ଭୁବନେଶ୍ୱର ୨୨।୦୭:  ରାଜଧାନୀର ଦୁଇ କିନ୍ନର ଗୋଷ୍ଠୀ ଭିତରେ ପୁଣି ବିବାଦ ତେଜିଛି । ନକଲି କିନ୍ନରକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ କଳିଙ୍ଗ ଷ୍ଟୁଡ଼ିଓ ଛକରେ ହଙ୍ଗାମା କରିଛନ୍ତି । ସମାଧାନ ପାଇଁ ଯାଇଥିବା ପୁଲିସ ସାମ୍ନାରେ ବି କିନ୍ନରମାନେ ଉତ୍ପାତ ହୋଇଛନ୍ତି । ଏହି ରକ୍ତାକ୍ତ ସଂଘର୍ଷରେ ୪ ଜଣ ଆହତ ହେଇଛନ୍ତି । ଭରତପୁର ଥାନା ପୁଲିସ ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ।  

ପୋଲିସ ସୂଚନା ମୁତାବକ, ମଙ୍ଗଳବାର ରାତି ୧ଟାରେ ଷ୍ଟୁଡ଼ିଓ ଛକରୁ ନାକା ଗେଟ୍‌ ପର୍ଯ୍ୟନ୍ତ ରାସ୍ତା କଡ଼ରେ ୧୫ରୁ ଅଧିକ କିନ୍ନର ଛିଡ଼ା ହେଇଥିଲେ । ମହିଳାଙ୍କ ପୋଷାକ ପିନ୍ଧିଥିବା ଜଣେ ପୁରୁଷ ସେଠାରେ ଛିଡ଼ା ହେବାରୁ ଅନ୍ୟ ଗୋଷ୍ଠୀର କିନ୍ନରମାନେ ଏହାକୁ ବିରୋଧ କରିଥିଲେ । ସେମାନେ ଉକ୍ତ ବ୍ୟକ୍ତିକୁ ଧକ୍କା ମାରି ସେଠାରୁ ବିଦା କରିଦେଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏହି ଘଟଣା ତାଙ୍କ କିନ୍ନର ମା'ଙ୍କୁ ଜଣାଇଲେ । ସମ୍ପୃକ୍ତ କିନ୍ନର ମା'ଙ୍କ ନିର୍ଦ୍ଦେଶକ୍ରମେ ୧୫ରୁ ଅଧିକ କିନ୍ନର ସେଠାରେ ପହଞ୍ଚି ଅପରଗୋଷ୍ଠୀକୁ ଅତର୍କିତ ଆକ୍ରମଣ କରିଥିଲେ । ଦୁଇ ଗୋଷ୍ଠୀ ଭିତରେ ଖୁବ ଜୋରରେ ପ୍ରାୟ ଅଧଘଣ୍ଟା ଧରି ଠେଲାପେଲା, ଧସ୍ତାଧସ୍ତି ଚାଲିଲା । ପିସିଆର୍‌ ଭ୍ୟାନ ସେଠାରେ ପହଞ୍ଚିବାରୁ ୨ ଗୋଷ୍ଠୀ କିନ୍ନର ଛତ୍ରଭଙ୍ଗ ଦେଇଥିଲେ ।  ସକାଳୁ ଦୁଇ ଗୋଷ୍ଠୀର ମୁଖିଆ ତଥା କିନ୍ନର ମା'ଙ୍କ ସହ ଅନ୍ୟ ସହଯୋଗୀମାନେ ଥାନାକୁ ଯାଇ ପରସ୍ପର ବିରୋଧରେ  ଏତଲା ଦେଇଥିଲେ ।

ଅଭିଯୋଗକ୍ରମେ ତଦନ୍ତ ପାଇଁ ପୋଲିସର ଏକ ଟିମ୍‌ ଅପରାହ୍ଣ ସାଢ଼େ ୧ଟାରେ ଷ୍ଟୁଡ଼ିଓ ଛକକୁ ଯାଇଥିଲା । ସେଠାରେ ଦୁଇ ଗୋଷ୍ଠୀର କିନ୍ନରମାନେ ପରସ୍ପରକୁ ଟାହି ଟାପରା କରିବାରେ ଲାଗିଲେ । ଯାହାକୁ କେନ୍ଦ୍ର କରି ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ଭିତରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ମାରଣାସ୍ତ୍ର ଯୋଗେ ହଣାହାଣି ହେବାରୁ ଏଥିରେ ୪ଜଣ ଆହତ ହେଇଥିଲେ । ପୋଲିସ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହାପରେ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦ଜଣଙ୍କୁ ଗିରଫ କରିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।