ଭୁବନେଶ୍ବର ୧୭।୮: ବଲାଙ୍ଗିର ଅପହରଣ ମାମଲାରେ ଆସିଛି ଟ୍ବିଷ୍ଟ । ଅପହରଣ ମାମଲାରେ ସମ୍ପୃକ୍ତ ଅଛନ୍ତି ମହିଳା ପୋଲିସ ସବ୍ ଇନ୍ସପେକ୍ଟର । ମହିଳା ପୋଲିସ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ସୂଚନା ମିଳିଛି । ମହିଳା ପୋଲିସ ଅଧିକାରୀ ଜଣକ ହେଉଛନ୍ତି କମିଶନରେଟ୍ ପୋଲିସର ହେଡକ୍ବାର୍ଟରରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ସ୍ନେହା ମଞ୍ଜରୀ ସାହୁ । ଯାହାଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ସହ ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସାମ୍ବାଦିକଙ୍କର ଏହି ମାମଲାରେ ସମ୍ପୃକ୍ତି ରହିଛି । ସେ ନିଜକୁ ପୋଲିସ ଅଫିସର ଦର୍ଶାଇ ଅପହରଣକାରୀଙ୍କ ଠାରୁ ଦସ୍ତଖତ ନେବା ସହ ବୟାନ ରେକର୍ଡ କରିଥିଲେ । ତେବେ ଗିରଫ ପୋଲିସ ମ୍ୟାଡମ୍‌ଙ୍କ ନାମରେ ପୂର୍ବରୁ ମଧ୍ୟ ରହିଛି ଅଭିଯୋଗ ।

ବଲାଙ୍ଗିରର ବହୁଚର୍ଚ୍ଚିତ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ଆଉ ଦୁଇ ଗିରଫ । ଗିରଫଙ୍କ ଭିତରେ ଅଛନ୍ତି ସବ୍ ଇନ୍ସପେକ୍ଟର ସ୍ନେହା ମଞ୍ଜରୀ ଓ ସାମ୍ବାଦିକ ସଞ୍ଜୟ ଜେନା । ଯାହା ସୂଚନା ମିଳିଛି ପୂର୍ବରୁ ଗିରଫ ହୋଇେଥିବା କ୍ଷୀତିଶ ସାହୁଙ୍କର ଭଉଣୀ ହେଉଛନ୍ତି ପୋଲିସ ସବ୍ ଇନ୍ସସ୍ପେକ୍ଟର ସ୍ନେହା ମଞ୍ଜରୀ । ଭାଇ-ଭଉଣୀ କିଡନାପ୍ରେ ସାମିଲ ଥିବା ନେଇ ହୋଇଛି ସ୍ପଷ୍ଟ ।

ରବିବାର ରାତିରେ ବଲାଙ୍ଗିର ପୋଲିସ ବଲାଙ୍ଗିର-ସୋନପୁର ରୋଡ୍ରୁ ସ୍ନେହା ମଞ୍ଜରୀଙ୍କୁ ଉଠାଇ ନେଇଥିଲା । ରାତି ତମାମ ତାଙ୍କୁ ଅଟକ ରଖାଯାଇ ବଲାଙ୍ଗିର ରିଜର୍ଭ ପୋଲିସ ବାରାକରେ ଜେରା କରାଯାଇଥିଲା । ଜେରା ପରେ ପୋଲିସ ସ୍ପଷ୍ଟ କରିଛି ଯେ, ସ୍ନେହା ମଞ୍ଜରୀଙ୍କର ଏହି ଅପହରଣ ମାମଲାରେ ସମ୍ପୃକ୍ତି ରହିଛି । ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକ ସଞ୍ଜୟ ଜେନାଙ୍କର ସମ୍ପୃକ୍ତ ଥିବା ନେଇ ସ୍ପଷ୍ଟ ହୋଇଛି ।

ଯେତେବେଳେ ଗୁଣ୍ଡା ସାହୁଙ୍କୁ ଅପହରଣ କରି ନିଆଯାଉଥିଲା ସେତେବେଳେ ତାଙ୍କ ହାତରେ ଏକ ବନ୍ଧୁକ ରଖାଯାଇ ନାଟକ କରାଯାଇଥିଲା । କ୍ଷୀତିଶଙ୍କ ଆଡକୁ ବନ୍ଧୁକ ଦେଖାଯାଇ ସେ ଯେମିତି ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି, ସେଭଳି ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଯେଉଁ ଭିଡିଓ ଏବେ ପୋଲିସ ହାତରେ । ଖାଲି ସେତିକି ନୁହେଁ, ଅଗଷ୍ଟ ୧୫ ତାରିଖରେ ଖଣ୍ଡଗିରି ଥାନାରେ ନରେନ୍ଦ୍ର ସାହୁଙ୍କ ନାମରେ ଓଲଟା ଏଫଆଇଆର ଦିଆଯାଇଥିଲା । ସେତେବେଳେ ଉପସ୍ଥିତ ଥିଲେ ସଞ୍ଜୟ ଜେନା । ସେଠି ଏଗ୍ରିମେଣ୍ଟ ହୋଇଥିଲା । ଏଗ୍ରିମେଣ୍ଟରେ ଏଭଳି ଲେଖାହୋଇଥିଲା ଯେ, ସତେ ଯେମିତି ଗୁଣ୍ଡା ସାହୁ ତାଙ୍କ ପାଖରୁ ଟଙ୍କା ନେଇଥିଲେ, ସେହି ଟଙ୍କାକୁ ଦେବାକୁ ରାଜି ହୋଇଯାଇଥିଲେ । ଯାହାକୁ ପୋଲିସ ଏବେ ଜବତ କରିଛି । ସେହି ଆଧାରରେ ବଲାଙ୍ଗିର ପୋଲିସ ତାଙ୍କୁ ଗିରଫ କରିଛି ।

Also Read:- ରକ୍ଷାବନ୍ଧନରେ ମହିଳାଙ୍କୁ ସୁଭଦ୍ରା ଭେଟି, କୋଟିଏରୁ ଅଧିକଙ୍କୁ ମିଳିବ କିସ୍ତି ଟଙ୍କା

ଏନେଇ ଏସପି ଆହୁରି କହିଛନ୍ତି ଯେ, ପୁରା ପ୍ଲାନିଂ ଅନୁସାରେ ତାଙ୍କୁ ଖଣ୍ଡଗିରି ଥାନାକୁ ନିଆଯାଇଥିଲା । ଯେଉଁଠି ସାମ୍ବାଦିକ ପୂର୍ବରୁ ଛିଡା ହୋଇଥିଲେ । ସେ ନରେନ୍ଦ୍ରକୁ ପୋଲିସ ଅଫିସରର ପରିଚୟ ଦେଇଥିଲେ । ଥାନା ଭିତରେ ତାଙ୍କ ସହ ବୁଝାମଣା ପତ୍ର ହୋଇଥିଲା । ସଞ୍ଜୟ ନିଜେ ଏକ ଜାଲ ଏଫଆଇଆର ଲେଖିଥିଲେ । ପୋଲିସର ଇମେଜକୁ ବ୍ୟବହାର କରି ସେ ନରେନ୍ଦ୍ର ନାମରେ ମିଛ ଅଭିଯୋଗ କରିବା ସହ ତାଙ୍କୁ ମିସ୍ ଗାଇଡ୍ କରିଥିଲେ । ଫୋନ୍ ଟ୍ରାକ, ଓ୍ବାଟ୍ସଆପ୍ ଚାଟ୍ ଚେକ୍ କରାଯାଇ କ୍ଷୀତିଶ, ସ୍ନେହା ମଞ୍ଜରୀ ଏବଂ ସଞ୍ଜୟଙ୍କୁ ଗିରଫ କରାଯାଇଛି ।

ଅନ୍ୟପଟେ ସ୍ନେହା ମଞ୍ଜରୀଙ୍କ ନାମରେ ପୂର୍ବରୁ ମଧ୍ୟ ବାଲିଅନ୍ତା ରହିଛି ଅଭିଯୋଗ । ନୟାପଲ୍ଲୀ ଥାନାରେ ଜନୈକ ସୁବେଦାରଙ୍କ ପତ୍ନୀ ତାଙ୍କ ନାମରେ କରିଥିଲେ ଏଫଆଇଆର । ଯେଉଁଥିରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ସ୍ନେହା ମଞ୍ଜରୀ ଫସାଇଛନ୍ତି । ପରବର୍ତ୍ତୀ ସମୟରେ ବାଲିଅନ୍ତା ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।