କୋଲକାତା: ପଶ୍ଚିମବଙ୍ଗର ଆମ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ତଥା ନାଓଡା ବିଧାୟକ ହୁମାୟୁନ କବୀରଙ୍କ ବିରୋଧରେ ବିଜେପି କର୍ମୀଙ୍କୁ ସର୍ବସମ୍ମୁଖରେ ହତ୍ୟା ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  ମୁର୍ଶିଦାବାଦ ଜିଲ୍ଲାର ରେଜିନଗରଠାରେ ଆୟୋଜିତ ଏକ ଜନସଭାରେ ହୁମାୟୁନ କବୀର ବିଜେପି ନେତା ଓ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଏହି ବିବାଦୀୟ ଓ ଉତ୍ତେଜନାମୂଳକ ବୟାନ ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  

ଭାଇରାଲ ଭିଡିଓ ଅନୁଯାୟୀ, ବିଧାୟକ ହୁମାୟୁନ କବୀର ବିଜେପି କାର୍ଯ୍ୟକର୍ତ୍ତା ଏବଂ ଅନାମିକା ଘୋଷଙ୍କୁ ଟାର୍ଗେଟ କରିଥିଲେ । ଅନାମିକା ଘୋଷ ପରାଜିତ ହୋଇଥିଲେ ମଧ୍ୟ ବିଜୟୀ ପ୍ରାର୍ଥୀ ଭଳି ଅଭିନୟ କରୁଛନ୍ତି ବୋଲି କହିଥିଲେ ହୁମାୟୁନ ।  ଏହି ସଭାରେ ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ ।  ସେ କହିଥିଲେ, ଯଦି ବିଜେପି କର୍ମୀମାନେ ସେମାନଙ୍କର ସୀମା ପାର କରନ୍ତି, ତେବେ ପରିସ୍ଥିତି ଭୟାବହ ହେବ। ଲକ୍ଷ ଲକ୍ଷ ଲୋକ ରାଜପଥକୁ ଓହ୍ଲାଇବେ ଏବଂ ମୁଁ ନିଜେ ସେମାନଙ୍କର ନେତୃତ୍ବ ନେବି। ଆମେ ସେମାନଙ୍କୁ ଏଭଳି ମାଡ଼ ମାରିବୁ ଯେ ଏଠାରେ ବିଜେପି ପତାକା ଧରିବାକୁ କେହି ବାକି ରହିବେ ନାହିଁ। ବିଜେପିର ଜିଲ୍ଲା ସଭାପତି ମଧ୍ୟ ଏଠାରୁ ଗାୟବ ହୋଇଯିବେ।

ହୁମାୟୁନ କବୀରଙ୍କ ଏହି ହିଂସାତ୍ମକ ବୟାନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଉଠିଛି ଏବଂ ବିଭିନ୍ନ ରାଜନୈତିକ ଦଳ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପି ପକ୍ଷରୁ ଏହାକୁ ଏକ ପ୍ରତ୍ୟକ୍ଷ ହତ୍ୟା ଧମକ ବୋଲି ଦର୍ଶାଯାଇ ପୋଲିସରେ ଅଭିଯୋଗ କରାଯାଇଛି ଏବଂ ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।  ପଶ୍ଚିମବଙ୍ଗର ମନ୍ତ୍ରୀ ଦିଲୀପ ଘୋଷ କହିଛନ୍ତି ଯେ, କେବଳ ଶସ୍ତା ପ୍ରଚାର ପାଇଁ ହୁମାୟୁନ କବୀର ଏଭଳି ମନ୍ତବ୍ୟ ଦେଉଛନ୍ତି। ପୂର୍ବରୁ ମଧ୍ୟ ଅନେକ ନେତା ଏଭଳି କହିବା ପରେ ସେମାନଙ୍କର କି ଅବସ୍ଥା ହୋଇଛି, ତାହା ସମସ୍ତେ ଜାଣନ୍ତି।  

ବାମପନ୍ଥୀ ନେତା ଶତରୂପ ଘୋଷ ଏହି ସାମ୍ପ୍ରଦାୟିକ ତଥା ଉତ୍ତେଜନାମୂଳକ ମନ୍ତବ୍ୟ ପାଇଁ କବୀରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। 
ଉଲ୍ଲେଖଯୋଗ୍ୟ ଯେ, ହୁମାୟୁନ କବୀର ପୂର୍ବରୁ ତୃଣମୂଳ କଂଗ୍ରେସ (TMC) ର ସଦସ୍ୟ ଥିଲେ। ମୁର୍ଶିଦାବାଦରେ ବାବ୍ରି ମସଜିଦର ଏକ ପ୍ରତିକୃତି ନିର୍ମାଣ କରିବା ନେଇ ବିବାଦୀୟ ବୟାନ ଦେବା ପରେ ଗତ ବର୍ଷ ତାଙ୍କୁ ଟିଏମସିରୁ ବହିଷ୍କାର କରାଯାଇଥିଲା। ଏହାପରେ ସେ ନିଜର ନୂତନ ଦଳ 'ଆମ ଜନତା ଉନ୍ନୟନ ପାର୍ଟି' (AJUP) ଗଠନ କରି ନିର୍ବାଚନ ଲଢ଼ିଥିଲେ ଏବଂ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ବିଜେପି ସମର୍ଥକଙ୍କୁ ନଦୀରେ ଭସାଇ ଦେବା ଭଳି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ।