍କ ପୂଜାରେ ଘଣ୍ଟ, ଘଣ୍ଟା, ଶଙ୍ଖ, ମହୁରୀ, ଢୋଲ ଓ ନିଶାନର ଶୋହଳ ଭରଣୀ ବାଦ୍ୟର ଧ୍ୱନୀରେ ଉତ୍ସବ ମୁଖରିତ ହୋଇଥାଏ ମା’ ସୁରେଶ୍ୱରୀଙ୍କ ପୀଠ ।

ସୁବର୍ଣ୍ଣପୁର ମାଟିର ଆରାଧ୍ୟା ତଥା ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସୁରେଶ୍ୱରୀ । ସୋନପୁର ଗଡଜାତବାସୀଙ୍କ ପାଇଁ ପରୁହାଁ ଦେବୀ ଭାବେ ରହିଛନ୍ତି ସୁଖରେ ଦୁଃଖରେ । ସେଥିପାଇଁ ବର୍ଷର ବିଭିନ୍ନ ପର୍ବ ପର୍ବାଣୀରେ ଦେବୀ ସୁରେଶ୍ୱରୀଙ୍କ ସ୍ଥାନ ସବୁଠାରୁ ଆଗରେ ଥିବା ବେଳେ ବର୍ଷସାରା ଦେବୀଙ୍କ ପୀଠରେ ଭକ୍ତମାନଙ୍କ ସମାଗମ ହୋଇଥାଏ । ତେବେ ପାର୍ବଣ ଋତୁରେ ମା’ ସୁରେଶ୍ୱରୀଙ୍କ ପୀଠରୁ ଦୀର୍ଘ ୧୫ ଦିନ ବ୍ୟାପି ବିଶ୍ବପ୍ରସିଦ୍ଧ ବଳି ଯାତ୍ରାର ଆରମ୍ଭ ହୋଇଥାଏ । ଯାହାକି ଆଶ୍ୱିୀନ ଅମାବାସ୍ୟା ଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀରେ ଶେଷ ହୋଇଥାଏ । ଯାହାକୁ ଉପଭୋଗ କରିବା ପାଇଁ ଭକ୍ତଙ୍କ ବେଶ୍ ଭିଡ ଜମି ଥାଏ । ଏହି ଷୋଡ଼ଶ ଉପଚାର ପୂଜା ସମୟରେ ଯାହା ମନୋସ୍କାମନା କରିଥାନ୍ତି ତାହା ପୂରଣ ହୁଏ ବୋଲି ଭକ୍ତଙ୍କ ସୂଅ ଛୁଟେ ଏହି ମନ୍ଦିରକୁ ।

Also Read:- ଛତରଯାତ୍ରା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ, ଡ୍ରୋନ୍ ନଜରରେ ପୂରା ଯାତ୍ରା

ଆବାହମାନ କାଳରୁ ତନ୍ତ୍ର ପଦ୍ଧତିରେ ମା’ ସୁରେଶ୍ୱରୀଙ୍କ ଉପାସନା ହୋଇଆସୁଛି । ଏହି ଦେବୀପୀଠର ମାଟିର ମହିମାରେ ପ୍ରତିବର୍ଷ ହଜାର ହଜାର ଭକ୍ତ ଟାଣି ହୋଇ ଆସୁଛନ୍ତି ନିଜକୁ ମା’ଙ୍କ ଆରାଧନାରେ ସାମିଲ କରିବା ପାଇଁ ।