ଭୁବନେଶ୍ବର: ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ଜାରି ରହିଛି ହଟଚମଟ। ବିଭିନ୍ନ ମହଲରେ ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ, ଘଟଣାରେ ମାରାଥନ୍ ତଦନ୍ତ ଚଲାଇଛି କ୍ରାଇମ୍ ବ୍ରାଞ୍ଚ। ଏହି କ୍ରମରେ ରବିବାର ସକାଳୁ ବାଲିଅନ୍ତା, କ୍ରାଇମ୍ ସ୍ପଟ୍, ସୌମ୍ୟରଞ୍ଜନଙ୍କ ଘର ଏବଂ ଓମ୍‌ଙ୍କ ଘରେ ପହଞ୍ଚି ତଦନ୍ତ କରିବା ସହ ସନ୍ଧ୍ୟାରେ ପୀଡ଼ିତାଙ୍କ ଘରେ ପହଞ୍ଚି ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ।

ଏହାରି ମଧ୍ୟରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି କ୍ରାଇମ୍ ବ୍ରାଞ୍ଚ ଡିଜି, ଆଇନ ଶୃଙ୍ଖଳା ଡିଜି ଏବଂ କ୍ରାଇମ୍ ବ୍ରାଞ୍ଚ ଆଇଜି ଏବଂ ବାଲିଅନ୍ତା ଥାନା ଭିଡ଼ ହତ୍ୟା ଘଟଣାକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଥମ ଦିନରେ ହୋଇଥିବା ତଦନ୍ତ ରିପୋର୍ଟ ଉପରେ ଆଲୋଚନା କରାଯାଇଛି। ସୋମବାର ସୌମ୍ୟଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ କ୍ରାଇମ ବ୍ରାଞ୍ଚ ନିଜ ହାତକୁ ନେବ।

Also Read: ବାଲିଅନ୍ତା ବର୍ବରତା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ୍ କର୍ମଚାରୀ ନିଲମ୍ବିତ

ସେପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂହ। ସେ କହିଛନ୍ତି, ସୌମ୍ୟଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଛି। ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ବାଲିଅନ୍ତା ଘଟଣା ସମୟରେ ଦୁଇଟି ଟିମ୍ ଠିକ୍ ସମୟରେ ଘଟଣା ସ୍ଥଳକୁ ଯାଇଥିଲେ। କିନ୍ତୁ ସେମାନେ ଭିଡ଼ ନିୟନ୍ତ୍ରଣ କରିପାରିନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟଅନୁଷ୍ଠାନ ନିଆଯାଇଛି। ଦୁର୍ଘଟଣା ହେଉ କିମ୍ବା ଅନ୍ୟ ସ୍ଥିତି, ଲୋକେ ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି ପୋଲିସ କମିଶନର।