ବ୍ରହ୍ମପୁର: ଗତ ବର୍ଷ ଡିସେମ୍ବର ୨୧ ତାରିଖରେ ଦୁଇ ଜଣ ଅପରାଧୀଙ୍କୁ ଚାନ୍ଦା ଆଦାୟ ପାଇଁ ଗିରଫ କରିଥିଲା ପୋଲିସ। ସେମାନଙ୍କ ନିକଟରୁ ବେଆଇନ ବନ୍ଧୁକ-ପିସ୍ତଲ ଏବଂ ଖଣ୍ଡା ଜବତ କରିଥିଲା ପୋଲିସ। ତେବେ ଏହି ପିସ୍ତଲ ଯୋଗାଇଥିବା ଦଣ୍ଡ ମହାରଣାଙ୍କୁ ଗିରଫ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ରବି ସେଠୀ (୪୫)ଙ୍କ ଲିଖିତ ରିପୋର୍ଟ ଆଧାରରେ ମାମଲା ରୁଜୁ କରିଥିଲା ପୋଲିସ। ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ଡିସେମ୍ବରରେ ଦୁଇ- ଦୁଇ ଥର ଧମକ ଦେବା ସହ ଆକ୍ରମଣ ମଧ୍ୟ କରିଥିଲେ। ଏମିତିକି ଅଭିଯୋଗକାରୀଙ୍କ ମୋବାଇଲ୍ ଫୋନ୍ ନଷ୍ଟ କରିବା ସହ ଜାତିଗତ ଆକ୍ଷେପ ମଧ୍ୟ କରି ୭୦ ହଜାର ଟଙ୍କା ଦାଦା ବଟି ଦାବି କରିଥିଲେ।

ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ଦାଦାବଟି ମାଗିଥିବା ଦୁଇ ଜଣକୁ ଗିରଫ କରିଥିଲା। ଆଉ ଏବେ ପିସ୍ତଲ ଯୋଗାଇଥିବା ଦଣ୍ଡ ମହାରଣାଙ୍କୁ ଗିରଫ କରିଛି ପୋଲିସ। ସେ ତା’ ପୁଅ ଲେଫ୍ଟନାଣ୍ଟ କାଳୁ ମହାରଣା ଏବଂ ଶୁଭମ ମାଝୀଙ୍କୁ ଦେଶୀ ପିସ୍ତଲ ଯୋଗାଇଥିଲେ। ତେବେ ଦଣ୍ଡ ମହାରଣା ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଖଣ୍ଡା, ମୋବାଇଲ୍ ଫୋନ୍, ଗୋଟିଏ TVS ସ୍କୁଟର ଜବତ କରିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଦଣ୍ଡ ମହାରଣାଙ୍କୁ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଦଣ୍ଡଙ୍କ ନାମରେ ବିଭିନ୍ନ ଥାନାରେ ୨୨ଟି ମାମଲା ରହିଛି।